ହିଞ୍ଜିଳିକାଟୁ /୫/୫(ସନ୍ଧାନ ନ୍ୟୁଜ୍): ପୁଣି ସାମ୍ନାକୁ ଆସିଛି ପ୍ରେମ ଓ ପ୍ରତାରଣାର ଏକ କରୁଣ ଚିତ୍ର। ଜଣେ ଅନାଥ ଝିଅକୁ ପ୍ରେମ ଜାଲରେ ଫସାଇ ଶେଷରେ ଅଧା ବାଟରେ ହାତ ଛାଡ଼ି ଦେଇଛି ପ୍ରେମିକ। କାଖରେ ଅଢ଼େଇ ବର୍ଷର କୁନି ଝିଅ ଓ ପେଟରେ ଆଉ ଏକ ସନ୍ତାନକୁ ଧରି ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଧାରଣା ଦେଇଛନ୍ତି ଜଣେ ଅସହାୟା ମହିଳା।
ଷ୍ଟେସନରୁ ଚମ୍ପଟ ମାରିଲା ପ୍ରେମିକ ସ୍ୱାମୀ:
ମିଳିଥିବା ସୂଚନା ଅନୁଯାୟୀ, ଅନାଥ ଝିଅ ପୂଜା ସ୍ୱାଇଁଙ୍କୁ ଚିଣ୍ଟୁ ଗୌଡ଼ ନାମକ ଜଣେ ଯୁବକ ପ୍ରେମ ବିବାହ କରିଥିଲେ। ତେବେ ଗତକାଲି ବ୍ରହ୍ମପୁର ରେଳ ଷ୍ଟେସନରେ ଥିବା ସମୟରେ ଚିଣ୍ଟୁ ଶୌଚାଳୟ ଯିବା ବାହାନା କରି ପୂଜାଙ୍କୁ ଛାଡ଼ି ସେଠାରୁ ଫେରାର ହୋଇଯାଇଥିଲେ। ବହୁ ସମୟ ଅପେକ୍ଷା କରିବା ପରେ ମଧ୍ୟ ସ୍ୱାମୀ ନଫେରିବାରୁ ପୂଜା ନିଜକୁ ଅସହାୟ ମନେ କରିଥିଲେ।
ନ୍ୟାୟ ପାଇଁ ଥାନା ଓ ଶ୍ୱଶୁର ଘର ଦ୍ୱାରସ୍ଥ:
ସ୍ୱାମୀଙ୍କୁ ଖୋଜିବା ପାଇଁ ପୂଜା ପ୍ରଥମେ ହିଞ୍ଜିଳିକାଟୁ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ କୌଣସି ସନ୍ଧାନ ନମିଳିବାରୁ ସେ ଶେଷରେ ସ୍ୱାମୀ ଚିଣ୍ଟୁଙ୍କ ଗ୍ରାମ ଖରିଡାରେ ପହଞ୍ଚିଥିଲେ। ପୂଜା ବର୍ତ୍ତମାନ ଗର୍ଭବତୀ ଥିବା ବେଳେ ତାଙ୍କ ସହିତ ଏକ ଅଢ଼େଇ ବର୍ଷର ଶିଶୁ କନ୍ୟା ମଧ୍ୟ ରହିଛି। ଶ୍ୱଶୁର ଘର ଲୋକେ ତାଙ୍କୁ ଗ୍ରହଣ ନକରିବାରୁ ସେ ବାଧ୍ୟ ହୋଇ ନ୍ୟାୟ ଆଶାରେ ଘର ସମ୍ମୁଖରେ ଧାରଣା ଦେଇଛନ୍ତି।
ଜଣେ ଅନାଥ ମହିଳାଙ୍କ ପ୍ରତି ଏଭଳି ଅମାନୁଷିକ ବ୍ୟବହାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂଜାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ସହ ପ୍ରତାରକ ସ୍ୱାମୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।



