ସୂଚନା ଓ ଲୋକସମ୍ପର୍କ ବିଭାଗର କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକଙ୍କ ଯାଜପୁର ଜିଲ୍ଲା କାର୍ଯ୍ୟାଳୟ ପରିଦର୍ଶନ

Spread the love

ଯାଜପୁର, :୧୫/୧୧/୨୬ (ସନ୍ଧାନ ନ୍ୟୁଜ)  ସୂଚନା ଓ ଲୋକସମ୍ପର୍କ ବିଭାଗର କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଶ୍ରୀ ଆଶୁତୋଷ ପାଇକରାୟ ଶନିବାର ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ କାର୍ଯ୍ୟାଳୟର ବିଭିନ୍ନ ବିଭାଗର କାର୍ଯ୍ୟଧାରା ସମୀକ୍ଷା କରିବା ସହ କାର୍ଯ୍ୟର ସୁପରିଚାଳନା ଓ ଦକ୍ଷତା ବୃଦ୍ଧି ନିମନ୍ତେ ଆବଶ୍ୟକ ପରାମର୍ଶ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ପରିଦର୍ଶନ ସମୟରେ ଉପନିର୍ଦ୍ଦେଶକ ଶ୍ରୀ ପାଇକରାୟ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗର କାଗଜପତ୍ର, ସାଧାରଣ ଭଣ୍ଡାର, ଡାକବାଜି ଯନ୍ତ୍ର ଭଣ୍ଡାର ଏବଂ ସୂଚନା କେନ୍ଦ୍ର ଓ ପାଠାଗାରର କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ କର୍ମଚାରୀଙ୍କ ସେବା ପୁସ୍ତିକା, ବିଲ୍‌ ରେଜିଷ୍ଟର, ଛୁଟି ଦରଖାସ୍ତ ରେଜିଷ୍ଟର, ବୁକ୍‌ ଫାଇଲ୍‌ ଆଦି ଯାଞ୍ଚ କରିଥିଲେ। ପାଠାଗାରକୁ ଅଧିକ ସମୃଦ୍ଧ ଓ ପାଠକ ଉପଯୋଗୀ କରିବା ଉଦ୍ଦେଶ୍ୟରେ ନିୟମିତ ଖବରକାଗଜ ସହ ବିଭିନ୍ନ ପତ୍ରିକା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧୀୟ ପୁସ୍ତକ ସଂଗ୍ରହ କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ ପତ୍ରିକାର ବିକ୍ରୟ ସ୍ଥିତି ମଧ୍ୟ ସମୀକ୍ଷା କରିଥିଲେ। ଜିଲ୍ଲାରେ କାର୍ଯ୍ୟ ସମ୍ପାଦନ ସମୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ସେ ଆବଶ୍ୟକ ମାର୍ଗଦର୍ଶନ କରିଥିଲେ। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ବିକାଶମୂଳକ କାର୍ଯ୍ୟକ୍ରମ ଓ ଲୋକାଭିମୁଖୀ ପଦକ୍ଷେପଗୁଡ଼ିକର ସଠିକ୍‌, ନିରପେକ୍ଷ ଓ ବ୍ୟାପକ ପ୍ରଚାରପ୍ରସାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ସାଗର ଉପନିର୍ଦ୍ଦେଶକଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟଧାରା ଓ ଉପଲବ୍ଧି ସମ୍ପର୍କରେ ଅବଗତ କରାଇଥିଲେ। ଏଥିରେ କାର୍ଯ୍ୟାଳୟର ଭଣ୍ଡାର ରକ୍ଷକ ଶ୍ରୀ ସତ୍ୟଜିତ ନାୟକ, ଗ୍ରନ୍ଥାଗାରିକ ଶ୍ରୀ ତାପସ କୁମାର ଗିରି, ଶ୍ରୀ ଶାନ୍ତନୁ କୁମାର ସାହୁ ଓ ଶ୍ରୀ ରତିକାନ୍ତ ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟାଳୟ ପରିଦର୍ଶନ ପରେ ଉପନିର୍ଦ୍ଦେଶକ ଶ୍ରୀ ପାଇକରାୟ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।

Related Posts

About The Author

Add Comment