ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ବଣ୍ଟନର ଶୁଭାରମ୍ଭ: ଯାଜପୁର ଜିଲ୍ଲାରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ନୂତନ ଆବାସ, ମୋଟ ମଞ୍ଜୁରୀପ୍ରାପ୍ତ ଆବାସ ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି

ଯାଜପୁର ଜିଲ୍ଲାରେ ‘ଆବାସ ପ୍ଲସ୍ ୨୦୨୪’ ସର୍ଭେରେ ୧ ଲକ୍ଷ ୨୦ ହଜାର ୭୭୭ ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ

ପ୍ରତ୍ୟେକ ହିତାଧିକାରୀଙ୍କୁ ଘର ନିର୍ମାଣ ପାଇଁ ତିନୋଟି କିସ୍ତିରେ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା

ଭତ୍ତା ସମସ୍ୟା ଦୂର ହେବା ସହିତ ଏବେ ଘର ସମସ୍ୟା ମଧ୍ୟ ଦୂର ହେବ: ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ

ଯାଜପୁର, ୧୪ ନଭେମ୍ବର ୨୦୨୬: ରାଜ୍ୟସ୍ତରରେ ଆଜି ବଲାଙ୍ଗୀରଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଗ୍ରାମୀଣ ବିକାଶ ଓ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ’ (PMAY-G) ଅଧୀନରେ ଆବାସ ବଣ୍ଟନର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଓଡ଼ିଶା ପାଇଁ ଆଉ ୧ ଲକ୍ଷ ନୂତନ ଆବାସ ମଞ୍ଜୁର ହେବା ସହ ରାଜ୍ୟର ମୋଟ ମଞ୍ଜୁରୀପ୍ରାପ୍ତ ଆବାସ ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି ପାଇଛି। ବଲାଙ୍ଗୀରଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଆଜି ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ  ପ୍ରଦୀପ ବଳ ସାମନ୍ତ ଏବଂ ସମ୍ମାନିତ ଅତିଥି ଭାବେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୂଚନା ଦିଆଯାଇଛି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ନିର୍ମାଣ ପାଇଁ ତିନୋଟି କିସ୍ତିରେ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ‘ଆବାସ ପ୍ଲସ୍ ୨୦୨୪’ ସର୍ଭେ ମାଧ୍ୟମରେ ଯାଜପୁର ଜିଲ୍ଲାରେ ହୋଇଥିବା ୧ ଲକ୍ଷ ୭୫ ହଜାର ୨୦୩ଟି ଘରୋଇ ସର୍ଭେ ମଧ୍ୟରୁ ୧ ଲକ୍ଷ ୨୦ ହଜାର ୭୭୭ ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ, “ଭତ୍ତା ସମସ୍ୟା ଦୂର ହେବା ସହିତ ଏବେ ଘର ସମସ୍ୟା ମଧ୍ୟ ଦୂର ହେବ।” ସେ ଆହୁରି ଗୁରୁତ୍ୱାରୋପ କରି କହିଥିଲେ ଯେ, ରାଜନୈତିକ ଦଳ ଆସିବ ଯିବ କିନ୍ତୁ ତା’ ମଧ୍ୟରେ ଜନତାଙ୍କ ହିତ ପ୍ରତି କୌଣସି ଆଞ୍ଚ ଆସିବା କଥା ନୁହେଁ। ଘର ସମସ୍ୟା ସହିତ ଶିକ୍ଷା, ବିଜୁଳି, ପିଇବା ପାଣି, ଖାଦ୍ୟ, ସ୍ୱାସ୍ଥ୍ୟ ଇତ୍ୟାଦିର ସମ୍ପୂର୍ଣ୍ଣ ସହାୟତା ସରକାରଙ୍କ ଆଡ଼ୁ ଯୋଗାଇ ଦେବା ପାଇଁ ପୂର୍ଣ୍ଣ ଚେଷ୍ଟା ରହିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଯାଜପୁର ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତିଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ହିତାଧିକାରୀ ଉପସ୍ଥିତ ରହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଥିଲେ।

Related Posts

About The Author

Add Comment