ଜେନାପୁର /୧/୮ (ସନ୍ଧାନ ନ୍ୟୁଜ ):ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥର କୁସୁନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଦ୍ୱୟ ସୁକିନ୍ଦା ବ୍ଲକ କାଳିଆପାଣି ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତ କୁଡ଼ିସାହି ଗ୍ରାମର ପିଣ୍ଟୁ ମହାନ୍ତ (୨୪) ଓ ପ୍ରକାଶ ମହାନ୍ତ (୨୦) ବୋଲି ପରିଚୟ ମିଳିଛି।ସୂଚନା ଅନୁସାରେ, ପିଣ୍ଟୁ ଓ ପ୍ରକାଶ ନିଜ ବାଇକ୍ ଯୋଗେ କୌଣସି ଜରୁରୀ କାର୍ଯ୍ୟ ସାରି ଚଣ୍ଡିଖୋଲରୁ ଡୁବୁରୀ ପଟକୁ ଫେରୁଥିଲେ। ଫେରିବା ବାଟରେ ଜେନାପୁର ଥାନା ଅଧୀନ କୁସୁନପୁର ଭାରତ ପେଟ୍ରୋଲ ପମ୍ପ ନିକଟରେ କୌଣସି କାରଣବଶତଃ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ଉଭୟ ଯୁବକ ରାସ୍ତା ଉପରେ ପଡ଼ି ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଛଟପଟ ହେଉଥିଲେ।ଠିକ୍ ସେହି ସମୟରେ କବାଟବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁରକ୍ଷା କର୍ମୀ ଅଶୋକ ସେଠୀ ଏବଂ ଆମ୍ବୁଲାନ୍ସ ଚାଳକ ମାନସ ମେହେଣା ନିକଟସ୍ଥ ଏକ ହୋଟେଲକୁ ନୈଶଭୋଜନ ପାଇଁ ଯାଉଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ପାଇଥିଲେ। ସେମାନେ ନିଜ କର୍ତ୍ତବ୍ୟପରାୟଣତା ଓ ମାନବିକତାର ପରିଚୟ ଦେଇ ବିନା ବିଳମ୍ବରେ ଆହତ ଦ୍ୱୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କବାଟବନ୍ଧ ମେଡ଼ିକାଲକୁ ଆଣିଥିଲେ।ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ପିଣ୍ଟୁ ମହାନ୍ତଙ୍କ ଗୋଟିଏ ଗୋଡ଼ ଭାଙ୍ଗିଯିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ମେଡ଼ିକାଲ (SCB)କୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଆହତ ପ୍ରକାଶ ମହାନ୍ତଙ୍କର ମଧ୍ୟ ଚିକିତ୍ସା ଜାରି ରହିଛି।
୫୩ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା: ୨ ଗୁରୁତର, ଜଣଙ୍କ ଅବସ୍ଥା ସଙ୍କଟାପନ୍ନ, କଟକ ସ୍ଥାନାନ୍ତର
|
August 1, 2026 |



