ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘ସୁରକ୍ଷିତ ଶୈଶବ ଅଭିଯାନ’ ଶିଶୁଙ୍କ ସୁରକ୍ଷା ଓ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା

Spread the love

ଯାଜପୁର, : ୩୦ /୧୦/୨୬ (ସନ୍ଧାନ ନ୍ୟୁଜ) ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ପ୍ରଦାନ କରିବା ସହ ସେମାନଙ୍କ ଅଧିକାର ଓ ଆଇନଗତ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘ସୁରକ୍ଷିତ ଶୈଶବ ଅଭିଯାନ’ ଅନ୍ତର୍ଗତ ଏକ ସଚେତନତା ସଭା ଆଜି ଯାଜପୁର ସହରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଯୌନ ଅପରାଧରୁ ଶିଶୁମାନଙ୍କ ସୁରକ୍ଷା ଅଧିନିୟମ, ୨୦୧୨ (POCSO Act) ଆଧାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଶ୍ରୀ ନନ୍ଦ ନିଜ ବକ୍ତବ୍ୟରେ ପ୍ରତ୍ୟେକ ଶିଶୁର ଶୈଶବକୁ ସୁସ୍ଥ, ସକ୍ରିୟ, ଆନନ୍ଦମୟ ଓ ସୁରକ୍ଷିତ କରିବା ଦିଗରେ ସମସ୍ତଙ୍କର ମିଳିତ ଦାୟିତ୍ୱ ରହିଛି ବୋଲି ମତପ୍ରକାଶ କରିଥିଲେ। ଶିଶୁମାନେ ଯେପରି ଭୟ ଓ ଆଶଙ୍କାମୁକ୍ତ ପରିବେଶରେ ଜୀବନ ଅତିବାହିତ କରିପାରିବେ, ସେଥିପାଇଁ ପରିବାର, ବିଦ୍ୟାଳୟ ଓ ସମାଜର ପ୍ରତ୍ୟେକ ବ୍ୟକ୍ତି ଯତ୍ନବାନ ହେବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଲିପା ମହାନ୍ତି ନିଜ ବକ୍ତବ୍ୟରେ ଶିଶୁମାନଙ୍କ ସୁରକ୍ଷା, ସଂରକ୍ଷଣ ଓ ଅଧିକାର ସେମାନଙ୍କର ଆଇନଗତ ଅଧିକାର ବୋଲି ଉଲ୍ଲେଖ କରିଥିଲେ। ଶିଶୁମାନଙ୍କ ଅଧିକାରର ସୁରକ୍ଷା ଓ ନ୍ୟାୟ ପ୍ରଦାନ ଦିଗରେ ପ୍ରାଧିକରଣ ସର୍ବଦା ସଚେତନ ରହିବା ସହ ଆବଶ୍ୟକ ସ୍ଥଳେ ଆଇନଗତ ସହାୟତା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ। ଏହି ଅଭିଯାନର ଅଂଶସ୍ୱରୂପ ଗତ ୨୭ ତାରିଖଠାରୁ ଯାଜପୁରସ୍ଥିତ ହରି ସାମନ୍ତ ଉଚ୍ଚ ବିଦ୍ୟାଳୟ, ନାଥସାହି ପଞ୍ଚାୟତ ହାଇସ୍କୁଲ ଏବଂ ସରସ୍ୱତୀ ଶିଶୁ ମନ୍ଦିରଠାରେ ମଧ୍ୟ ଆଇନ ସଚେତନତା ସଭାମାନ ଆୟୋଜନ କରାଯାଇଥିଲା।
ଏହି ସଚେତନତା ସଭାଗୁଡ଼ିକରେ ଯଥାକ୍ରମେ ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ନେହା ଅଗ୍ରୱାଲ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ନୀଳିମା ପଣ୍ଡା ଏବଂ ସିନିୟର ସିଭିଲ ଜଜ୍ ଶ୍ରୀମତୀ ଏଲ୍.ଆର୍.ଏଲ୍.ଟି.ଭି. ଲୋପାମୁଦ୍ରା ବେହେରା ଯୋଗଦେଇଥିଲେ। ସେମାନେ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ଶିଶୁଙ୍କ ସୁରକ୍ଷାରେ ଶିକ୍ଷକ, ଅଭିଭାବକ, ନାଗରିକ ସମାଜ ଓ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ତଥା ଶିଶୁମାନଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଆଇନ ସେବା ପ୍ରାଧିକରଣର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅଭିଯାନର ସଫଳ ପରିଚାଳନାରେ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷାକର୍ମୀ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ।

Related Posts

About The Author

Add Comment