ଶିଶୁମାନେ ଜାତିର ମହକ,ସର୍ବଶ୍ରେଷ୍ଠ ସମ୍ପଦ

Spread the love

ଭଦ୍ରକ,୧୪/୧୧ (ସନ୍ଧାନ ନିୟୁଜ) ଜିଲ୍ଲା ସ୍କୁଲ,ଭଦ୍ରକ ଠାରେ ଶିଶୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ଜଗବନ୍ଧୁ ସାହୁ ସଭାପତିତ୍ୱ କରିଥିବାବେଳେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ପ୍ରଭାକର ମଲ୍ଲିକ ମୁଖ୍ୟ ଅତିଥି ଓ ରୋଟାରୀ କ୍ଲବ୍ ମିଡ଼ଟାଉନର ସଭାପତି ଅତିଶ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିôଲେ । ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶିଶୁମାନେ ଜାତିର ମହକ,ସର୍ବଶ୍ରେଷ୍ଠ ସମ୍ପଦ । କିନ୍ତୁ ଆଜିର ଯାନ୍ତ୍ରିକ ଦୁନିଆରେ ପିଲାଦିନ ହଜିଯାଇଛି । ଟ୍ୟୁସନ୍ ,କୋଚିଂ ଓ ମୋବାଇଲ ମଧ୍ୟରେ ବାନ୍ଧିହୋଇ ଯାଇଛନ୍ତି ପିଲାମାନେ । ସେମାନେ ଚାପଗ୍ରସ୍ଥ ଜୀବନ ବିତାଉଛନ୍ତି ।ଏହି ପରିପ୍ରେକ୍ଷୀରେ ପିତାମାତା,ଗୁରୁଜନ ଓ ଶିକ୍ଷକମାନେ ପିଲାମାନଙ୍କୁ ଅଧିକ ସମୟ ଦେବା ସହ ନୀତିଶିକ୍ଷା ମାଧ୍ୟମରେ ସେମାନଙ୍କୁ ସଂସ୍କାରିତ କରିବା ଓ ଶୈଶବକୁ ଚାପମୁକ୍ତ କରିବା ନିହାତି ଜରୁରି ବୋଲି ଅତିଥିମାନେ ମତପୋଷଣ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ଅଶୋକ କୁମାର ଶତପଥୀ ସ୍ୱାଗତ ଭାଷଣ ଦେବାସହ ଏ ଉତ୍ସବ ଆୟୋଜନରେ ପ୍ରାକ୍ତନ ଛାତ୍ର ରବିନାରାୟଣ ମହାନ୍ତିଙ୍କ ଅବଦାନ ସମ୍ପର୍କରେ ମତପୋଷଣ କରିଥିଲେ । ଶିକ୍ଷକ-ଶିକ୍ଷୟିତ୍ରୀ ଧୀରାମଣୀ ଲେଙ୍କା,ରତିକାନ୍ତ ବେହେରା,ତପସ୍ୱିନୀ ଦାସ,ନରେନ୍ଦ୍ର ପ୍ରସାଦ ସାହୁ,ମନୋଜ ରାୟ,ମିଲି ପରିଡ଼ା ଓ ଅକ୍ଷୟ କୁମାର ନାୟକ ପ୍ରମୁଖ ଶିଶୁଦିବସର ଗୁରୁତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଶ୍ରୀ ମହାନ୍ତି ନିଜ ପିତା ଡ଼ଃ ରାଧାମାଧବ ମହାନ୍ତି ଓ ଜେଜେବାପା ଡଃ ନାରାୟଣ ପ୍ରସାଦ ମହାନ୍ତିଙ୍କ ସ୍ମୃତିରେ ବିଗତ ଛଅବର୍ଷ ଧରି ପ୍ରଦାନ କରୁଥିବା ସ୍କଲାରସିପ୍ ଗୁଡ଼ିକୁ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବା ସହ ଶିଶୁଦିବସ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଭାମାନଙ୍କୁ ପୁରସ୍କୃତ କରିଥିଲେ । ପ୍ରଧାନଶିକ୍ଷକ ଶ୍ରୀ ସାହୁ ପ୍ରାକ୍ତନ ଛାତ୍ର ଶ୍ରୀ ମହାନ୍ତିଙ୍କୁ ତାଙ୍କ ମହତ୍ କାର୍ଯ୍ୟ ପାଇଁ ବିଦ୍ୟାଳୟ ତରଫରୁ କୃତଜ୍ଞତା ଜଣାଇଥିଲେ । ଗୀତାରାଣୀ ସ୍ୱାଇଁ,ଅକ୍ଷୟ ସେଠୀ,ରାଜେନ୍ଦ୍ର ପ୍ରସାଦ ନାୟକ,ମୁରାଦ ଅଲ୍ଲି ଖାନ୍,ସୁଷମା ବେହେରା,ମିନତୀ ପଣ୍ଡା,ଜୟନ୍ତୀ କରଶର୍ମା,ଲିପ୍ସିତା ବିଶ୍ୱାଳ,ସୁବାସିନୀ ମିଶ୍ର,ନମିତା ବେହେରା,ପ୍ରତିମା ପଣ୍ଡା ଓ ସ୍ୱର୍ଣ୍ଣପ୍ରଭା ପ୍ରଧାନ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ବିଦ୍ୟାଳୟର କର୍ମଚାରୀ ଦେବେନ୍ଦ୍ର ମହାପାତ୍ର,ଅମରେନ୍ଦ୍ର ରାଉତ,ରମାକାନ୍ତ ଜେନା ଓ ସ୍ମରଜିତ୍ ମହାନ୍ତି ଏଥିରେ ସହାୟତା କରିଥିଲେ । ଶେଷରେ ଶିକ୍ଷକ ସମରେନ୍ଦ୍ରନାଥ ମିଶ୍ର ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Report- Ramesh Nayak

Related Posts

About The Author

Add Comment