ସ୍ୱତନ୍ତ୍ର ଲୋକ ଅଦାଲତରେ ୧୭ଟି ମାମଲାର ସମାଧାନ, ୭୪ ଲକ୍ଷ ୯୬ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ

Spread the love

ଯାଜପୁର, : ୨୩/୧୧/୨୬ (ସନ୍ଧାନ ନ୍ୟୁଜ) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ପକ୍ଷରୁ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦଙ୍କ ତତ୍ତ୍ୱାବଧାନରେ ଆଜି ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱତନ୍ତ୍ର ଲୋକ ଅଦାଲତରେ ନେଗୋସିଏବଲ୍ ଇନଷ୍ଟ୍ରୁମେଣ୍ଟସ୍ ଆକ୍ଟ (ପରିକ୍ରାମ୍ୟ ଦଲିଲ ଆଇନ) ଅନ୍ତର୍ଗତ ମୋଟ ୧୭ଟି ମାମଲାର ଆପୋଷ ସମାଧାନ କରାଯାଇଥିବାବେଳେ ମୋଟ ୭୪,୯୬,୦୪୨/- ଟଙ୍କା ଆଦାୟ ହୋଇଥିଲା। ଏହାଦ୍ୱାରା ମାମଲାର ପକ୍ଷଭୁକ୍ତ ବ୍ୟକ୍ତିମାନେ ଦୀର୍ଘ ଆଇନଗତ ପ୍ରକ୍ରିୟାରୁ ମୁକ୍ତି ପାଇବା ସହିତ ସମୟ ଓ ଅର୍ଥର ସଞ୍ଚୟ କରିପାରିଥିଲେ। ଏହି ସ୍ୱତନ୍ତ୍ର ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ବିଶ୍ୱେଶ୍ୱର ବିଶ୍ୱପ୍ରକାଶ ରାୟ , ଏସଡିଜେଏମ୍ ଶ୍ରୀମତୀ ସୁମିତ୍ରା ବିଶ୍ୱାଳ, ଜେଏମ୍ଏଫସି ଶ୍ରୀ ଅଂଶୁମାନ ରଥ ଏବଂ ଜେଏମ୍ଏଫସି ଶ୍ରୀମତୀ ବୀଣାପାଣି ତାଣ୍ଡି ନିଜ ନିଜ ଅଦାଲତରେ ମାମଲାଗୁଡ଼ିକର ବିଚାର ଓ ସମାଧାନ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଲିପା ମହାନ୍ତି ଏହି ସ୍ୱତନ୍ତ୍ର ଲୋକ ଅଦାଲତର ସଫଳ ଆୟୋଜନ ନିମନ୍ତେ ଆବଶ୍ୟକୀୟ ସମନ୍ୱୟ ଓ ସହଯୋଗ ପ୍ରଦାନ କରିଥିଲେ। ଏହି ଅବସରରେ ସେ ସାଧାରଣ ଜନତାଙ୍କୁ ଲୋକ ଅଦାଲତର ସୁବିଧାର ସଦୁପଯୋଗ କରି ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ଶୀଘ୍ର ଓ ସ୍ଥାୟୀ ସମାଧାନ କରିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ, ଲୋକ ଅଦାଲତ ଏକ ସରଳ, ଶୀଘ୍ର, ନିଃଶୁଳ୍କ ଓ ପ୍ରଭାବଶାଳୀ ବିବାଦ ସମାଧାନ ବ୍ୟବସ୍ଥା। ଏହା ମାଧ୍ୟମରେ ମାମଲାର ପକ୍ଷଭୁକ୍ତ ବ୍ୟକ୍ତିମାନେ ପରସ୍ପରର ସହମତିରେ ବିବାଦର ସମାଧାନ କରି ଦୀର୍ଘ ନ୍ୟାୟିକ ପ୍ରକ୍ରିୟାରୁ ମୁକ୍ତି ପାଇପାରୁଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଦିନ ତାଲୁକ ଆଇନ ସେବା କମିଟି, ଚଣ୍ଡିଖୋଲ ଏବଂ ଯାଜପୁର ରୋଡରେ ମଧ୍ୟ ସ୍ୱତନ୍ତ୍ର ଲୋକ ଅଦାଲତ ଆୟୋଜିତ ହୋଇଥିଲା।

Related Posts

About The Author

Add Comment