ଭଦ୍ରକ, ୧୯/୧୧ (ସନ୍ଧାନ ନିଉଜ) : ବିଶ୍ୱ ପାଇଖାନା ଦିବସ ଅବସରରେ ମହିଳା ଜଳମଂଚର ସଦସ୍ୟାମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ବିଶ୍ୱଶୌଚାଳୟ ଦିବସ ସମାବେଶ ଓ ଆଲୋଚନା ଚକ୍ର ଭଦ୍ରକ ସଂସ୍କୃତି ଭବନ ଠାରେ ପ୍ରଗତି ଯୁବକସଂଘ ଓ ୱଟରହେଡ଼୍ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ପାଇଖାନା ଦିବସ ଏକ ଜାତିସଂଘ ଅନୁମୋଦିତ ଦିବସ ଭାବରେ ୨୦୧୩ ମସିହାରୁ ପ୍ରତିବର୍ଷ ନଭେମ୍ବର ୧୯ ତାରିଖରେ ସାରାବିଶ୍ୱରେ ପାଳିତ ହୋଇଆସୁଅଛି । ଜନଜାଗରଣ ସୃଷ୍ଟି କରିବା ସହିତ ସମାଜରେ ଥିବା ଅବହେଳିତ ବର୍ଗର ଲୋକମାନଙ୍କ ପାଖରେ ଶୌଚାଳୟର ସୁବିଧା ନଥିଲେ ସେମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଏତଦ୍ବ୍ୟତିତ ଜାତିସଂଘ ଦ୍ୱାରା ସ୍ଥିରିକୃତ ହୋଇଥିବା ସ୍ଥାୟୀ ବିକାଶ ଲକ୍ଷ୍ୟ -୬ ଯାହାକି ସମସ୍ତଙ୍କ ପାଇଁ ସବୁସ୍ଥାନରେ ଉନ୍ନତ ପରିମଳ ବ୍ୟବସ୍ଥା ଓ ବିଶୁଦ୍ଧ ପାନୀୟ ଜଳ ୨୦୩୦ ମସିହା ସୁଧା ଯୋଗାଇଦେବାର ପ୍ରତିଶ୍ରୁତିକୁ ତ୍ୱାରାନିତ କରିବା । ଅନୁଷ୍ଠିତ ସମାବେଶଟିକୁ ଭଦ୍ରକ ଜିଲ୍ଲାର ଅତିରିକ୍ତ ଜିଲ୍ଳାପାଳ ଶ୍ରୀଯୁକ୍ତ ଶ୍ୟାମାଭକ୍ତ ମିଶ୍ର ଓ ପିଡ଼ିଡ଼ିଆରଡ଼ିଏ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ହରେନ୍ଦ୍ର କୁମାର ଦେହୁରି , ପୂର୍ବତନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପଦ୍ମନ କୁମାର ରାୟ ଜିଲ୍ଲା ଆଇନସେବା ପ୍ରାଧୀକରଣର ସଚିବ ଶ୍ରୀମତୀ ଅପର୍ଣ୍ଣା ମହାପାତ୍ର , ଏସ୍ଡ଼ିଓ ଆରଡ଼ବ୍ଲୁଏସଏସ ଲଳିତ ମୋହନ ମହାନ୍ତି ପ୍ରମୁଖ ଯୋଗଦେଇ ଆମ ଜିଲ୍ଲାକୁ ଏକ ସ୍ୱଚ୍ଛ ଓ ବାହ୍ୟମଳମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ନିଆଯାଇଥିବା ପ୍ରୟାସକୁ ସଫଳ କରିବା ଉଦ୍ଦେଶ୍ୟରେ ସହଯୋଗର ହାତ ବଢାଇବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଜିଲ୍ଲା ମହିଳା ଜଳମଂଚ ପକ୍ଷରୁ ମହିଳା ମାନଙ୍କ ପାଇଁ ସବୁସ୍ଥାନରେ ଯଥା – ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର, ଡ଼ାକ୍ତରଖାନା, ବ୍ୟାଙ୍କ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟରେ ଶୌଚାଳୟ ବ୍ୟବସ୍ଥା କରିବା ସହିତ ଭିନ୍ନକ୍ଷମ ଲୋକମାନଙ୍କୁ ସୁଗମ୍ୟ ଶୌଚାଳୟ ବ୍ୟବସ୍ଥା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କରିବା ପାଇଁ ଏକ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରଗତି ଯୁବକ ସଂଘ ପକ୍ଷରୁ ବିଶ୍ମିତା ଜେନା ସଂଯୋଜନା କରିଥିବା ବେଳେ ପ୍ରଗତି ଯୁବକସଂଘର ସଂପାଦକ ଦେବବ୍ରତ ଦାସ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ କହିଥିଲେ । ପ୍ରଗତି ଯୁବକ ସଂଘର ସ୍ୱେଚ୍ଛାସେବୀ ନରେଶ ରାଉତ, ସୁଭଦର୍ଶନୀ ପଣ୍ଡା, ସୀମାରାଣୀ ସାହୁ, ନଗେନ ମିଶ୍ର, ଦେବାଶିଷ ପାଢୀ, ତପସିନୀ ରାଉତ, ମମତା ମଲ୍ଲିକ, ବିମଳା ମହାଳିକ ପ୍ରମୁଖ ସହଯୋଗ କରିଥିଲେ ।
ବିଶ୍ୱ ପାଇଖାନା ଦିବସ : ମହିଳା ଜଳମଂଚର ଜିଲ୍ଲାସ୍ତରୀୟ ସମାବେଶ
|
November 19, 2019 |
