ନୀଳଗିରି, 10.02.2021 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ଧୋବଶିଳା ପଞ୍ଚାୟତ ଅନ୍ଧାରିସାହିରେ ଅଙ୍ଗନବାଡି କେନ୍ଦ୍ରକୁ ନେଇ ଆଜି ଗ୍ରାମବାସୀ ଉପଜିଲ୍ଲାପାଳ ଓ ବିଡ଼ିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଅନ୍ଧାରିସାହିରେ ୫୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ବସବାସ କରୁଥିବା ବେଳେ ୧୦୦ ଶିଶୁ ମଧ୍ୟ ରହିଛନ୍ତି। ଅନ୍ଧାରିସାହି ଓ ବଗିଚାସାହିକୁ ନେଇ ଏକ ଅଙ୍ଗନବାଡ଼ି କେନ୍ଦ୍ର ଖୋଳିବାକୁ ସରକାର ଅନୁମତି ଦେଇଛନ୍ତି। ରାଜସ୍ୱବିଭାଗ ତରଫରୁ ଜାଗା ଚିହ୍ନଟ ପରେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି କିଛି ଗ୍ରାମବାସୀମାନେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ସହାୟତାରେ ଏହାକୁ ବଗିଚାସାହିରେ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଇଥିଲେ। ଘଟଣାକୁ ନେଇ ଗାଁରେ ଅଶାନ୍ତି ଲାଗି ରହିଥିବା ଜଣାପଡିଛି। ଆଜି ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟଙ୍କୁ ନେଇ ଶତାଧିକ ଗ୍ରାମବାସୀ କୁନିକୁନି ପିଲାମାନଙ୍କୁ ଧରି ନୀଳଗିରି ଉପଜିଲ୍ଲାପାଳ ଓ ବିଡ଼ିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କିଛି ନ୍ୟସ୍ତସ୍ଵାର୍ଥ ବ୍ୟକ୍ତି ଗାଁରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଥିବା ଅଭିଯୋଗ ଉଠାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।