ଗର୍ଭଣା ସଂକ୍ରାନ୍ତି: ଶସ୍ୟ ଯେବେ ଗର୍ଭ ଧାରଣ କରେ ..

Spread the love

“ଆଗେ ବୁଣୁ ପଛେ ବୁଣୁ,ଗର୍ଭଣାକୁ ଟୁଣୁଟୁଣୁ”
ଭାରତ ବର୍ଷରେ ବିଭିନ୍ନ ପର୍ବପର୍ବାଣି ଗୁଡ଼ିକ ଋତୁ, ଧର୍ମ ଏବଂ ସାମାଜିକ ଭିତ୍ତିରେ ପାଳନ କରାଯାଏ।ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧିୟ ହୋଇଥାଏ।ରାଜ୍ୟ ତଥା ପ୍ରାନ୍ତକୁ ନେଇ ଭିନ୍ନଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ନାମରେ ତଥା ସମୟରେ ଅନେକ ପର୍ବ ପାଳନ ହୋଇଥାଏ।ଓଡ଼ିଶାରେ କୁହାଯାଏ ୧୨ ମାସରେ ୧୩ ପର୍ବ।ତନ୍ମଧ୍ୟରୁ ଗର୍ଭଣା ସଂକ୍ରାନ୍ତି ଅନ୍ୟତମ।ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି।ଗର୍ଭଣା ସଂକ୍ରାନ୍ତିକୁ ତୁଳା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ।ଏହି ଦିନ ସୂର୍ଯ୍ୟ ତୁଳା ରାଶିକୁ ଗମନ କରିଥାଆନ୍ତି।ଇଂରାଜୀ ମାସ ଅକ୍ଟୋବର ମାସରେ ପଡ଼େ ଏହି ସଂକ୍ରାନ୍ତି।ଗର୍ଭ ଅର୍ଥାତ୍ ଭୃଣ।ଏହି ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ।ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ବିଶ୍ୱାସ ରହିଛି।ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କୁହାଯାଏ।ଚାଷୀମାନେ ଏହି ଦିନଟିକୁ ନିଷ୍ଠାର ସହିତ ପାଳନ କରନ୍ତି।ଗୃହ ମାଲିକ ତଥା କୃଷକ ସ୍ନାନାଦି କର୍ମ ସାରି ଗର୍ଭଣା ଗଛର ଡାଳ ଆଣି ବିଧି ପୂର୍ବକ ପୂଜାର୍ଚ୍ଚନା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି।ଜମିରେ ଖିରି ପ୍ରସ୍ତୁତ କରି ପୂଜା କରନ୍ତି।କେତେକ ସ୍ଥାନରେ ଘରେ ତିଆରି ହୋଇଥିବା ପିଠାକୁ ନେଇ ଚାଷ ଜମିରେ ପୋତି ପୂଜା କରନ୍ତି।ଗର୍ଭଣା ସଂକ୍ରାନ୍ତି ଉପରେ ଓଡ଼ିଆ ଗାଉଁଲି ଭାଷାରେ ଏକ ପ୍ରଚଳିତ କୃଷି ବଚନ ଅଛି “ଆଗେ ବୁଣୁ ପଛେ ବୁଣୁ,ଗର୍ଭଣାକୁ ଟୁଣୁଟୁଣୁ”।
Report- ଦେବଦତ୍ତ ରଥ

Related Posts

About The Author

Add Comment