ସମ୍ବଲପୁର (ସନ୍ଧାନ ନ୍ୟୁଜ/ହେମନ୍ତ ଭଇଁଷା): ସରକାର ସମସ୍ତଙ୍କୁ ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଡିଣ୍ଡିମ ପିଟୁଥିବା ବେଳେ ଜମନକିରାରେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବାର ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଦୀର୍ଘ ମାସ ଧରି ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଅଭାବ ଯୋଗୁଁ ଜମନକିରା ବ୍ଲକ ସଦର ମହକୁମାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର) ଏବେ ଅବ୍ୟବସ୍ଥାର ଶିକାର ହୋଇଛି। ଏପରିକି ହେଲ୍ଥ ୱାର୍କରଙ୍କ ଦ୍ୱାରା ରୋଗୀଙ୍କୁ ଚିକିତ୍ସା ଓ ଔଷଧ ବିତରଣ କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି।ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ସୀମାନ୍ତ ଅଞ୍ଚଳ ସହ ଯୋଗାଯୋଗର ଏକ ପ୍ରମୁଖ କେନ୍ଦ୍ର ହେଉଛି ଜମନକିରା। ଏଠାକୁ ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଶହ ଶହ ଲୋକ ସରକାରୀ କାର୍ଯ୍ୟାଳୟ, ତହସିଲ, ବ୍ୟାଙ୍କ ଓ ଅନ୍ୟାନ୍ୟ କାମରେ ଆସିଥାନ୍ତି। ତେଣୁ ଏଠାକାର ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଲୋକଙ୍କ ସମେତ ଦୂରଦୂରାନ୍ତର ରୋଗୀ ଓ ଯାତ୍ରୀମାନେ ମଧ୍ୟ ନିର୍ଭର କରିଥାନ୍ତି। କିନ୍ତୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ଧରି ନିୟମିତ ଏମ୍ବିବିଏସ୍ ଡାକ୍ତର ଓ ଫାର୍ମାସିଷ୍ଟ ନଥିବା ଯୋଗୁଁ ରୋଗୀସେବା ବାଧାପ୍ରାପ୍ତ ହେଉଛି।ଅଭିଯୋଗ ଅନୁଯାୟୀ, ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନେ ଦୀର୍ଘ ସମୟ ଅପେକ୍ଷା କରୁଥିଲେ ମଧ୍ୟ ଚିକିତ୍ସା ପାଇଁ ନିୟମିତ ଡାକ୍ତର ଉପଲବ୍ଧ ହେଉନାହାନ୍ତି। ଅନ୍ୟପଟେ ଜଣେ ହେଲ୍ଥ ୱାର୍କର ରୋଗୀଙ୍କୁ ପରୀକ୍ଷା କରିବା ସହ ପ୍ରେସକ୍ରିପସନ୍ ଲେଖି ଔଷଧ ବିତରଣ କରୁଥିବା ଅଭିଯୋଗ ଉଠିଛି। ଏହା ରୋଗୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଅଭାବରେ ଗରିବ ଓ ଅସହାୟ ରୋଗୀମାନେ ବାଧ୍ୟ ହୋଇ ଦୂର ସହରର ଘରୋଇ କ୍ଲିନିକ୍ ଓ ନର୍ସିଂହୋମ୍କୁ ଯାଇ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ଜନପ୍ରତିନିଧି ଓ ବୁଦ୍ଧିଜୀବୀମାନେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନୀଳମାଧବ ଶତପଥୀ ଏବଂ ଫସିମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ଡା. ହରିଶ୍ଚନ୍ଦ୍ର ବାଘଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ସମସ୍ୟାର ତୁରନ୍ତ ସମାଧାନ ଓ ଡାକ୍ତର ନିଯୁକ୍ତି ନେଇ ଠୋସ୍ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଅଧିକାରୀଙ୍କ ପ୍ରତିକ୍ରିୟା ମଧ୍ୟ ଜନସାଧାରଣଙ୍କ ଅସନ୍ତୋଷକୁ ଦୂର କରିପାରିନାହିଁ। ଏଭଳି ସ୍ଥିତିରେ ଜମନକିରା ସ୍ୱାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ନିୟମିତ ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି ସହ ରୋଗୀସେବା ବ୍ୟବସ୍ଥାକୁ ସ୍ୱାଭାବିକ କରିବାକୁ ଦାବି ଜୋର୍ ଧରିଛି। ଯଦି ଖୁବ୍ଶୀଘ୍ର ସମସ୍ୟାର ସମାଧାନ କରାନଯାଏ, ତେବେ ଜମନକିରାବାସୀ ଏକଜୁଟ ହୋଇ ରାଜରାସ୍ତା ଅବରୋଧ କରିବା ସହ ସିଡିଏମଓ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।
୭ ମାସ ହେଲା ଡାକ୍ତର ଓ ଫାର୍ମାସିଷ୍ଟ ନାହାନ୍ତି, ହେଲ୍ଥ ୱାର୍କରଙ୍କ ଭରସାରେ ଜମନକିରା ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ନିଯୁକ୍ତି ଦାବିରେ ତେଜିଲା ଜନ ଅସନ୍ତୋଷ, ରାସ୍ତାରୋକ ଓ ସିଡିଏମଓ କାର୍ଯ୍ୟାଳୟ ଘେରାଉ ଚେତାବନୀ
|
November 3, 2026 |



