ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଅବସରରେ ଉତ୍ତେଜନା : ପୁଲିସ ଗାଡ଼ି ଅଟକ, ୩ ଘଣ୍ଟା ରାସ୍ତା ଅବରୋଧ

Spread the love

ଭୋଗରାଇ31/10 (ସନ୍ଧାନ ନ୍ୟୁଜ୍) :-  ମହାପୁରୁଷ ମହମ୍ମଦଙ୍କ ଜନ୍ମ ଦିବସ ଉତ୍ସବ ପାଳନ ଅବସରରେ ପୁଲିସର ଭୂମିକାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ପୁଲିସ ଅଧିକାରୀ ଦ୍ବିତୀୟ ଗୋଷ୍ଠୀ ପାଖରୁ ଲାଞ୍ଚ ନେଇ ଶୋଭାଯାତ୍ରା ବାହାର କରିବାକୁ ଅନୁମତି ଦେଇଥିବା ଅଭିଯୋଗ କରି ପ୍ରଥମ ଗୋଷ୍ଠୀ ପକ୍ଷରୁ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ପୁଲିସ ଗାଡିକୁ ଅଟକାଇ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟାୟାର ଜାଳି ପ୍ରାୟ ୩ ଘଣ୍ଟା ରାସ୍ତା ଅବରୋଧ କରିଥିଲେ । ଥାନା ଆଇଆଇସି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମାଧାନ କରିବା ପରେ ରାସ୍ତା ଅବରୋଧ ହଟିଥିଲା । ଏପରି ଘଟଣା ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅଧୀନ ପିଠାପୁର ବସ୍ତିରେ ଦେଖୁବାକୁ ମିଳିଥିଲା । ଅଭିଯୋଗ ମୁତାବକ, ରସଲପୁର ପଞ୍ଚାୟତ ଅନ୍ତର୍ଗତ ପିଠାପୁର ବସ୍ତିରେ ଦୁଇଟି ମସଜିଦ ରହିଥିଲା ବେଳେ କରୋନା କଟକଣା ମଧ୍ୟରେ ଦୁଇ ଗୋଷ୍ଠୀଙ୍କୁ ପୃଥକ୍ ଭାବେ ମହମ୍ମଦଙ୍କ ଜୟନ୍ତୀ ପାଳନ କରିବାକୁ ଅନୁମତି ମିଳିଥିଲା । ଭୋଗରାଇ ହାଟ-ପଥରଘଟା ମୁଖ୍ୟ ରାସ୍ତାରେ ଉଭୟ ଗୋଷ୍ଠୀଙ୍କ ଶୋଭାଯାତ୍ରାକୁ ନିଷିଦ୍ଧ କରାଯାଇଥିଲା । କେବଳ ମସଜିଦ ସ୍ଥଳରେ ବିରକ୍ଷା ନିମନ୍ତେ ଉତ୍ସବ ଆୟୋଜନ କରିବାକୁ ପୁଲିସ ପକ୍ଷରୁ ଅନୁମତି ଦିଆଯାଇଥିଲା । ପ୍ରଥମ ଗୋଷ୍ଠୀକୁ ପୂର୍ବାହ୍ନ ଓ ଦ୍ବିତୀୟ ଗୋଷ୍ଠୀକୁ ଅପରାହ୍ନ ୪ରୁ ୬ଟା ମଧ୍ୟରେ ଉତ୍ସବ ପାଳନ କରିବାକୁ କୁହାଯାଇଥିଲା । ପୁଲିସର ନିର୍ଦ୍ଦେଶ ମୁତାବକ ପ୍ରଥମ ଗୋଷ୍ଠୀ ପକ୍ଷରୁ ପୂର୍ବାହ୍ନରେ ମସଜିଠାରେ କେବଳ ବିଧିରକ୍ଷା ପାଇଁ ମହମ୍ମଦଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥିଲା । ଏନେଇ ସେମାନେ ମୁଖ୍ୟ ରାସ୍ତାକୁ ସେମାନଙ୍କ ଶୋଭାଯାତ୍ରା ବାହାର କରି ନଥିଲେ । ମାତ୍ର ଅପରାହ୍ନରେ ଦ୍ବିତୀୟ ଗୋଷ୍ଠୀ ପକ୍ଷରୁ ମୁଖ୍ୟ  ରାସ୍ତାକୁ ଶୋଭାଯାତ୍ରା ବାହାର କରିଥିଲେ । ଏହାକୁ ନେଇ ବିବାଦ ହୋଇଥିଲା। ଏହି ଶୋଭାଯାତ୍ରାରେ ଲକ୍ଷ୍ମୀପାଟଣା ଫାଣ୍ଡି ଅଧିକାରୀ ଲକ୍ଷ୍ମଣ ନାୟକ ଥିବା ଦେଖି ପ୍ରଥମ ଗୋଷ୍ଠୀ କୁ ଉତ୍ତେଜିତ ହୋଇ ଉଠିଥିଲେ। ପୁଲିସ ଅଧିକାରୀ ଶ୍ରୀ ନାୟକ ଦ୍ବିତୀୟ ଗୋଷ୍ଠୀଠାରୁ ଲାଞ୍ଚ କୁ ନେଇ ଶୋଭାଯାତ୍ରା ପାଇଁ ଅନୁମତି ଦେଇଥିବା ଅଭିଯୋଗ କରି ପ୍ରଥମ ଗୋଷ୍ଠୀର ଶତାଧିକ ଲୋକ ପୁଲିସ ଗାଡି ସହ ଶ୍ରୀ ନାୟକଙ୍କୁ ଅଟକ ରେ ରଖୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି ଭାଗରାଇ ହାଟ-ପଥରଘଟା ମୁଖ୍ୟ ରାସ୍ତାରେ । ଅପରାହ୍ନ ୫ଟାରୁ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଭୋଗରାଇ ଥାନା ଆଇଆଇସି ସୁଜାତା ଖମାରୀ, ଏସ୍ଆଇ ସୁବର୍ଣ୍ଣା ବେହେରା, ଏସଆଇ କୈଳାସ ଚନ୍ଦ୍ର ମହାଳିକ, ଏଏସଆଇ ଭାଗ୍ୟଜିତ ନାୟକ, ହାବିଲଦାର ନଳିନୀ ପଣ୍ଡା ପ୍ରମୁଖ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ପରେ ଉଭୟ ଗୋଷ୍ଠୀର ମାହାଲଦାର ଶେଖ ଇସ୍ରାଫିର ଓ ଶେଖ ରହିମୁଦଙ୍କ ସମେତ ଅନ୍ୟ ବରିଷ୍ଠ ସଦସ୍ୟଙ୍କୁ ନେଇ ସେ ଆଲୋଚନା କରିଥିଲେ । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଭାଇଚାରା ବଜାୟ ରଖିବାକୁ ସେ କହିଥିଲେ । ଏହାପରେ ଉତ୍ତେଜନା ପ୍ରଶମିତ ହୋଇଥିଲା । ରାତି ପ୍ରାୟ ୮ଟାରେ ରାସ୍ତା ଅବରୋଧ ହଟିଥିଲା।

Related Posts

About The Author

Add Comment