ଭଦ୍ରକ, ୨୯/୧୧ (ସନ୍ଧାନ ନିଉଜ) : ନିଶା ଯୁବ ସମାଜକୁ ପଥ ଭ୍ରଷ୍ଟ କରିବା ସହ ଲକ୍ଷ୍ୟଚ୍ୟୁତ କରିଛି । ଆଜିର ଯୁବ ସମାଜ ଠାରୁ ଆରମ୍ଭ କରି ପ୍ରୌଢ ଓ ବୃଦ୍ଧ ନିଶା ଦ୍ୱାରା କବଳିତ ହେବା ଦ୍ୱାରା ଅନେକ ମାନବ ସମ୍ବଳ ନଷ୍ଟ ହେଉଛି । ଏଣୁ ନିଶା ନିବାରଣ ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ସମାଜର ପ୍ରତ୍ୟେକ ବର୍ଗ ଆଗେଇ ଆସିବା ନିତାନ୍ତ ଆବଶ୍ୟକ ବୋଲି ପଞ୍ଚମ ଜିଲ୍ଳା ସ୍ତରୀୟ ସାଂସ୍କୃତିକ ସମାରୋହ : ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ସମାଜସେବୀ ରୋଟାରିଆନ ଅତିଶ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ ପ୍ରାକ୍ତନ ବିଧାୟକ ନରେନ ପଲେଇ ମୁଖ୍ୟ ଅତିଥି, ଭଦ୍ରକର ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା ବିଶିଷ୍ଟ ଅତିଥି, ସାହିତ୍ୟିକ ଅଧ୍ୟାପକ ନାସିର ବକ୍ସ ମୁଖ୍ୟବକ୍ତା, ଡା. ଅନିଲ କୁମାର ଦାଶ, କବି ମୁକ୍ତିକାନ୍ତ ମଲ୍ଲିକ, ‘ଆମ ବ୍ୟଙ୍ଗ ପସରା’ର ସମ୍ପାଦିକା କବୟିତ୍ରୀ ବସନ୍ତ ମିଶ୍ର ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିଲେ । ‘ନିଶା କବଳରେ ଯୁବ ସମାଜ’ ଶୀର୍ଷକରେ ଅନୁଷ୍ଠିତ ଆଲୋଚନାଚକ୍ର ସଭାରେ ମହୋତ୍ସବ କମିଟିର ସଭାପତି ଇଂ ଅଭୟ ସୂତାର ସ୍ୱାଗତ ଭାଷଣ, ସମ୍ପାଦକ ରବିନାରାୟଣ ଖିଲାର ଅତିଥି ପରିଚୟ ପ୍ରଦାନ କରିଥିଲେ । ଆବାହକ ନୀହାର ରଂଜନ କର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରବି ନାରାୟଣ ପଣ୍ଡାଙ୍କ ଦ୍ୱାରା କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ନୃତ୍ୟଶିଳ୍ପୀ ଶୁଭେନ୍ଦୁ ଲେଙ୍କାଙ୍କ ସଂଚାର ଡ୍ୟାନ୍ସ ଗ୍ରୁପ ଦ୍ୱାରା ଆକର୍ଷଣୀୟ ନୃତ୍ୟ ସଂଗୀତ କାର୍ଯ୍ୟକ୍ରମ ଦର୍ଶକ ସମାଜକୁ ବିଭୋର କରିଦେଇଥିଲା । ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି, ସହସମ୍ପାଦିକା ଚୈତାଳୀ ଖିଲାର ଓ ଉଦ୍ଘୋଷିକା ରଶ୍ମିତା ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସହସମ୍ପାଦିକା ଅଞ୍ଜୁବାଳା ରାଉତ, ସଂଯୁକ୍ତା ମହାନ୍ତି, ପ୍ରଭାତ କୁମାର ଜେନା, ତପନ କୁମାର ନାୟକ (କୁଟିଆ) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ନିଶା ଯୁବ ସମାଜକୁ ପଥଭ୍ରଷ୍ଟ କରିବା ସହ ଲକ୍ଷ୍ୟଚ୍ୟୁତ କରିଛି’
|
November 29, 2019 |
