ଚୀନ-ଆମେରିକାର ବାଣିଜ୍ୟ ଯୁଦ୍ଧରୁ ଭାରତକୁ ଫାଇଦା

Spread the love

ନୂଆଦିଲ୍ଲୀ, ୧୨/୦୭ (ସନ୍ଧାନ ନିୟୁଜ): ଚୀନ୍‍ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧରେ ଭାରତକୁ ଫାଇଦା ମିଳିବା ସମ୍ଭାବନା ସୃଷ୍ଟି ହୋଇଛି। ଏହି ସୁଯୋଗରେ ଭାରତର ଔଷଧ ଶିଳ୍ପ ସର୍ବାଧିକ ଲାଭବାନ ହେବାକୁ ଯାଉଥିବା ଜଣାପଡ଼ିଛି। ଚୀନ୍‍କୁ ଜେନେରିକ୍‍ ଡ୍ରଗ୍ସ, ସଫ୍ଟୱେର, ଚିନି ଓ କେତେକ ସ୍ୱତନ୍ତ୍ର ଚାଉଳ ରପ୍ତାନି କରିବା ପାଇଁ ଭାରତ ପ୍ରସ୍ତୁତ ହେଉଛି। ପୂର୍ବରୁ ଚୀନର ସେହିସବୁ ଚାହିଦା ଆମେରିକା ଦ୍ୱାରା ପୂରଣ ହେଉଥିଲା। କିନ୍ତୁ ଏବେ ଚୀନ୍‍-ଆମେରିକା ବାଣିଜ୍ୟ ଯୁଦ୍ଧ ପରେ ଆମେରିକା ସେହି ସବୁ ଦ୍ରବ୍ୟର ରପ୍ତାନି ବନ୍ଦ କରି ଦେଇଛି। ଏହି ସୁଯୋଗରେ ଭାରତ ଚୀନ୍‍ରେ ଆମେରିକାର ବଜାର ଅଂଶ ଦଖଲ କରିବାକୁ ଉଦ୍ୟମ କରୁଛି। ବିଧିବଦ୍ଧ ଭାବେ ଚୁକ୍ତି ସ୍ୱାକ୍ଷରିତ ହୋଇ ନଥିଲେ ମଧ୍ୟ ଚୀନ୍‍ ଭାରତରୁ ଔଷଧ ଆମଦାନି ପାଇଁ ସବୁଜ ସଙ୍କେତ ଦେଇଥିବା ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଭାରତୀୟ ଅଧିକାରୀ କହିଛନ୍ତି। କେବଳ ସେତିକି ନୁହେଁ ଚୀନ୍‍ ବଜାରରେ କାରବାର ପାଇଁ ଭାରତୀୟ ଔଷଧ ନିର୍ମାତା କମ୍ପାନୀର କର୍ମଚାରୀଙ୍କୁ ଚୀନ୍‍ ତାଲିମ୍‍ ଦେବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଜେନେରିକ୍‍ ଔଷଧ ଉତ୍ପାଦନ ଓ ବିକ୍ରିରେ ଭାରତ ବିଶ୍ୱରେ ଆଧିପତ୍ୟ ଜାହିର କରି ଆସିଛି। ୨୦୧୭-୧୮ରେ ଆମେରିକା ଓ ୟୁରୋପୀୟ ସଂଘକୁ ଭାରତ ୧୭.୩ ବିଲିୟନ୍‍ ଡଲାରର ଜେନେରିକ୍‍ ଔଷଧ ରପ୍ତାନି କରିଥିଲା। ଅପରପକ୍ଷରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‍ ଜେନେରିକ୍‍ ଔଷଧ ବଜାର କୁହାଯାଉଥିବା ଚୀନ୍‍କୁ ଭାରତର ରପ୍ତାନି ପରିମାଣ ମାତ୍ର ୧% ଥିଲା।
ଗତ ମେ’ ମାସରେ ଭାରତରେ ତିଆରି ୨୮ଟି ଔଷଧ ଉପରୁ ଚୀନ୍‍ ଆମଦାନୀ ଶୁଳ୍କ ଉଚ୍ଛେଦ କରିଛି। ଭାରତରେ ପ୍ରସ୍ତୁତ ୨୫୦ଟି ଔଷଧ ଚୀନ୍‍କୁ ରପ୍ତାନି ପାଇଁ ଅପେକ୍ଷାରେ ରହିଥିବା ବେଳେ ସେ ସମ୍ପର୍କିତ ଆବେଦନ ଚୀନର ଖାଦ୍ୟ ଓ ଔଷଧ ନିୟାମକ କର୍ତ୍ତୃପକ୍ଷଙ୍କ ନିକଟରେ ବିଚାରାଧୀନ ରହିଛି। ସାମ୍ପ୍ରତିକ ସ୍ଥିତିରେ ଚୀନର ସକାରାତ୍ମକ ଆଭିମୁଖ୍ୟ ପରିପ୍ରେକ୍ଷୀରେ ଔଷଧ ଶିଳ୍ପର ରପ୍ତାନି କ୍ଷେତ୍ରରେ ଅଭିବୃଦ୍ଧି ସମ୍ଭାବନା ରହିଛି। ଆବେଦନ କରିବାର ୬ ମାସ ମଧ୍ୟରେ ଚୀନ୍‍କୁ ଔଷଧ ରପ୍ତାନି ପାଇଁ ଅନୁମତି ମିଳିପାରିବ ବୋଲି ଭାରତୀୟ ଔଷଧ ଶିଳ୍ପ ରପ୍ତାନି ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦୀନେଶ ଦୁଆ କହିଛନ୍ତି।

Related Posts

About The Author

Add Comment