ଯାଜପୁର ୫/୧୦/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ବ୍ଲକ ଝାଲପଡା ପଞ୍ଚାୟତରେ ବିଭିନ୍ନ ଯୋଜନାରେ ହୋଇଥିବା କାର୍ୟ୍ୟ ଓ ଅର୍ଥ ଖର୍ଚ୍ଚକୁ ନେଇ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଆଜି ଅପରାହ୍ନରେ ପଂଚାୟତର କାକୁଡିକୁଦ ଗ୍ରାମ ସତ୍ୟସାଇ ଖେଳ ପଡିଆ ଠାରେ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଭିନ୍ନ ଅଭିଯୋଗର ତଦନ୍ତ ଦାବି କରିଛନ୍ତି । ଅଭିଯୋଗ ଅନୁଯାୟୀ,ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ କ୍ରୟ ଓ ସ୍ଥାପନ ସମ୍ବନ୍ଧୀୟ ବିଲ୍ ଓ ଭାଉଚର୍ରେ ଅନିୟମିତତା ହୋଇଛି । କେତେ ସଂଖ୍ୟକ ଲାଇଟ୍ କିଣାଯାଇଛି, କେଉଁ କେଉଁ ସ୍ଥାନରେ ସ୍ଥାପନ କରାଯାଇଛି ଏବଂ ଏ ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି, ତାହାର ଯାଞ୍ଚ କରିବାକୁ ଦାବି କରିଛନ୍ତି। ସେହିପରି ହରିଶ୍ଚନ୍ଦ୍ର ଯୋଜନାରେ ମୃତ ବ୍ୟକ୍ତିଙ୍କ ନାମରେ ଆସିଥିବା ସହାୟତା ରାଶି ସମ୍ପୃକ୍ତ ପରିବାରକୁ ପ୍ରଦାନ ନକରି ଲକ୍ଷାଧିକ ଟଙ୍କା ହେରଫେର ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମନରେଗା ଯୋଜନାରେ ପ୍ରକୃତରେ କାମ ହୋଇ ନ ଥିବା ସତ୍ତ୍ୱେ ଲକ୍ଷାଧିକ ଟଙ୍କାର ବିଲ୍ କରାଯାଇଛି । ସେହିପରି ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଉଠାଯାଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ପଞ୍ଚାୟତ କାର୍ୟ୍ୟାଳୟ ନିୟମିତ ଭାବେ ଖୋଲା ଯାଉ ନ ଥିବା ବେଳେ ଲୋକେ ଉପଯୁକ୍ତ ସେବା ପାଇବାରୁ ବଂଚିତ ରହୁଛନ୍ତି । ଏଡିଇଓ ଅଜୟ କୁମାର ଜେନା କାର୍ଯ୍ୟାଳୟ ଆସୁ ନଥିବା ବେଳେ ତାଙ୍କ ଉପସ୍ଥାନ ରେଜିଷ୍ଟର ସହ ପଞ୍ଚାୟତ କାର୍ୟ୍ୟାଳୟର ବିଭିନ୍ନ ରେକର୍ଡ ଯାଞ୍ଚ କରିବାକୁ ଦାବି କରିଛନ୍ତି। ଏଥିସହ ପଞ୍ଚାୟତ ବୈଠକ ନକରି ବିଭିନ୍ନ କାର୍ୟ୍ୟ କରାଯାଉ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ପଞ୍ଚାୟତ ବୈଠକର ନୋଟିସ୍, ଉପସ୍ଥାନ ରେଜିଷ୍ଟର ଓ ରିଜୋଲେସନ୍ ଯାଞ୍ଚ କରିବାକୁ ଦାବି କରିଛନ୍ତି। ଗ୍ରାମ ସଭାରେ ଆବଶ୍ୟକ ଅନୁମୋଦନ ନନେଇ ପ୍ରକଳ୍ପ ନିର୍ମାଣ କରାଯାଉଥିବା ନେଇ ପ୍ରଶ୍ନ ଉଠାଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ଝାଲପଡା ପଞ୍ଚାୟତରେ ବିଭିନ୍ନ ଯୋଜନାରେ ହୋଇଥିବା ସମସ୍ତ ପ୍ରକଳ୍ପ,ଏହାର ଅନୁମୋଦିତ ଅର୍ଥ,ଖର୍ଚ୍ଚ ହୋଇଥିବା ରାଶି,କାର୍ୟ୍ୟର ଅଗ୍ରଗତି ଓ ବାସ୍ତବ ସ୍ଥିତିର ଯାଞ୍ଚ କରାଯାଇ ଏହାକୁ ସାଧାରଣ ଲୋକଙ୍କ ସମ୍ମୁଖରେ ପ୍ରକାଶ କରିବାକୁ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଗ୍ରାମର ରାଜେଶ କୁମାର ଜେନା, ସାଗର ସାହୁ, ବିକ୍ରମ କିଶୋର ଜେନା, ବଳରାମ ସାହୁ, ରମାକାନ୍ତ ଜେନା, ଶ୍ରୀଧର ରଣା, ପବିତ୍ର ସାହୁ, ଅନିଲ କୁମାର ଦାସ, ସୌମ୍ୟ ପ୍ରକାଶ ଜେନା, ଶୁଭ୍ରାଂଶୁ ଶେଖର ସାହୁ, ଶଶିକାନ୍ତ ସାହୁ, ରାଜେନ୍ଦ୍ର ସାହୁ, ସଞ୍ଜୟ ପତିଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ଉଠାଇଥିଲେ।
ଝାଲପଡା ପଞ୍ଚାୟତରେ ଦୁର୍ନୀତି ଅଭିଯୋଗ,ସାମ୍ବାଦିକ ସମ୍ମିଳନୀ କଲେ ଗ୍ରାମବାସୀ
|
October 5, 2026 |



