ଜେନାପୁର /୨୩/୫(ସନ୍ଧାନ ନ୍ୟୁଜ )ଏବେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପାରଦ ବଢ଼ିବା ସହ ଅସହ୍ୟ ଗରମରେ ଜନଜୀବନ ଦୁର୍ବିଷହ ହୋଇପଡ଼ିଥିବା ବେଳେ ଯାଜପୁର ଜିଲ୍ଲା କବାଟବନ୍ଧ-ବଳରାମପୁର ବିଦ୍ୟୁତ ସେକ୍ସନ ଅଧୀନରେ ଥିବା ଫିଡରରେ ଅଘୋଷିତ ବିଦ୍ୟୁତ କାଟ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି।
ସୂଚନା ଅନୁଯାୟୀ, ଏହି ଫିଡର ଉପରେ ଧର୍ମଶାଳା ବ୍ଲକର ବହୁ ପଞ୍ଚାୟତ ନିର୍ଭର କରିଥାନ୍ତି। କିନ୍ତୁ ବିଦ୍ୟୁତ ବିଭାଗର ଖାମଖିଆଲି ମନଭାବ ଯୋଗୁ ଏଠାରେ ନିୟମିତ ଭାବେ ଅଘୋଷିତ ବିଦ୍ୟୁତ କାଟ କରାଯାଉଛି। ଦିନ ହେଉ କି ରାତି, ଯେ କୌଣସି ସମୟରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେଉଥିବାରୁ ହଜାର ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅତ୍ୟଧିକ ତାତି ଯୋଗୁ ବିଦ୍ୟୁତ ସେବା ଏବେ ଏକ ଜରୁରୀ ଆବଶ୍ୟକତା ପାଲଟିଛି। ଏଭଳି ସମୟରେ ବିଦ୍ୟୁତ କାଟ ଯୋଗୁ ଶିଶୁ, ବୃଦ୍ଧ ଓ ରୋଗୀମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। କାମ ଦିନବେଳା ହେଉଥିବା ବେଳେ ରାତିରେ ମଧ୍ୟ ବିଦ୍ୟୁତ କାଟ ସାଧାରଣଙ୍କ ନିଦ୍ରା ହରାଇଛି। ପରୀକ୍ଷା ଚାଲିଥିବା ସମୟରେ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଏନେଇ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଫୋନ୍ କଲେ ମଧ୍ୟ ସେମାନେ ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି। ବିଭାଗୀୟ ଅବହେଳା ଯୋଗୁ ଏଭଳି ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସ୍ଥାନୀୟ ଜନସାଧାରଣ ତୁରନ୍ତ ଏହି ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ସହ ନିୟମିତ ବିଦ୍ୟୁତ ଯୋଗାଣ ପାଇଁ ଦାବି କରିଛନ୍ତି।
ଯଦି ବିଦ୍ୟୁତ ବିଭାଗ ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନକରେ, ତେବେ ଜନସାଧାରଣ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।



