ଜେନାପୁର , ୨୦/୫ (ସନ୍ଧାନ ନ୍ୟୁଜ ): ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥର ବଳରାମପୁର ଛକ ନିକଟସ୍ଥ ଏକ ମୋଟର ଗ୍ୟାରେଜ ପାଲଟିଗଲା ଅଗ୍ନିକୁଣ୍ଡ। ସର୍ଟ ସର୍କିଟରୁ ସୃଷ୍ଟି ହୋଇଥିବା ନିଆଁ ଦେଖୁଦେଖୁ ଭୟଙ୍କର ରୂପ ଧାରଣ କରିଥିଲା। ଏହି ଭୟାବହ ଅଗ୍ନିକାଣ୍ଡରେ ଏକ ୬ ଚକିଆ ଡମ୍ଫର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ପାଖରେ ଥିବା ଏକ ବାଇକ୍ ଓ ସ୍କୁଟି ମଧ୍ୟ ଅଗ୍ନିର ପ୍ରକୋପରୁ ରକ୍ଷା ପାଇନାହାନ୍ତି।
ସୂଚନା ଅନୁସାରେ, ଜେନାପୁର ଥାନା ରାଇଛନ୍ଦା ପଞ୍ଚାୟତ ବାରକଣା ଗ୍ରାମର ଜଣେ ଗାଡ଼ି ମାଲିକ ନିଜର ୬ ଚକିଆ ଡମ୍ଫରଟିର କିଛି ଯାନ୍ତ୍ରିକ ମରାମତି ପାଇଁ ବଳରାମପୁର ଛକ ନିକଟରେ ଥିବା ଏହି ମୋଟର ଗ୍ୟାରେଜକୁ ଆଣିଥିଲେ। ଗ୍ୟାରେଜରେ ଗାଡ଼ିଟି ଠିଆ ହୋଇଥିବା ସମୟରେ ହଠାତ୍ କୌଣସି କାରଣବଶତଃ ଏଥିରେ ସର୍ଟ ସର୍କିଟ ହୋଇଥିଲା। କିଛି ବୁଝିବା ପୂର୍ବରୁ ଗାଡ଼ିରୁ ନିଆଁର ସ୍ପୁଲିଙ୍ଗ ବାହାରି ସମଗ୍ର ଡମ୍ଫରକୁ ନିଜ କବ୍ଜାକୁ ନେଇଯାଇଥିଲା। ନିଆଁର ପ୍ରକୋପ ଏତେ ତେଜ୍ ଥିଲା ଯେ ଗ୍ୟାରେଜ କର୍ମଚାରୀ ଓ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଲୋକେ ବାଲି ଓ ପାଣି ପକାଇ ନିଆଁକୁ ଆୟତ୍ତ କରିବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ ହେଁ, ସେହି ରୌଦ୍ରରୂପୀ ନିଆଁ ଆଗରେ ସବୁ ଉଦ୍ୟମ ଫେଲ୍ ମାରିଥିଲା।
ଘଟଣାସ୍ଥଳରେ ଚହଳ ପଡ଼ିବା ପରେ ତୁରନ୍ତ ଚଢ଼େଇଧରା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ସେବା ଦଳ ଯୁଦ୍ଧକାଳୀନ ଭିତ୍ତିରେ ଘଟଣାସ୍ଥଳରେ ପହଞ୍ଚି ନିଆଁ ସହ ଲଢ଼େଇ କରିଥିଲେ। ମାତ୍ର ସେତେବେଳକୁ କାଳରୂପୀ ନିଆଁ ଡମ୍ଫର ଗାଡ଼ିଟିକୁ କ୍ଷତବିକ୍ଷତ କରି ସମ୍ପୂର୍ଣ୍ଣ ଜାଳି ସାରିଥିଲା। ଏହି ଅଗ୍ନିକାଣ୍ଡର ଆଞ୍ଚ ଏତେ ଭୟଙ୍କର ଥିଲା ଯେ ପାଖରେ ରଖାଯାଇଥିବା ଏକ ୟାମାହା ବାଇକ୍ ଏବଂ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ମଧ୍ୟ ଏଥିରେ ଆଂଶିକ ଭାବେ ପୋଡ଼ି ନଷ୍ଟ ହୋଇଯାଇଛି। ସୌଭାଗ୍ୟବଶତଃ ଗ୍ୟାରେଜରେ ଥିବା କର୍ମଚାରୀମାନେ ସମୟ ଥାଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ଯାହାଫଳରେ ଏକ ବଡ଼ ଧରଣର ଜୀବନହାନି ଏଡ଼ାଇ ଯାଇଛି। ଏହି ଦୁର୍ଘଟଣା ଯୋଗୁଁ ଗାଡ଼ି ମାଲିକ ଓ ଗ୍ୟାରେଜ ବ୍ୟବସାୟୀ ବ୍ୟାପକ ଆର୍ଥିକ କ୍ଷତି ସହିଥିବା ଜଣାପଡ଼ିଛି।



