ବାତ୍ୟା ୟାସ: ପ୍ରଶାସନିକ ସ୍ତରରେ ଜୋରସୋରରେ ପ୍ରସ୍ତୁତି ଚାଲିଛି; ସରଞ୍ଜାମ ଯୋଗାଡରେ ଅଧିକାରୀ

Spread the love

ଭୁବନେଶ୍ୱର, 22/05 (ସନ୍ଧାନ ନିଉଜ) ବେଳ ଥାଉ ଥାଉ ସତର୍କ,ସଜାଗ ହେଲାଣି ପ୍ରଶାସନ। ସଜ ହେଲାଣି ସାଜସରଞ୍ଜାମ, ମହାମାରୀର ମହାବିପତ୍ତି ବେଳେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି। ପାରାଦୀପ ଉପକୂଳର ସମୁଦ୍ର ଅଶାନ୍ତ ହେବା ପୂର୍ବରୁ କୂଳକୁ ଫେରିଆସିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରୁଛି କୋଷ୍ଟଗାର୍ଡ। ଆଉ ଏପଟେ ସରକାରୀ ସ୍ତରରେ ବି ସ୍ଥିତି ଆକଳନର ଉଦ୍ୟମ ସହ ସମ୍ଭାବ୍ୟ ବିପତ୍ତିର ସାମ୍ନା କରିବାକୁ ଚାଲିଛି କସରତ। ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି-ଆଇଏମଡ଼ିର ଆକଳନ ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ।

ପ୍ରାକ୍ ଆକଳନ ଅନୁସାରେ ଏହା ଉତ୍ତରଓଡ଼ିଶା- ସୁନ୍ଦରବନ ମଧ୍ୟରେ ସ୍ଥଳଭାଗ ଛୁଇଁବ। ହେଲେ ଏହାର ଗତି, ବେଗ ଓ ତୀବ୍ରତା ନେଇ ସୂଚନା ଆସିନଥିଲେ ମଧ୍ୟ ଓଡ୍ରାଫ୍, ଅଗ୍ନିଶମ ଏବଂ ଏନଡ଼ିଆର୍‌ଅଫ୍‌ ଟିମକୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ପଠାଯାଉଛି। ଏପଟେ ପୋଲିସ୍ ଡିଜି ଅଭୟ ମଧ୍ୟ ବାତ୍ୟା କଟକ ଓଏମ୍ପିସ୍ଥିତ ଓଡ୍ରାଫ୍ କାର୍ଯ୍ୟାଵୟକୁ ଯାଇ ପ୍ରସ୍ତୁତିର ସମୀକ୍ଷା ସହ ମୁକାବିଲା ରଣନୀତି ପ୍ରସ୍ତୁତ କରିଛନ୍ତି।

ଏପଟେ ଓଟିଭିକୁ ଆଇଏମଡ଼ି ଡିଜିଙ୍କ ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ୟାସ୍ ପ୍ରଭାବରେ ୨୫ ତାରିଖରୁ ଓଡ଼ିଶା ଉପକୂଳ ବିଶେଷ କରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହେବ। ତେଣୁ ଜଳସଂପଦ ବିଭାଗ ମଧ୍ୟ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଖରାଦିନେ ବାତ୍ୟା ଆସୁଥିବାରୁ ବନ୍ୟା ହେବନି, କେବଳ ଫ୍ଲାସ୍ ଫ୍ଲଡ୍ ସ୍ଥିତି ଆସିପାରେ। ତେଣୁ ପ୍ରଭାବିତ ହେବାକୁ ଥିବା ୧୦ଟି ଜିଲ୍ଲାପାଇଁ ଆମେ ପ୍ରସ୍ତୁତ ଅଛୁ।

ଅପରପକ୍ଷେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲା ଓ ବ୍ଲକ୍ ସ୍ତରରେ ବି ଜୋରଦାର ଚାଲିଛି ପ୍ରସ୍ତୁତି। ବାତ୍ୟାର ରୂପରେଖ ସ୍ପଷ୍ଟ ହେବା ପରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ କିଭଳି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବ ସେନେଇ ଯୋଜନା ପ୍ରସ୍ତୁତ ହେଉଛି। ବିଶେଷ କରି ଗାଁ ଗହଳିରେ ଏବେ କରୋନା ପ୍ରକୋପ ବଢିଥିବାରୁ ଏଭଳି ସ୍ଥିତିରେ କୋଭିଡ୍ ଗାଇଡ୍ଲାଇନ୍ ମାନି ଉଦ୍ଧାରକାର୍ଯ୍ୟ ଉପରେ ଫୋକସ୍ ଦିଆଯାଉଛି।

Related Posts

About The Author

Add Comment