ଜେନାପୁର ୨୦/୦୩ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ନେତାଜୀ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଚଢେଇଧରା ତଳ ଛକସ୍ଥିତ ହିଙ୍ଗୁଳା ପୀଠ ପରିସରରେ ସମ୍ବାଦ ଓ ସାମ୍ବାଦିକତା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ବିଶ୍ୱନାଥ ସାମଲ ଅତିଥି ରୂପେ ଯୋଗଦେଇ ସାମ୍ବାଦିକତା ଏକ ବୃତି ନୁହେଁ, ଏହା ଏକ ବ୍ରତ । ତେଣୁ ଦୃଢ ସଂକଳ୍ପବଦ୍ଧ ହୋଇ ନିର୍ଭିକ ଓ ନିରପେକ୍ଷ ଭାବେ ଦକ୍ଷତାର ସହିତ ତୃଣମୂଳ ସ୍ତରରୁ ସାଧାରଣ ଲୋକଙ୍କ ସମସ୍ୟା, ଦୁର୍ନୀତି ଓ ଅଭିଯୋଗ ସମ୍ବଳିତ ସ୍ୱରକୁ ସଂଗ୍ରହ କରି ତାହାକୁ ସଠିକ ଢଙ୍ଗରେ ସମୀକ୍ଷା କରିବା ସଂଙ୍ଗେ ସଂଙ୍ଗେ ବିଭିନ୍ନ ଗଣମାଧ୍ୟମ ଜରିଆରେ ସରକାରଙ୍କ ଦୃଷ୍ଟିଆକର୍ଷଣ କରିପାରିଲେ ତାହାହିଁ ହେବ ପ୍ରକୃତ ସାମ୍ବାଦିକତା ଏବଂ ଏହା ମାଧ୍ୟମରେ ସମାଜରେ ଅବିଳମ୍ବେ ପରିବର୍ତନ ହୋଇପାରିବ ବୋଲି କହିଥିଲେ । ସେପୁଣି କହିଥିଲେ ଯେ- ତଥ୍ୟବିହୀନ ଖବର,ଖବର ନୁହେଁ । ଏହାକୁ ପ୍ରାଧାନ୍ୟ ଦେଇ ସର୍ବଦା କାହା ଚାପରେ ପ୍ରାୟୋଜିତ ଖବର ଛାପିବା ପରିବର୍ତ୍ତେ ଅନୁସନ୍ଧାନଧର୍ମୀ ତଥ୍ୟଭିତିକ ଖବରକୁ ଅଗ୍ରାଧିକାର ଦିଆଯିବା ଉଚିତ୍ । ଏହା ଛଡା ସମାଜରୁ ଅପସରି ଯାଉଥିବା ପ୍ରାଚୀନ କଳା,ସଂସ୍କୃତି,ଐତିହ୍ୟ ଓ ପରମ୍ପରାକୁ ଲୋକଲୋଚନକୁ ଆଣି ସାମ୍ବାଦିକମାନେ ସମାଜର କର୍ଣ୍ଣଧାରର ଭୂମିକା ନିର୍ବାହ କରିପାରିଲେ ସମ୍ବାଦ ଓ ସାମ୍ବାଦିକତାର ପ୍ରକୃତ ମୂଲ୍ୟବୋଧ ପ୍ରତିଫଳିତ ହୋଇପାରିବ । ଏଥିପାଇଁ ପ୍ରତ୍ୟେକ ସାମ୍ବାଦିକଙ୍କୁ ପ୍ରତିଦିନ ଅଧିକରୁ ଅଧିକ ଖବର କାଗଜ ପଢିବାକୁ ହେବ । ଜଣେ ଭଲ ପାଠକ ହେଲେ ଜଣେ ଭଲ ଲେଖକ ହୋଇପାରିବ । ବିଶେଷ କରି ନେତାଜୀ ସାମ୍ବାଦିକ ସଂଘର ସଭ୍ୟମାନେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନାଦର୍ଶକୁ ଅନୁକରଣ କରି କାର୍ଯ୍ୟ କରିପାରିଲେ ସଂଘ ନାମ କରଣର ଯଥାର୍ଥତା ପ୍ରତିପାଦିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଆଲୋଚନା ଚକ୍ରରେ ସଂଘର ଉପଦେଷ୍ଟା ଶଙ୍କର ପ୍ରତାପ ଦାସ,ସଭାପତି ସୌମ୍ୟରଂଜନ ପଣ୍ଡା,ଉପସଭାପତି ଅଶୋକ କୁମାର ଦାସ,ସଂପାଦକ ବସନ୍ତ ନାୟକ,ସହ ସଂପାଦକ ସୁଶାନ୍ତ କୁମାର ଖଟୁଆ,କୋଷାଧ୍ୟକ୍ଷ ପ୍ରତାପ ସାହୁ,ସୁନୀଲ ଶତପଥୀ,ବିନୋଦ ବିହାରି ପରିଡା,ବାବୁଲି ରାଉତ,ପ୍ରଶାନ୍ତ ସାମଲ ଓ ସୁଶାନ୍ତ ଗୋଚ୍ଛାୟତ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
ନେତାଜୀ ସାମ୍ବାଦିକ ସଂଘ ପକ୍ଷରୁ ଆଲୋଚନାଚକ୍ର
|
March 20, 2020 |



