ପୋଲିଓ ମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଜିଲ୍ଲା ଟାସ୍କ ଫୋର୍ସ ବୈଠକ: ଆସନ୍ତା ୨୨ ତାରିଖରୁ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ସଘନ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ

Spread the love

ଜିଲ୍ଲାର ୧ ଲକ୍ଷ ୭୮ ହଜାରରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବାର ଲକ୍ଷ୍ୟ; ନିୟୋଜିତ ହେବେ ୩,୩୮୪ କର୍ମଚାରୀ
ଅଭିଯାନ ସମୟରେ ଖୋଲା ରହିବ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର: ଜିଲ୍ଲାପାଳ
ଯାଜପୁର,  : ୨୧/୧୧/୨୬ (ସନ୍ଧାନ ନ୍ୟୁଜ) ‘ପୋଲିଓ ମୁକ୍ତ ଭାରତ’ ଗଠନର ମହତ ଉଦ୍ଦେଶ୍ୟ ନେଇ ଆସନ୍ତା ନଭେମ୍ବର ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ସଘନ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ (IPPI) ଅନୁଷ୍ଠିତ ହେବାକୁ ଯାଉଛି। ଏହାର ସଫଳ ରୂପାୟନ ନିମନ୍ତେ ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମୋଡ୍ (VC) ମାଧ୍ୟମରେ ଏକ ଜିଲ୍ଲା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ୦ ରୁ ୫ ବର୍ଷ ବୟସ ମଧ୍ୟରେ ଥିବା ମୋଟ ୧ ଲକ୍ଷ ୭୮ ହଜାର ୪୭୮ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ, ଟିକାକରଣ ଅଭିଯାନକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲ୍ଲାରେ ସମୁଦାୟ ୮୪୬ଟି ସ୍ଥାୟୀ ପୋଲିଓ ବୁଥ୍, ୩୫ଟି ଟ୍ରାଞ୍ଜିଟ୍ ପଏଣ୍ଟ ଏବଂ ୨୧ଟି  ମୋବାଇଲ ଟିମ ଗଠନ କରାଯାଇଛି। ୨୨ ତାରିଖରେ ବୁଥ୍ ସ୍ତରରେ ଟିକାକରଣ ହେବା ସହ ପରବର୍ତ୍ତୀ ଦିନଗୁଡ଼ିକରେ ଘରକୁ ଘର ବୁଲି ମୋଟ ୩ ଲକ୍ଷ ୭୫ ହଜାର ୬୮୧ଟି ପରିବାର ପାଖରେ ପହଞ୍ଚିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ୩,୩୮୪ ଜଣ ଟିମ୍ ସଦସ୍ୟ ଏବଂ ୧୬୫ ଜଣ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଥିବା ବେଳେ, ବୁଥ୍, ଟ୍ରାଞ୍ଜିଟ୍ ଏବଂ ମୋବାଇଲ୍ ଟିମର କାର୍ଯ୍ୟ ତଦାରଖ କରିବା ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଦାୟିତ୍ୱ ଅର୍ପଣ କରାଯିବ। ବୈଠକରେ ଗତ ଜୁନ୍ ୨୦୨୬ ସୁଦ୍ଧା ହୋଇଥିବା ଟିକାକରଣ ରିପୋର୍ଟ ଏବଂ ମାସିକ ଏଚ୍.ପି.ଭି (HPV) ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଡିସେମ୍ବର ମାସ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଟିକାକରଣ କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ, ଅଭିଯାନ ସମୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଖୋଲା ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଚୟନ କରାଯାଇଥିବା ବିଦ୍ୟାଳୟଗୁଡ଼ିକର ତାଲିକା ଶିକ୍ଷକମାନଙ୍କୁ ଅବଗତ କରାଇବା ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କୁ ନିୟୋଜିତ କରି ନିର୍ଦ୍ଧାରିତ ଦାୟିତ୍ୱ ତୁଲାଇବାକୁ ସେ କହିଛନ୍ତି। ଜିଲ୍ଲାସ୍ତରୀୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇ ଟିକାଦାନକାରୀଙ୍କ ପ୍ରଶିକ୍ଷଣ, ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ନିରୀକ୍ଷଣ ଯୋଜନା, ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ୍ ରୁମ୍), ବ୍ଲକ୍ ସ୍ତରୀୟ ରାପିଡ୍ ରେସପନ୍ସ ଟିମ୍ ଗଠନ, ବ୍ୟାପକ ସଚେତନତା (IEC) କାର୍ଯ୍ୟକ୍ରମ ଏବଂ ଜିଲ୍ଲାସ୍ତରୀୟ ଉଦଘାଟନୀ ଉତ୍ସବ ଆୟୋଜନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଅଭିଯାନର ଶତପ୍ରତିଶତ ସଫଳତା ପାଇଁ ସମସ୍ତ ସରକାରୀ କଳକୁ ସଜାଗ ରହିବାକୁ ଆହ୍ୱାନ ଦେବା ସହ ତୃଣମୂଳ ସ୍ତରର କର୍ମଚାରୀମାନଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀ କର ନିର୍ଦ୍ଦେଶ ଦେଇଛନ୍ତି ଏବଂ ସମ୍ପୂର୍ଣ୍ଣ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି। ଆଜିର ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDMO) ଡା. ନଗେନ୍ଦ୍ରନାଥ ମହାପାତ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ADMO), ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (DPM), ସମସ୍ତ ଭାରପ୍ରାପ୍ତ ମେଡିକାଲ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ (DEO), ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO), ସିଡିପିଓ (CDPO),ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।

Related Posts

About The Author

Add Comment