ଅଗରତାଲା, ୧୧/୮ (ସନ୍ଧନ ନିଉଜ) : ସୋମବାର ଇଦ୍ ଅବସରରେ ଭାରତୀୟ ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ଓ ବାଂଲାଦେଶୀ ସେନାଙ୍କ ମଧ୍ୟରେ ମିଠା, ଫୁଲର ଆଦାନପ୍ରଦାନ ହୋଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବିଏସ୍ଏଫ୍ ଓ ବାଂଲାଦେଶୀ ସେନାର ବରିଷ୍ଠ ଅଧିକାରୀମାନେ ଏହି ପ୍ରଥା ନିଭାଇଛନ୍ତି। ବଛା ବଛା କେତୋଟି ଗୁରୁତ୍ୱପୂର୍ଣ୍ଣ ପର୍ବରେ ଭାରତ ତା’ର ସୀମାନ୍ତ ଦେଶଗୁଡ଼ିକୁ ମଧ୍ୟରେ ମିଠା ଓ ଫୁଲର ଆଦାନପ୍ରଦାନ ହୋଇଥାଏ।
ମାତ୍ର ଏ ବର୍ଷର କଥା ନିଆରା। ଇଦ୍ରେ ପ୍ରତିବର୍ଷ ଭାରତୀୟ ସେନା ପାକିସ୍ତାନୀ ସେନାକୁ ମିଠା ଫୁଲ୍ ପ୍ରଦାନ କରିଥାଏ। ମାତ୍ର ଏ ବର୍ଷ କଶ୍ମୀରକୁ ନେଇ ଉପୁଜିଥିବା ବିବାଦ ହେତୁ ପାକ୍ ଭାରତୀୟ ସେନାର ମିଠା ଗ୍ରହଣ କରିନାହିଁ। ଭାରତୀୟ ସେନାଠାରୁ ମିଠା ଗ୍ରହଣ କରିବାକୁ ପାକିସ୍ତାନୀ ରେଞ୍ଜର୍ସ ସ୍ପଷ୍ଟ ମନା କରି ଦେଇଥିବା ସୂଚନା ରହିଛି।
ଅଟାରୀ-ଓ୍ଵାଘା ସୀମାରେ ଯେତେବେଳେ ଭାରତୀୟ ଯବାନ ପବିତ୍ର ଇଦ୍ ଅବସରରେ ମିଠା ପ୍ରଦାନ କରିଥିଲେ ତାହାକୁ ନେବାକୁ ପାକିସ୍ତାନୀ ରେଞ୍ଜର୍ସ ମନା କରି ଦେଇଥିବା ସୂଚନା ରହିଛି। ଏପରି ପ୍ରଥମ ଥର ଘଟିନାହିଁ। ପୂର୍ବରୁ ମଧ୍ୟ ବହୁ ବାର ପାକିସ୍ତାନ ରେଞ୍ଜର୍ସ ଭାରତୀୟ ଯବାନଙ୍କଠାରୁ ମିଠା ଗ୍ରହଣ କରିବାକୁ ମନା କରିଥିବାର ଉଦାହାରଣ ରହିଛି।