ଯାଜପୁର : ୫ /୮/୨୬ (ସନ୍ଧାନ ନ୍ୟୁଜ) ଆଗାମୀ ତିନି ବର୍ଷ ପାଇଁ ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦର (ଡିସିସି) ଅଣ-ସରକାରୀ ସଦସ୍ୟ ମଣ୍ଡଳୀ ପୁନର୍ଗଠନ ପ୍ରକ୍ରିୟା ଜିଲ୍ଲା ପ୍ରଶାସନ ଦ୍ୱାରା ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସର୍ବସାଧାରଣ ବିଜ୍ଞପ୍ତି ଜାରି କରାଯାଇ ଯୋଗ୍ୟ ବ୍ୟକ୍ତିବିଶେଷଙ୍କଠାରୁ ଆବେଦନ ଆହ୍ଵାନ କରାଯାଇଛି। ସୂଚନାଯୋଗ୍ୟ ଯେ, ଏହା କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଏକ ଅତ୍ୟନ୍ତ ସମ୍ମାନଜନକ ପଦବୀ ଭାବେ ବିବେଚିତ। ଜିଲ୍ଲା ସଂସ୍କୃତି ପରିଷଦ ନିୟମ, ୧୯୯୪ ର ପ୍ରାବଧାନ ଅନୁଯାୟୀ, ଜାତୀୟ ଅଥବା ରାଜ୍ୟ ପୁରସ୍କାର ଲାଭ କରିଥିବା ବ୍ୟକ୍ତିମାନେ ଏହି ପଦ ପାଇଁ ଆବେଦନ କରିପାରିବେ। ଏହାବ୍ୟତୀତ ସାହିତ୍ୟ, ସଙ୍ଗୀତ, ନୃତ୍ୟ, ନାଟକ, ଲୋକକଳା, ଦୃଶ୍ୟକଳା, ସଂସ୍କୃତି, ଐତିହ୍ୟ, ହସ୍ତଶିଳ୍ପ, ହସ୍ତତନ୍ତ, ଶିକ୍ଷା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାଂସ୍କୃତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିମାନେ ମଧ୍ୟ ନିଜର ଆବେଦନ ଦାଖଲ କରିପାରିବେ। ଆଗ୍ରହୀ ବ୍ୟକ୍ତିମାନେ ନିଜର ସଫଳତା, ପୁରସ୍କାର ଏବଂ ଅଭିଜ୍ଞତା ସମ୍ବନ୍ଧୀୟ ପ୍ରମାଣପତ୍ରର ସ୍ୱ-ପ୍ରମାଣିତ ନକଲ ସହିତ ନିର୍ଦ୍ଧାରିତ ଫର୍ମାଟରେ ଆବେଦନ କରିବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି। ଆବେଦନପତ୍ର ଆସନ୍ତା ଅଗଷ୍ଟ ୨୫, ୨୦୨୬ ରିଖ ସୁଦ୍ଧା ପଞ୍ଜୀକୃତ ଡାକ, ସ୍ପିଡ୍ ପୋଷ୍ଟ କିମ୍ବା ବ୍ୟକ୍ତିଗତ ଭାବେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ପହଞ୍ଚିବା ଆବଶ୍ୟକ। ଆବେଦନ ଫର୍ମ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟରୁ କିମ୍ବା ଜିଲ୍ଲାର ସରକାରୀ ୱେବସାଇଟ୍ରୁ ସଂଗ୍ରହ କରାଯାଇପାରିବ। ଅନ୍ୟପକ୍ଷରେ, ତୃଣମୂଳ ସ୍ତରରୁ ଯେପରି କୌଣସି ପ୍ରକୃତ ପ୍ରତିଭା ବାଦ୍ ନପଡ଼ନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସମସ୍ତ ବିଡିଓ, ପୌରପାଳିକା ନିର୍ବାହୀ ଅଧିକାରୀ, ଡିଆଇପିଆରଓ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି। ନିଜ ଅଞ୍ଚଳରେ ଥିବା ଯୋଗ୍ୟ ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କ ନାମ ସୁପାରିଶ କରିବାକୁ ସମସ୍ତ ଅଧିକାରୀମାନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି।
ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ: ଅଣ-ସରକାରୀ ସଦସ୍ୟ ପଦ ପାଇଁ ଆବେଦନ ଆହ୍ଵାନ
|
August 5, 2026 |



