ନିଶାମୁକ୍ତ ଯୁବ ସମାଜ ଗଠନ ପାଇଁ ଜମନକିରା ଡିଗ୍ରୀ କଲେଜରେ ସଚେତନତା କାର୍ଯ୍ୟକ୍ରମ ମିନି ମାରାଥନ୍ ଓ ନୁକ୍କଡ଼ ନାଟକ ମାଧ୍ୟମରେ ନିଶା ବିରୋଧୀ ବାର୍ତ୍ତା ପ୍ରଚାର

Spread the love

ସମ୍ବଲପୁର (ସନ୍ଧାନ ନ୍ୟୁଜ/ ହେମନ୍ତ ଭଇଁଷା): ଯୁବପିଢ଼ିଙ୍କୁ ନିଶା କବଳରୁ ଦୂରେଇ ରଖିବା ସହ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଜମନକିରା ଡିଗ୍ରୀ କଲେଜ ପରିସରରେ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ୟୁନିଟ୍‌ ଆନୁକୂଲ୍ୟରେ ‘ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ ଓ ଯୁବସମାଜ ମଧ୍ୟରେ ନିଶାଦ୍ରବ୍ୟ ସେବନର କୁପରିଣାମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କଲେଜ ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଦେବକୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ଅତିଥିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀମତୀ ନାୟକ ନିଶା ନିବାରଣକୁ ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତର ଏକ ମୁଖ୍ୟ ଆଧାର ବୋଲି ଅଭିହିତ କରିବା ସହ ନିଶାମୁକ୍ତ ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ଅଧ୍ୟାପିକା ଅରୁଣା ମିଶ୍ର ଓ ମୁସାରଦ ଅନସାରୀ, ଇଂରାଜୀ ବିଭାଗର ପ୍ରଦୀପ କୁମାର ପଣ୍ଡା, ଓଡ଼ିଆ ବିଭାଗର ଡ. ତୃପ୍ତି ମିଶ୍ର ଓ ସାଇନା ଭୋଇ, ରାଜନୀତି ବିଜ୍ଞାନ ବିଭାଗର ସିଦ୍ଧାନ୍ତ ସାହୁ, ଇତିହାସ ବିଭାଗର ସୁରଥ ସାହୁ ଓ ମିନକେତନ ସାହୁ, ଉଦ୍ଭିଦ ବିଜ୍ଞାନ ବିଭାଗର ସୁପର୍ଣ୍ଣା ପଟ୍ଟନାୟକ, ପ୍ରାଣୀ ବିଜ୍ଞାନ ବିଭାଗର କୁଣ୍ଡଳୀ ମହାନନ୍ଦ, ରସାୟନ ବିଜ୍ଞାନ ବିଭାଗର ବର୍ଣ୍ଣାଳୀ ଦେହୁରୀ, ପଦାର୍ଥ ବିଜ୍ଞାନ ବିଭାଗର ସୁଲକ୍ଷଣା ପଟେଲ ଏବଂ ଗଣିତ ବିଭାଗର ଚେତନା ଗର୍ତ୍ତିଆ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ କଲେଜ ପ୍ରବେଶ ଦ୍ୱାରରୁ ଏକ ସଚେତନତାମୂଳକ ମିନି ମାରାଥନ୍‌ ଆୟୋଜିତ ହୋଇଥିଲା। ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ନିଶା ବିରୋଧୀ ସ୍ଲୋଗାନ ଦେବା ସହ ସାଧାରଣ ଲୋକଙ୍କୁ ସଚେତନ କରିଥିଲେ। ଏଥିସହ ନିଶା ସେବନର ଭୟାବହ ପରିଣାମକୁ ନେଇ ଏକ ନୁକ୍କଡ଼ ନାଟକ ପରିବେଷଣ କରାଯାଇଥିଲା। ନାଟକ ମାଧ୍ୟମରେ ନିଶାର କୁପ୍ରଭାବ ଓ ଏହାର ସାମାଜିକ ପରିଣାମ ସମ୍ପର୍କରେ ଲୋକଙ୍କୁ ବାର୍ତ୍ତା ଦିଆଯାଇଥିଲା। ସମାଜକୁ ନିଶାମୁକ୍ତ କରିବା ପାଇଁ ଶିକ୍ଷାନୁଷ୍ଠାନ, ଶିକ୍ଷକ, ଅଭିଭାବକ ଓ ଯୁବସମାଜର ମିଳିତ ପ୍ରୟାସ ଅପରିହାର୍ଯ୍ୟ ବୋଲି ସଭାରେ ମତପ୍ରକାଶ ପାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ମନମୋହନ ଜୟବିକାଶ ବାଘ ସଂଯୋଜନା ଓ ପରିଚାଳନା କରିଥିଲେ। ଶେଷରେ “ନିଶାକୁ ନା, ଜୀବନକୁ ହଁ — ଆସନ୍ତୁ ଗଢ଼ିବା ଏକ ନିଶାମୁକ୍ତ ସମାଜ” ସ୍ଲୋଗାନ ସହ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଥିଲା।

Related Posts

About The Author

Add Comment