ଡଙ୍କାରି ମାଫିଆଙ୍କ କବଜାରେ ପ୍ରଶାସନ ନିରବଦ୍ରଷ୍ଟା ସାଜିଚି

Spread the love

ଯାଜପୁର ସଦର,:  ୩୧/୧୨/୨୫  (ସନ୍ଧାନ ନ୍ୟୁଜ )  ଯାଜପୁର ଜିଲ୍ଲାର ଡଙ୍କାରୀ ଠାରେ ୮ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବହୁ ପ୍ରତିକ୍ଷୀତ ଦେଶର ସର୍ବ ବୃହତ ଚଣ୍ଡିଖୋଲ ଭୁତଳ ତୈଳ ଭଣ୍ଡାର ନିର୍ମାଣ କାର୍ଯ୍ୟକୁ ବିଳମ୍ବିତ କରିବା କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ପୁଣି ଧର୍ମଶାଳାର ପଥର ମାଫିଆ ଓ ମାଫିଆ ସର୍ଦ୍ଦାରଙ୍କ ଚକ୍ରାନ୍ତ ଆରମ୍ଭ ହୋଇଯାଇଛି। ପୂର୍ବ ସରକାର ସମୟରେ ଚକ୍ରବ୍ୟୁହ ରଚନା ହୋଇଥିବାରୁ ଦୀର୍ଘ ୧୦ ବର୍ଷ ଧରି ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ହୋଇପାରି ନଥିଲା । ରାଜ୍ୟରେ ସରକାର ପରିବର୍ତ୍ତନ ପରେ ନିର୍ବାଚିତ ପ୍ରତିନିଧି ମାନେ ଏଠାରେ ଖୁବଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବବୋଲି ଲୋକଙ୍କୁ ସ୍ୱପ୍ନ ଦେଖାଇଥିଲେ। ହେଲେ  ନୂଆ ସରକାରକୁ ଏବେ ୧୮ ମାସ ପୁରିଯାଇଥିଲେ ମଧ୍ୟ ପ୍ରକଳ୍ପ କାମ ଆରମ୍ଭ ହେବାତ ଦୂରର କଥା ସେଥିନେଇ ଶୋ ଶବ୍ଦ ଶୁଭୁନାହିଁ । ଅପରପକ୍ଷରେ ପ୍ରକଳ୍ପ ପାଇଁ ସରକାରଙ୍କର କୋଟିକୋଟି ଟଙ୍କାର ରାଜସ୍ୱ ହାନି କରାଯାଇ ଅବଧି ପୂର୍ବରୁ ପଥରଖଣି ଗୁଡିକର ଲିଜ ବାତିଲ କରାଯାଇ ପ୍ରକଳ୍ପ ପାଇଁ ଜମି ହସ୍ତାନ୍ତର ହୋଇଥିଲେ ମଧ୍ୟ ଏବେ ସେହି ଜମିକୁ ପଥର ମାଫିଆ ନିଜ ଅକ୍ତିଆରରେ ରଖି ସେଠାରେ ପୂର୍ବ ଠାରୁ ଅଧିକ ମାତ୍ରାରେ ବେଆଇନ ଖଣି ଖନନ କରି ଦୈନିକ କୋଟିକୋଟି ଟଙ୍କାର ପଥର ଚୋରି କରୁଛନ୍ତି।ସରକାରଙ୍କ ଏପରି ଦୁର୍ବଳ ନିଷ୍ପତ୍ତି ପାଇଁ ଗୋଟିଏ ପଟେ  ଖଣିଲିଜ ବାତିଲ ଜନିତ ଲିଜଧାରୀଙ୍କୁ କୋଟି କୋଟି ଟଙ୍କା ଫେରସ୍ତ ଦେବାକୁ ଥିଲା ବେଳେ ଅନ୍ୟପଟେ ପ୍ରକଳ୍ପ ଜମିରୁ ପଥର ଚୋରି ଯୋଗୁଁ ସରକାର ଦୈନିକ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ରାଜସ୍ୱ ହରାଇ ଚାଲିଛନ୍ତି । ୮ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଏହି ପ୍ରକଳ୍ପ ନିର୍ମାଣ ପାଇଁ ଗତ ଏପ୍ରିଲ ମାସରୁ କେନ୍ଦ୍ର ସରକାର ଏମ ଓ ୟୁ ସ୍ୱାକ୍ଷର କରି ସାରିବା ସହ ପ୍ରକଳ୍ପ ପାଇଁ ଜମି ହସ୍ତାନ୍ତର ପରେ ହିଁ କାମ ଅଗ୍ରଗତି ହେଉନି, ଏହି ପ୍ରସଙ୍ଗକୁ ନେଇ ଉଚ୍ଚ ସ୍ତରରେ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ ପଥର ମାଫିଆଙ୍କ ଚକ୍ରବ୍ୟୁହକୁ କେହି ଭେଦ କରିପାରୁ ନଥିବା ସାଧାରଣରେ ଆଲୋଚନା ହେଉଛି। ଯାହାକୁ ନେଇ ରାଜ୍ୟ ସରକାର ଓ ପ୍ରଶାସନ ସମାଲୋଚିତ ହୋଇ ଚାଲିଛନ୍ତି।  ଏହି ବୃହତ ପ୍ରକଳ୍ପ ପାଇଁ ଆବଶ୍ୟକ ଥିବା ୪ଶହ ଏକର ଜମି  ଯୋଗାଇ ଦେବାରେ ଗତ ସରକାର ଅସହଯୋଗ କରିବା ଫଳରେ ନିର୍ମାଣ କାର୍ଯ୍ୟ ସମ୍ଭବ ହେଲାନାହିଁ ବୋଲି କୁହାଯାଇଥିଲା। ତେବେ ଗତ ୨୦୨୪ ମସିହା ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଧର୍ମଶାଳା ମହୋତ୍ସବକୁ ଆସି ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ମାନସ ସନ୍ତାନ ସଦୃଶ ଏହି ଭୂତଳ ତୈଳ ଭଣ୍ଡାରର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଡଙ୍କାରୀରେ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସରକାରୀ ସ୍ତରରେ ଅବଶ୍ୟ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା। ପରେପରେ ଗତ ଏପ୍ରିଲ ୮ ତାରିଖରେ ଦିଲୀରେ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ର ସରକାର  ଇଣ୍ଡିଆନ ଷ୍ଟାଟ୍ରେଜିକ ପେଟ୍ରୋଲିୟମ ରିଜର୍ଭର ଲିମିଟେଡ଼ (ଆଇଏସପିଆରଏଲ) ସହିତ ଏମ ଓ ୟୁ ସ୍ୱାକ୍ଷର କରିଥିଲେ।ପରବର୍ତ୍ତୀ ସମୟରେ ଜିଲ୍ଲା ଖଣି ଉପ ନିର୍ଦ୍ଦେଶକ ପ୍ରକଳ୍ପ ପାଇଁ ସ୍ଥିରୀକୃତ ସ୍ଥାନରେ ରହିଥିବା ୧୩ ଟି କଳାପଥର ଖଣିର ଅବଧି ପୂର୍ବରୁ ଲିଜ ବାତିଲକରିଥିଲେ। ଲିଜ ବାତିଲ ପରେ ଗତ ପ୍ରାୟ ବର୍ଷେ ହେବ ପ୍ରାୟ ୩୭୦ ଏକର ଜମି ପ୍ରକଳ୍ପ ନିର୍ମାଣ ପାଇଁ ଇଡକୋକୁ ହସ୍ତାନ୍ତର ହୋଇସାରଛି ଓ ଆଉ ୪ଟି ଖଣିର ପରିସରରେ ଥିବା ପ୍ରାୟ ୩୦ ଏକର ଜମି ମଧ୍ୟ ହସ୍ତାନ୍ତର ହେବାକୁ ପ୍ରସ୍ତୁତି ସରିଛି। ତେବେ ଏତେଦିନ ପୂର୍ବରୁ ଜମି ହସ୍ତାନ୍ତର ହୋଇସାରିଥିଲେ ମଧ୍ୟ ଇଡକୋ ବା ଆଇଏସପିଆରଏଲ ଏହି ଜମିକୁ ନିଜ ଅକ୍ତିଆରକୁ ନେଇ ପ୍ରକଳ୍ପ କାମ ଆରମ୍ଭ କରିବା ପରିବର୍ତ୍ତେ ସେଠାରେ ବେଆଇନ ଖଣି ଖନନ ହେଉଥିବାରୁ କାମ ଆଗକୁ ଯାଇପାରୂନି ବୋଲି ବାରମ୍ବାର କହିଥିଲେ। ଯାହାକୁ ନେଇ ଜିଲ୍ଲା ଖଣି ଅଧିକାରୀ ଇତିମଧ୍ୟରେ ବାରମ୍ବାର ଚିଠି ଦେଇ ବେଆଇନ ଖଣି ଖନନ ଅଞ୍ଚଳକୁ ଅକ୍ତିଆରକୁ ନେବା ସହ ସେଠାରୁ ପଥର ଚୋରି ବନ୍ଦକରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଆବଶ୍ୟକ ସୁରକ୍ଷା ବଳ ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରତି ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ସରକାରୀ ସ୍ତରରେ ଏପରି ଶିଥିଳତାକୁ ପଥର ମାଫିଆ ମାନେ ଅପୂର୍ବ ସୁଯୋଗ ମନେକରି ସ୍ତିରିକୃତ ଓ ଅଧିଗୃହିତ ପ୍ରକଳ୍ପ ଜମିକୁ ନିଜ ଅକ୍ତିଆରକୁ ନେଇ ସେଠାରେ ବେଆଇନ ଭାବେ ଖଣି ଖନନ କରି ଆଖିବୁଜା କଳାପଥର ଚୋରି କରିଚାଲିଛନ୍ତି। ବିନା ରାଜସ୍ୱ ଦେୟରେ ପ୍ରକଳ୍ପ ଅଞ୍ଚଳରୁ ଦିନକୁ ଚାରିରୁ ପାଞ୍ଚ କୋଟି ଟଙ୍କାର ପଥର ଚୋରି ହେଉଥିବା ଆକଳନ କରାଯାଇଛି। ଏହି ଚୋରିକୁ ଏକ ଶକ୍ତିଶାଳୀ ଗୋଷ୍ଠୀ ପରିଚାଳା କରି ବ୍ୟାପକ ବେଆଇନ ଅର୍ଥ ଠୁଳ କରୁଥିଲା ବେଳେ ୮ ହଜାର କୋଟି ଟଙ୍କାର ପ୍ରକଳ୍ପ ଦିଗହରା ହୋଇପଡିଛି। ଜିତୀୟ ସ୍ୱାର୍ଥ ପଛେ ଚୁଲିକି ଯାଉ ଆଗ ନିଜ ସ୍ୱାର୍ଥ ହାସଲ  ହେଉ ନ୍ୟାୟରେ ଶକ୍ତିଶାଳୀ ପଥର ମାଫିଆ ଗୋଷ୍ଠୀ ଏବେ ଉକ୍ତ ପ୍ରକଳ୍ପ କାର୍ଯ୍ୟକୁ ବିଳମ୍ବିତ କିମ୍ବା ସମ୍ପୂର୍ଣ୍ଣ କରାଇ ନଦେବାକୁ ବିରାଟ ଚକ୍ରାନ୍ତ ଚଳାଉ ଥିବା ଆଲୋଚନା ହେଉଛି। ଏଥିପ୍ରତି ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି

Related Posts

About The Author

Add Comment