ସୁନ୍ଦରଗଡ ତା:୨୨/୬/୨୦୨୬(ସନ୍ଧାନ ନ୍ୟୁଜ) ଜିଲ୍ଲା ସ୍ବାସ୍ଥ୍ୟ ସମିତି ସୁନ୍ଦରଗଡ଼ ଆନୁକୂଲ୍ୟରେ ସ୍ଥାନୀୟ ସଦଭାବନା ଭବନ ସଭାଗାରଠାରେ ବିଶ୍ବ ରକ୍ତଶିକୁଳି (ସିକଲସେଲ) ଦିବସ ୨୦୨୬ ପାଳିତ ହେବା ସହ ଜିଲ୍ଲା ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଡା ଶୁଭଂକର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ସୁରେଶ ଚନ୍ଦ୍ର ମହାନ୍ତିଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଜିଲ୍ଲାରେ ସିକଲ୍ ସେଲ୍ ସ୍କ୍ରୀନିଂ ଓ ରୋଗୀଙ୍କ ଉଚିତ ଚିକିତ୍ସା ଉପରେ ଗୁରୁତ୍ବ ଦେଇ ଜିଲ୍ଲାପାଳ ସମସ୍ତ ସ୍କୁଲ, କଲେଜ, ଅଙ୍ଗନବାଡିର ଛାତ୍ରଛାତ୍ରୀ ଏବଂ ଆଗଧାଡ଼ିର କର୍ମଚାରୀଙ୍କର ଅଗ୍ରିମ ପରୀକ୍ଷା କରିବା ସହ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗକୁ ନିର୍ଦେଶ ଦେଇଥିଲେ । ବୈଠକରେ ବିଶେଷ କରି ୦-୪୦ ବର୍ଷ ବୟସ୍କଙ୍କ ସିକଲ୍ ସେଲ୍ ଓ ଥାଲାସେମିଆ ରକ୍ତ ପରୀକ୍ଷା ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ଜିଲ୍ଲା କାର୍ଯକ୍ରମ ପ୍ରବନ୍ଧକ ଶ୍ରୀ ବିଶ୍ବମ୍ବର ବେହେରା ଜାତୀୟ ସିକଲ୍ ସେଲ୍ ଆନିମିଆ ନିରାକରଣ ମିସନର ସ୍ଥିତି ସମ୍ପର୍କିତ ରିପୋର୍ଟ ଉପସ୍ଥାପନ କରିଥିଲେ। ଏହି ଅବସରରେ ହିତାଧିକାରୀଙ୍କୁ ସିକଲ୍ ସେଲ୍ ଷ୍ଟାଟସ୍ କାର୍ଡ ଓ ଚିକିତ୍ସା ପୁସ୍ତିକା ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ଅନ୍ୟାନ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।



