ଜଙ୍ଗଲି ହାତୀର ଆତଙ୍କରେ ଥରହର କଳିଙ୍ଗନଗର ଆଦିବାସୀ ଗ୍ରାମ। ୨ମାସ ର ରହଣି କାଳରେ ନଷ୍ଟ କରିଛି ବହୁ ଧନସମ୍ପତି। ହାତୀ ଆତଙ୍କରେ ଘରେ ରହୁନାହାନ୍ତି ଅଞ୍ଚଳବାସୀ। ଆଜକୁ ୬୩ ଦିନ ଶିଳ୍ପାଞ୍ଚଳରେ ଦନ୍ତା ହାତୀ।

Spread the love

କଳିଙ୍ଗନଗର /୨୪/୮(ସନ୍ଧାନ ନ୍ୟୁଜ ) କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଅନେକ ଗୁଡିଏ ଶିଳ୍ପ ଗଢିଉଠିବା ପରେ ସମଗ୍ର ଅଞ୍ଚଳ ଏବେ ଆଲୋକମୟ ହୋଇଉଠିଛି। କାରଖାନା ମାନଙ୍କରେ ବ୍ୟବହୃତ ହେଉଥିବା ବଡ ବଡ ଆଲୋକମାନ ଦ୍ବାରା ସମଗ୍ର ଅଞ୍ଚଳ ରାତି କୁ ଦିନ ଭଳି ଅନୁଭବ କରାଉଛି। ଶିଳ୍ପସଂସ୍ଥା ଗୁଡ଼ିକ ଗଢିଉଠିବା ଦ୍ୱାରା ଅନେକ ଛୋଟ ବଡ଼ ଜଙ୍ଗଲର ଅବଖେୟ ଘଟିଛି। ଯାହାଫଳରେ ଅନେକ ପ୍ରକାରର ବନ୍ୟଜନ୍ତୁ ନିଜକୁ ଅସୁରକ୍ଷିତ ମନେକରି ନିଜର ସ୍ଥାନ ପରିବର୍ତ୍ତନ କରିଛନ୍ତି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏବେ କେବଳ ବଡସୁଳି ପାହାଡ ରେ ଥିବା ଜଙ୍ଗଲ କୁ ଛାଡିଦେଲେ ଅନ୍ୟ ସ୍ଥାନ ମାନଙ୍କରେ କେବଳ ଶିଳ୍ପ, ସଡକ ଓ ପରିବହନ ପାଇଁ ହଜାର ହଜାର ସଂଖ୍ୟାରେ ଯାନବାହନ ଯାତାୟତ କରୁଥିବାର ଦେଖିବାକୁ ମିଳୁଛି। ଦିନକୁ ଦିନ ଜଙ୍ଗଲ ଅବକ୍ଷୟ ଯୋଗୁଁ ବନ୍ୟଜନ୍ତୁମାନେ ଏବେ ସହରଭୀମୁଖି ହେଉଛନ୍ତି। ଅନେକ ସମୟରେ ଖବର ଥାଏ କି ଜଙ୍ଗଲରୁ ବାହାରି ହାତୀ ଗାଁ ତଥା ସହର ଆଡକୁ ଅଗ୍ରସର ହେଉଛି। ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳିଙ୍ଗନଗର ଶିଳ୍ପାଞ୍ଚଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ।

ଆଜକୁ ଦୁଇ ମାସ ରୁ ଉର୍ଦ୍ଧ ହେବ ଏକ ଦନ୍ତା ହାତୀ ବାରଙ୍ଗ ଜଙ୍ଗଲରୁ ବାହାରି ଟମକା ବନ୍ୟାଞ୍ଚଳ ଦେଇ ବନ୍ଦ ଥିବା ମସ୍କୋ କାରଖାନାରେ ପ୍ରବେଶ କରିଥିଲା। ହାତୀ ଆତଙ୍କରେ ଆତଙ୍କିତ ଥିବା ଅଞ୍ଚଳବାସୀ ହାତୀକୁ ଘଉଡାଇବା ରୁ ସେ ମସ୍କୋ କାରଖାନା ରୁ ବାହାରି ବଡସୁଳି ପାହାଡ ର ଉତ୍ତର ପାର୍ଶ୍ୱରେ ଥିବା ଗାଡପୁର ଜଙ୍ଗଲକୁ ପଳାୟନ କରିଥିଲା। ଗାଡପୁର ଜଙ୍ଗଲରେ ଦୀର୍ଘ ୨୩ ଦିନ ରହିବା ପରେ ବଡସୁଳି ପାହାଡ ର ଦକ୍ଷିଣ ଦିଗରେ ଥିବା ଜଙ୍ଗଲକୁ ଚାଲିଆସିଛି। ପରେ ଟାଟା କାରଖାନା ଓ ଭିସା କାରଖାନା ଦେଇ ପୁଣି ବଡସୁଳି ପାହାଡ଼କୁ ଫେରିଆସିଥିଲା। ଗତ ମାସ ୧୪ ତାରିଖରୁ ଆଜିପର୍ଯ୍ୟନ୍ତ ହାତୀଟି ଜଙ୍ଗଲରେ ରହିଆସୁଛି। ଦିନରେ ଜଙ୍ଗଲ ଭିତରେ ଓ ରାତି ହେଲେ ପାଖରେ ଥିବା ଆଦିବାସୀ ଗ୍ରାମମାନଙ୍କରେ ବୁଲୁଥିବାରୁ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ପାହାଡ ର ନିକଟରେ ଥିବା ଗ୍ରାମ ଯେପରି ଜଟରାପାଳ, ଭିତରମାଣିକା, ବାଲିଗୋଠ, ଟାଙ୍ଗରସାହି, ମିରିକିଚରା ଆଦି ଗ୍ରାମରେ ଆଜକୁ ଦେଢ଼ମାସ ରୁ ଉର୍ଦ୍ଧ ଦିନ ଧରି ଭୟ ର ବାତାବରଣ ଜୀବନ ଅତିବାହିତ କରୁଛନ୍ତି।

ପ୍ରତିଦିନ ରାତ୍ରି ହେଲେ ଦନ୍ତାହାତୀ ଜଙ୍ଗଲ ଛାଡ଼ି ଗାଁ ଅଭିମୁଖେ ବାହାରି ଥାଏ। ଏହାର ଭୟରେ ଆଦିବାସୀ ଗ୍ରାମର ସମସ୍ତ ଗ୍ରାମବାସୀ ନିଜ ନିଜର ଘର ଛାଡି ଗ୍ରାମରେ ଥିବା କ୍ଲବ ଘର ଓ ସ୍କୁଲ ରେ ନିଜ ପରିବାରକୁ ଥଇଥାନ କରିଥାନ୍ତି। ପ୍ରତିଦିନ ଜଟରାପାଳ ଗ୍ରାମର ପୁରୁଷମାନେ ରାତ୍ରି ହେଲେ ବନବିଭାଗ ଅଧିକାରୀ ସମେତ ପଡୋଶୀ ଆଦିବାସୀ ଗ୍ରାମର କିଛି ଯୁବକ ଙ୍କୁ ନେଇ ହାତୀ ଘଉଡ଼ାଇବା ପାଇଁ ବାହାରି ପଡନ୍ତି। ମାତ୍ର ହାତୀ ଆଉ ସାଧାରଣ ଲୋକ ଙ୍କୁ ଭୟ ନକରି ନିଜ ଇଚ୍ଛାନୁସାରେ ବୁଲୁଛି। ଗ୍ରାମବାସୀ ଯେନେତେନେ ଗ୍ରାମ କୁ ହାତୀକୁ ପ୍ରବେଶ ନକରାଇବା ପାଇଁ ପ୍ରୟାସ କରିଥାନ୍ତି। ହାତୀ ରାତିରେ ବୁଲାବୁଲି କରୁଥିବା ସମୟରେ ଧାନ ତଳି ସମେତ ଧାନ ରୁଆ ଜମିକୁ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ଜଟରାପାଳ ସମେତ ପଡୋଶୀ ଆଦିବାସୀ ଗ୍ରାମର ଅନେକ ଘର ଭାଙ୍ଗି ଯାଇଛି। ନିୟୋଜିତ ଥିବା ୭ଜଣ ବନକର୍ମଚାରୀ ଓ ହାତୀ ଆତଙ୍କରେ ପ୍ରଭାବିତ ଆଦିବାସୀଙ୍କୁ ନେଇ ହାତୀ ଘଉଡ଼ାଉଥିଲେ ମଧ୍ୟ ହାତୀ ଉପରେ କୌଣସି ପ୍ରଭାବ ପଡୁନାହିଁ।

ପ୍ରଶାସନ ପକ୍ଷରୁ ହାତୀ ଦ୍ୱାରା ନଷ୍ଟ ହୋଇଥିବା ଧନସମ୍ପତି ର କୌଣସି ଆକଳନ ଓ ଏହାର କ୍ଷତିପୂରଣ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇନାହିଁ। ନିଜର ଚାଷ ଜମି ନଥିବା ସ୍ଥଳେ ଭାଗ ଚାଷ କରୁଥିବା ଆଦିବାସୀ ମାନଙ୍କର ଚାଷ ଜମି କୁ ହାତୀ ସମ୍ପୂର୍ଣ୍ଣ ନଷ୍ଟ କରିଥିବା ବେଳେ ପ୍ରଶାସନ ତରଫରୁ କୌଣସି ପ୍ରକାର ସହାୟତା ପ୍ରଦାନ ପାଇଁ ତତ୍ପର ନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁଠି ହାତୀ ଆକ୍ରମଣରେ ନିଜର ବାସଗୃହ ନଷ୍ଟ ହୋଇଯାଇଛି ସେଠାରେ ନିଜ ଜୀବନ କେତେବେଳେ ହାତୀର ପାଦ ତଳେ ଚାଲିଯିବ ବୋଲି ଆଦିବାସୀମନେ କହିଛନ୍ତି। ଆଜକୁ ୨ ମାସରୁ ଅଧିକ ଦିନ ଧରି କଳିଙ୍ଗନଗର ଶିଳ୍ପାଞ୍ଚଳରେ ରହୁଥିବା ଦନ୍ତା ହାତୀଟି ଖାଦ୍ୟ ଅଭାବରୁ ଦିନକୁ ଦିନ ରୁଗ୍ଣ ହେଉଥିବାରୁ ହାତୀଟି ଆକ୍ରମଣାତ୍ମକ ମନୋଭାବ ପୋଷଣ ଭଳି ଅନୁଭବ ହେଉଛି। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ହାତୀକୁ ତାର ପୂର୍ବ ସ୍ଥାନକୁ ନେବାପାଇଁ ବ୍ୟବସ୍ଥା କରାଇବାକୁ ସ୍ଥାନୀୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକ ଅନୁରୋଧ କରିଛନ୍ତି। ଯଦି ପ୍ରଶାସନ ତରଫରୁ ଯଥାଶୀଘ୍ର ହାତୀର ଉପଦ୍ରବ ରୁ ରକ୍ଷାକରିବା ପାଇଁ ବ୍ୟବସ୍ଥା ନକରାଯାଏ ତେବେ ହାତୀ ଆତଙ୍କରେ ପ୍ରଭାବିତ ହେଉଥିବା ସମସ୍ତ ଆଦିବାସୀ ସେମାନଙ୍କ ପରିବାରକୁ ଧରି ରାଜରାସ୍ତାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏବେ ଦେଖିବାକୁ ରହିଲା ହାତୀ ଆକ୍ରମଣରେ କୌଣସି ଜୀବନ ଯିବା ପୂର୍ବରୁ ଓ ଏକ ଜନବହୁଳ ଅଞ୍ଚଳରେ ଦୀର୍ଘ ୨ ମାସରୁ ଉର୍ଦ୍ଧ ଦିନ ଧରି ଆତଙ୍କ ଖେଳୁଥିବା ହାତୀକୁ ପ୍ରଶାସନ କେବେ କାବୁ କରୁଛି।

Related Posts

About The Author

Add Comment