ସମ୍ବଲପୁର (ସନ୍ଧାନ ନ୍ୟୁଜ /ହେମନ୍ତ ଭଇଁଷା): ଗଞ୍ଜେଇ ଚାଲାଣ ଉପରେ ରେଢ଼ାଖୋଲ ପୁଲିସର କାର୍ଯ୍ୟାନୁଷ୍ଠାନ। କାର୍ରେ ଗଞ୍ଜେଇ ନେଇ ଯାଉଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତଙ୍କଠାରୁ ପ୍ରାୟ ୨ କେଜି ଗଞ୍ଜେଇ ଜବତ କରାଯାଇଥିବା ଜଣାପଡ଼ିଛି। ଏଥିସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଧଳା ରଙ୍ଗର ଟାଟା ଇଣ୍ଡିଗୋ କାର୍ (ନଂ. OD-02-1617)କୁ ପୁଲିସ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ନଭେମ୍ବର ୩ ତାରିଖରେ ଅଭିଯୁକ୍ତମାନେ ଏକ କାର୍ରେ ଗଞ୍ଜେଇ ନେଇ ଯାଉଥିବା ସମ୍ପର୍କରେ ରେଢ଼ାଖୋଲ ପୁଲିସ କୌଣସି ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ପୁଲିସ ତତ୍ପରତା ପ୍ରକାଶ କରି ପୁରୁଣାଗଡ଼ ଛକ ରେଳ ଓଭରବ୍ରିଜ୍ ନିକଟରେ ଯାନବାହନ ଯାଞ୍ଚ କରିଥିଲା। ଏହି ସମୟରେ ସନ୍ଦେହଜନକ ଭାବେ ଆସୁଥିବା ଉକ୍ତ ଧଳା ଟାଟା ଇଣ୍ଡିଗୋ କାର୍କୁ ଅଟକାଇ ପୁଲିସ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ କାର୍ରୁ ପ୍ରାୟ ୨ କେଜି ଗଞ୍ଜେଇ ମିଳିଥିଲା। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ପରେ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ଆମ୍ବଝରି ନିକଟସ୍ଥ ଗଣ୍ଡପଦା ଗ୍ରାମର ସତ୍ୟନାରାୟଣ ପେରା (୨୬), ବାଉଁସୁଣୀ ଥାନା ଅନ୍ତର୍ଗତ ତାଳୁପାଲି ଗ୍ରାମର ତୁଲୁ ନାଏକ (୨୭) ଏବଂ ପାଲସପାଟ ଗ୍ରାମର ସୁରୁବାବୁ ଭୋଇ (୩୧)। ତିନିଜଣ ଅଭିଯୁକ୍ତ ବୌଦ୍ଧ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତରେ ରେଢ଼ାଖୋଲ ଥାନାରେ କେସ୍ ନମ୍ବର ୨୦୦, ତାରିଖ ୦୩.୧୧.୨୦୨୬ରେ ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(ii)(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି। ପରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି ଆଇନ ଅନୁଯାୟୀ କୋର୍ଟ ଚାଲାଣ କରିଛି। ତେବେ ଏହି ଗଞ୍ଜେଇ କେଉଁଠାରୁ ଅଣାଯାଇଥିଲା, କେଉଁ ସ୍ଥାନକୁ ଚାଲାଣ ହେଉଥିଲା ଏବଂ ଏହି କାରବାରରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ କରାଯାଉଥିବା ଜଣାପଡ଼ିଛି। ଅଳ୍ପ ପରିମାଣର ଗଞ୍ଜେଇ ଜବତ ଘଟଣାରେ ତିନି ଜଣ ଗିରଫ ହେବାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।
କାର୍ରେ ଗଞ୍ଜେଇ ଚାଲାଣ ବେଳେ ପୁଲିସର ଚଢ଼ାଉ, ୩ ଗିରଫ ପୁରୁଣାଗଡ଼ ରେଳ ଓଭରବ୍ରିଜ୍ ନିକଟରୁ ୨ କେଜି ଗଞ୍ଜେଇ ଜବତ, ଟାଟା ଇଣ୍ଡିଗୋ କାର୍ ଜବତ
|
November 3, 2026 |



