ଅଗ୍ନିକାଣ୍ଡ ପୀଡ଼ିତଙ୍କୁ ଭେଟିଲେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ; ତୁରନ୍ତ ସହାୟତା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ

Spread the love

ଯାଜପୁର ୧୮/୦୭ (ସନ୍ଧାନ ନ୍ୟୁଜ):ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତର ନୀଳମଣିଦେଇପୁର ଶାସନ ଗ୍ରାମର ନୋହରା ସାହିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ପରେ ସୁକିନ୍ଦା ବିଧାୟକ ତଥା ରାଜ୍ୟର ସମବାୟ, ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଶନିବାର ପୀଡ଼ିତ ପରିବାରକୁ ଭେଟି କ୍ଷୟକ୍ଷତିର ସମୀକ୍ଷା କରିଥିଲେ।

ମନ୍ତ୍ରୀ ପୀଡ଼ିତ ପରିବାରକୁ ସମବେଦନା ଜଣାଇବା ସହ ବ୍ଲକ ପ୍ରଶାସନକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ନିଜସ୍ୱ ସ୍ତରରୁ ଆର୍ଥିକ ସହାୟତା ଯୋଗାଇବା ସହ ଭବିଷ୍ୟତରେ ସମସ୍ତ ପ୍ରକାର ସହଯୋଗର ଆଶ୍ୱାସନ ମଧ୍ୟ ଦେଇଥିଲେ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ ଆରତ ପେଣ୍ଠେଇଙ୍କ ଦୁଇ ପୁଅ ପ୍ରକାଶ ପେଣ୍ଠେଇ ଓ ବିକାଶ ପେଣ୍ଠେଇଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଅସାବଧାନତାବଶତଃ ନିଆଁ ଲାଗିଯାଇଥିଲା। କିଛି ସମୟ ମଧ୍ୟରେ ନିଆଁ ଉଗ୍ର ରୂପ ଧାରଣ କରି ଦୁଇଟି ଘରକୁ ସମ୍ପୂର୍ଣ୍ଣ ଗ୍ରାସ କରିଥିଲା। ଘର ଭିତରୁ କୌଣସି ସାମଗ୍ରୀ ବାହାର କରିବାକୁ ପରିବାର ଲୋକଙ୍କୁ ସୁଯୋଗ ମିଳିନଥିଲା।

ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ପରେ ଦାନଗଦିରୁ ଦମକଳ ବାହିନୀ ପହଞ୍ଚିଥିଲେ ହେଁ, ସେତେବେଳକୁ ନିଆଁ ଲିଭାଯାଇଥିଲା।

ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର, ଲୁଗାପଟା, ଧାନ, ଚାଉଳ, ବିରୀ ସହ ନଗଦ ଅର୍ଥ ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଏପରିକି ଘରେ ବନ୍ଧା ଥିବା ଏକ ଛେଳି ମଧ୍ୟ ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଥିଲା। ଏହି ଘଟଣାରେ ଦୁଇ ଭାଇଙ୍କ ପରିବାର ସମ୍ପୂର୍ଣ୍ଣ ବାସହରା ହୋଇ ଖୋଲା ଆକାଶ ତଳେ ଜୀବନ ବିତାଇବାକୁ ବାଧ୍ୟ ହୋଇଛନ୍ତି।

ଅନ୍ୟପକ୍ଷରେ, ପୀଡ଼ିତ ପରିବାରକୁ ତୁରନ୍ତ ଜରୁରୀ ସହାୟତା ଯୋଗାଇବା ସହ ସରକାରୀ ଯୋଜନାରେ ନୂତନ ବାସଗୃହ ପ୍ରଦାନ କରିବାକୁ ଗ୍ରାମବାସୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Related Posts

About The Author

Add Comment