ସୁନ୍ଦରଗଡ ତା:୨୪/୪/୨୦୨୬( ସନ୍ଧାନ ନ୍ୟୁଜ) ଜାତୀୟ ପଞ୍ଚାୟତିରାଜ ଦିବସ ଆଜି ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକରେ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି।
ସବଡେଗା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସହ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସ୍ଥାନୀୟ ସାଂସଦ ପ୍ରତିନିଧି ପ୍ରଶାନ୍ତ ସେଠ ସହିତ ସ୍ଥାନୀୟ ବିଧାୟକ ପ୍ରତିନିଧି ଗୁଲସନ କୁମାର ବରୁଆ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ତାଙ୍କ ସହିତ ସବଡେଗା ବ୍ଲକ ଉପାଧ୍ୟକ୍ଷ ଶୁଶାନ୍ତ ବେହେରା, ବିଡିଓ ବିଶ୍ଵନାଥ ସାହୁ , ବ୍ଲକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ,ସବଡେଗା ସରପଞ୍ଚ ଗଣେଶ ପ୍ରଧାନ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଯୋଗ ଦେଇଥିଲେ। ସଭାର ପ୍ରାରମ୍ଭରେ ବିକେନ୍ଦ୍ରୀକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ସରକାରୀ ଯୋଜନାଗୁଡ଼ିକୁ କିପରି ତୃଣମୂଳ ସ୍ତରରେ ପହଞ୍ଚାଯାଇପାରିବ ସେ ନେଇ ବିସ୍ତୃତ ଭାବରେ ବ୍ଲକ ଅଧିକାରୀ ବିଶ୍ଵନାଥ ସାହୁ ଆଲୋକପାତ କରିଥିଲେ । ବିଶେଷ କରି ମହିଳା ସଶକ୍ତିକରଣ ଏବଂ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଗୁରୁତ୍ୱ ଦିଆଯିବା ସହିତ ଜାତୀୟ ପଞ୍ଚାୟତିରାଜ ର ଲକ୍ଷ୍ୟ ବିଷୟରେ ସାଂସଦ ପ୍ରତିନିଧି ପ୍ରଶାନ୍ତ ସେଠ ଅବଗତ କରାଇଥିଲେ । ଲୋକ ସଚେତନ ହେବା ସହିତ ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ଭୂମିକା କେତେ ଓ ତାକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି ବିଧାୟକ ପ୍ରତିନିଧି ଗୁଲଶନ କୁମାର ବରୁଆ ତାଙ୍କ ମତ ରଖିଥିଲେ । ଜାତୀୟ ପଞ୍ଚାୟତିରାଜ ପ୍ରତ୍ୟେକ ଯୋଜନାର କାର୍ଯ୍ୟକାରିତାକୁ ବ୍ଲକ ଉପାଧ୍ୟକ୍ଷ ଶୁଶାନ୍ତ ବେହେରା ଲୋକଙ୍କ ଆଗରେ ଉପସ୍ଥାପନା କରି ତାର ଲାଭ ପାଇବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ପଞ୍ଚାୟତର ପ୍ରତ୍ୟେକ ଲୋକଙ୍କୁ ପଲ୍ଲୀ ସଭା ସହିତ ଗ୍ରାମ ସଭାରେ ଜଡିତ ରହି ପଞ୍ଚାୟତର ବିକାଶ ଦିଗରେ ନିଜକୁ ସହଭାଗୀ ହେବାକୁ ସବଡେଗା ସରପଞ୍ଚ ଗଣେଶ ପ୍ରଧାନ ଆହ୍ଵାନ ଦେଇଥିଲେ ।ବିଭିନ୍ନ ପଞ୍ଚାୟତରେ ଭଲ କାମ କରିବା ସହ ବିଭିନ୍ନ କ୍ଷେତ୍ରରେ ସ୍ୱେଚ୍ଛାସେବୀ ଓ କର୍ମଚାରୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା ।ପଞ୍ଚାୟତ ହେଉଛି ଗଣତନ୍ତ୍ରର ମୂଳଦୁଆ। ଏହି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନଚରଣ ମାଝୀଙ୍କ ବକ୍ତବ୍ୟର ସିଧା ପ୍ରସାରଣ ପ୍ରୋଜେକ୍ଟର ମାଧ୍ୟମରେ ସମସ୍ତେ ଶ୍ରବଣ କରିଥିବା ଦେଖିବାକୁ ମିଳିଥିଲା । ସବଡେଗାରେ ଆଜିର ଏହି ପାଳନ ଉତ୍ସବ ପଞ୍ଚାୟତର ଆବାଳବୃଦ୍ଧବନିତା ମଧ୍ୟରେ ଏକ ନୂଆ ଉତ୍ସାହ ଭରିଦେଇଛି। ବ୍ଲକ ଜି. ପି.ଓ ଅରବିନ୍ଦ ପାଣ୍ଡେ ସମ୍ପୂର୍ଣ କାର୍ଯ୍ୟ ତୁଲାଇଥିବା ବେଳେ ଶେଷରେ ବ୍ଲକ ସି.ଆର.ସି.ସି ଅର୍ଜୁନ ରୋହିଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସବଡେଗା ବ୍ଲକରେ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୬- ପାଳିତ: ଗ୍ରାମାଞ୍ଚଳର ବିକାଶ ପାଇଁ ଶପଥ ନେଲେ ଜନପ୍ରତିନିଧି ସହିତ ସାଧାରଣ ଜନତା
|
April 24, 2026 |



