ଶିକ୍ଷା ବିନା ସମାଜ ଅସମ୍ଭବ:ପ୍ରଫେସର ଗଣେଶୀ ଲାଲ, ଗୁରୁକୁଳ ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

Spread the love

ଯାଜପୁର, ୧୧/୧, (ସନ୍ଧାନ ନିଉଜ) ଆଜି ଅପରାହ୍ଣରେ ୧ଦିନିଆ ଯାଜପୁର ଜିଲ୍ଲା ସରକାରୀ ଗ୍ରସ୍ତ କାର୍ଯ୍ୟକ୍ରମ ଅବସରରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ହରିଦାସପୁରସ୍ଥିତ ଗୁରୁକୁଳ ପବ୍ଲିକ୍ ସ୍କୁଲର ବହୁ ପ୍ରତୀକ୍ଷିତ ବାର୍ଷିକ ଉତ୍ସବ (ଗୁନ୍‌ଗୁନ୍‌-୮)କୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଦିବସ କାର୍ଯ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଅଭୟ କୁମାର ଜେନା,ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାପାତ୍ର,ମୁଖ୍ୟ କାର୍ଯ୍ୟ-ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରବୀର କୁମାର କର,ଅଧ୍ୟକ୍ଷା ଡ଼ଃ. ସସ୍ମିତା ତ୍ରିପାଠୀ,ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପଣ୍ଡା ପୁଷ୍ପଗୁଚ୍ଛ ଦେଇ ରାଜ୍ୟପାଳଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ପାଛୋଟି ନେଇଥିଲେ । ଅନ୍ୟତମ ସମ୍ମାନୀତ ବିଶିଷ୍ଟ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଓ ସ୍ଥାନୀୟ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଅଭିଭାବକ-ଅଭିଭାବିକା ମଧ୍ୟ ଉପସ୍ଥିତ ଥିଲେ । ନିଜ ଅଭିଭାଷଣରେ ରାଜ୍ୟପାଳ କହିଥିଲେ ଯେ ସୂର୍ଯ୍ୟ ଯେପରି ପୃଥିବୀର ଅନ୍ଧକାରକୁ ଦୂର କରନ୍ତି ଠିକ୍ ସେହିପରି ଗୁରୁକୁଳ ଓ ତା’ର ଆଦର୍ଶ ଶିକ୍ଷକମାନେ ଉଚ୍ଚକୋଟୀର ଶିକ୍ଷା ମାଧ୍ୟମରେ ଛାତ୍ର-ଛାତ୍ରୀଙ୍କ ଭବିଷ୍ୟତକ୍‌ୁ ଉଜ୍ଜ୍ୱଳ କରୁଛନ୍ତି । ଶିକ୍ଷା ବିନା ସମାଜ ଅସମ୍ଭବ। ଗ୍ରାମାଂଚଳ ଓ ସହରାଂଚଳ ଶିକ୍ଷାର ଦ୍ରୁତ ପରିବର୍ତନର ଉଦାହରଣ ଦେଇ ରାଜ୍ୟପାଳ କହିଥିଲେ ଯେ ପ୍ରୟୋଗାତ୍ମକ ଏବଂ ପରମ୍ପରା ମିଶ୍ରଣର ଏକ ପ୍ରଗତିଶୀଳ ପଥ ଗୁରୁକୁଳ ପ୍ରଦାନ କରୁଛି । ଏହି ତ୍ୱରାନ୍ୱିତ ଯୁଗରେ ଛାତ୍ର-ଛାତ୍ରୀମାନେ କେବଳ ସଂଖ୍ୟା ନୁହନ୍ତି ବରଂ ଆମ ଦେଶର ଭବିଷ୍ୟତ । ସେମାନଙ୍କ ବର୍ହିବିଭାଗ କାର୍ଯ୍ୟକଳାପରେ ଅଂଶଗ୍ରହଣ, ଦଳଗତ କାର୍ଯ୍ୟଦକ୍ଷତା,ଅଧିକ କଳ୍ପନାକାରୀ,ମନୋନୀତ ଭବିଷ୍ୟତ ଓ ଉତ୍କୃଷ୍ଟ ବୃତିଗତ ସୂକ୍ଷ୍ମ ସନ୍ତୁଳନକୁ ପ୍ରତିଫଳିତ କରିବାରେ ଏହି ଶିକ୍ଷାନୁଷ୍ଠାନ ଅଧିକ ଫଳପ୍ରଦ ବୋଲି ପ୍ରକାଶ କରିଥିଲେ । ତେଣୁ ଅଭିଭାବକମାନେ ପିଲାମାନଙ୍କ ଭବିଷ୍ୟତ ଗଠନରେ ସଚେତନ ଏବଂ ଅଂଶୀଦାର ହେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ସେମାନେ ସୋସିଆଲ ମିଡିଆର ଦାସ ନ ହୋଇ ଅଧିକ ସୃଜନଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ତରଫରୁ ବାର୍ଷିକ ବିବରଣୀ ମୁଖ୍ୟ କାର୍ଯ୍ୟ-ନିର୍ବାହୀ ଅଧିକାରୀ ପାଠ କରିଥିଲେ ଓ ଅତିଥି ପରିଚୟ ଅଧ୍ୟକ୍ଷା ପ୍ରଦାନ କରିଥିଲେ । ବିଭିନ୍ନ ଶୈକ୍ଷିକ ଓ ଅଣଶୈକ୍ଷିକ ବିଭାଗରେ କୃତୀ ଛାତ୍ର-ଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସଙ୍ଗେ ସଙ୍ଗେ ଉତ୍ସାହିତ କରାଯାଇଥିଲା । ଶେଷରେ କୁନି କୁନି ପିଲାମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବଟିକୁ ସଫଳ କରିବାରେ ସମସ୍ତ ଶିକ୍ଷକ-ଶିକ୍ଷିକାଙ୍କ ଅକୁଣ୍ଠ ସହଯୋଗ ରହିଥିଲା ।

Related Posts

About The Author

Add Comment