ଯୁଯୋମୁରା, ୧୪/୬(ସନ୍ଧାନ ନ୍ୟୁଜ୍) : ସରକାର ଗ୍ରାମାଞ୍ଚଳର ବିକାଶ ଏବଂ ସମସ୍ତଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ବିପୁଳ ଅର୍ଥ ବ୍ୟୟ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ କ୍ଷେତ୍ରରେ କିନ୍ତୁ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଅଧିନସ୍ଥ ଜୟନ୍ତପୁର ଗ୍ରାମପଞ୍ଚାୟତର ଦେଦରନୂଆଁପାଲି ଗ୍ରାମର ବୁଦେଲପାଲି ପଡ଼ାବାସୀ ଆଜି ବି ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଧିବାସୀଙ୍କ ସୂଚନା ଅନୁଯାୟୀ, ଏହି ପଡ଼ାରେ ଯାତାୟତ ପାଇଁ ସ୍ଵାଧିନତାର ପରଠାରୁ ଖଣ୍ଡେ ସୁଦୃଢ଼ ରାସ୍ତା ନଥିବା ବେଳେ ପାନୀୟ ଜଳର ଘୋର ସମସ୍ୟା ଦେଖାଦେଇଛି। ସଞ୍ଜ ନଇଁଲେ ପଡ଼ା ସାରା ଅନ୍ଧାର ହୋଇଯାଉଥିଲେ ହେଁ ଷ୍ଟ୍ରିଟ୍ ଲାଇଟ୍ର ମରାମତି ଠିକ ସମୟରେ କରାଯାଉ ନାହିଁ। କେବଳ ସେତିକି ନୁହେଁ, ପଡ଼ାର ମହିଳା ଓ ବୃଦ୍ଧବୃଦ୍ଧାମାନେ ଗାଧୋଇବା ତଥା ଦୈନନ୍ଦିନ ବ୍ୟବହାର ପାଇଁ ନିର୍ଭର କରୁଥିବା ସ୍ଥାନୀୟ ପୋଖରୀର ପାହାଚ ଗୁଡ଼ିକ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଗଲାଣି। ଫଳରେ ଗାଧୋଇବା ସମୟରେ ଅନେକ ସମୟରେ ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି।ପଡ଼ାରେ ସୃଷ୍ଟି ହୋଇଥିବା ଏହି ସବୁ ସମସ୍ୟା ନେଇ ଗ୍ରାମବାସୀମାନେ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ବାରମ୍ବାର ଗୁହାରି କରିଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ କେବଳ ପ୍ରତିଶ୍ରୁତି ମିଳୁଥିବା ବେଳେ କୌଣସି ସୁଫଳ ମିଳୁନଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରଶାସନର ଏଭଳି ଉଦାସୀନ ମନୋଭାବ ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଜନଅସନ୍ତୋଷ ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବୁଦେଲପାଲି ପଡ଼ାର ଯାତାୟତ, ଜଳ, ଗାଧୁଆ ତୁଠ ପାହାଚ ଓ ଆଲୋକ ସମସ୍ୟାର ସମାଧାନ କରିବାକୁ ଗ୍ରାମର ସନ୍ଧ୍ୟାରାଣୀ ଧଳ,ଭୋଲା ବେହେରା, ପ୍ରେମ ଜିତ ଝାଙ୍କର, ରଞ୍ଜନ ଭୋଇ ଦୃଢ଼ ଦାବି କରିଛନ୍ତି।ଏ ଏ ବିଷୟରେ ସରପଞ୍ଚ କହିବା ଅନୁସାରେ କାର୍ଯ୍ୟ ପାଇଁ ଅନୁମତି ମିଳିଛି ଶ୍ରୀଘ୍ର କାର୍ଯ୍ୟ ଆରମ୍ଭ ହେବ। ବିଡିଓ ମଧ୍ୟ ଏ କାର୍ଯ୍ୟ ଶ୍ରୀଘ୍ର ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଛନ୍ତି।




