ମାନବ ବିକାଶରେ ଓଡ଼ିଶା ତଳଆଡୁ ୪ ! ହ୍ୟୁମାନ୍‌ ଡେଭଲପ୍‌ମେଣ୍ଟ ଇଣ୍ଡେକ୍ସର ତଥ୍ୟ

Spread the love

ଭୁବନେଶ୍ୱର ୧୨ /୩ (ସନ୍ଧାନ ନିୟୁଜ/ ପି ରାଉତ) ହ୍ୟୁମାନ୍‌ ଡେଭଲପମେଣ୍ଟ ଇଣ୍ଡେକ୍ସ (ମାନବ ବିକାଶ ସୂଚୀ କ୍ଷେତ୍ର)ରେ ତଳଆଡୁ ୪ର୍ଥ ସ୍ଥାନରେ ଓଡ଼ିଶା ରହିଛି। ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍‌ବିଆଇ) ହ୍ୟୁମାନ୍‌ ଡେଭଲପ୍‌ମେଣ୍ଟ ଇଣ୍ଡେକ୍ସ ରିପୋର୍ଟ ଏହି ତଥ୍ୟ ଦେଇଛି। ସାମାଜିକ କ୍ଷେତ୍ରରେ ବାର୍ଷିକ ଖର୍ଚ୍ଚ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି, ଯାହାକି ଉତ୍ସାହଜନକ।

୧୯୯୦ରୁ ୨୦୧୭ ଗତ ୨୭ ବର୍ଷର ତଥ୍ୟକୁ ହିସାବକୁ ନେଇ ଏସ୍‌ବିଆଇ ପକ୍ଷରୁ ପ୍ରସ୍ତୁତ ମାନବ ବିକାଶ ସୂଚୀରେ ଦେଶର ୨୫ଟି ରାଜ୍ୟଙ୍କ ମଧ୍ୟରେ ୨୨ ତମ ସ୍ଥାନରେ ରହିଛି ଓଡ଼ିଶା। ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନ ଧାରଣର ମାନକୁ ହିସାବକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ୧୯୯୦ରେ ଓଡ଼ିଶା ୦.୪୦ ପଏଣ୍ଟ ପାଇ ୨୩ ତମ ସ୍ଥାନରେ ଥିଲା ୨୭ ବର୍ଷ ପରେ ରାଜ୍ୟର ସ୍କୋର ୦.୬୦ ପଏଣ୍ଟକୁ ବୃଦ୍ଧି ପାଇଥିବା ବେଳେ ଏହା ମାତ୍ର ଗୋଟିଏ ସ୍ଥାନ ଉପରକୁ ଉଠିବାକୁ ସମର୍ଥ ହୋଇଛି।ତେବେ ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସ ବିକାଶ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ୧୦ଟି ରାଜ୍ୟରେ ମଧ୍ୟରେ ରହିଛି। ଉତ୍ତର ଓ ମଧ୍ୟ ଭାରତର ୩ ବୃହତ ହିନ୍ଦୀ ଭାଷାଭାଷୀ ରାଜ୍ୟ ବିହାର, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ, ଓଡ଼ିଶା ପଛକୁ ରହିଥିବା ବେଳେ କେରଳ, ଗୋଆ ଓ ପଞ୍ଜାବ ପ୍ରଥମ ତିନି ସ୍ଥାନରେ ରହିଛନ୍ତି।

ଏହି ସମୟ ମଧ୍ୟରେ ଓଡ଼ିଶାର ଅର୍ଥନୈତିକ ବିକାଶ ହାର ତ୍ୱରାନ୍ୱିତ ହୋଇଥିବା ରିପୋର୍ଟରେ କୁହାଯାଇଛି। ସାମାଜିକ କ୍ଷେତ୍ର ପାଇଁ ରାଜ୍ୟର ବାର୍ଷିକ ଖର୍ଚ୍ଚ ଅଭିବୃଦ୍ଧି ହାର ୧୫.୧ ପ୍ରତିଶତ ରହିଛି। ଯାହାକି ସମଗ୍ର ଦେଶରେ ତୃତୀୟ ଓ ପୂର୍ବ ଭାରତରେ ସବୁଠୁ ଅଧିକ। ରାଜ୍ୟର ଅର୍ଥନୀତିକ ଅଭିବୃଦ୍ଧି କାରଣରୁ ମୁଣ୍ଡପିଛା ଆୟ ମଧ୍ୟ ବଢ଼ିଛି। ମୁଣ୍ଡପିଛା ଆୟ କ୍ଷେତ୍ରରେ ଓଡ଼ିଶା ୪ଟି ସ୍ଥାନ ଉପରକୁ ଉଠିଛି। ତେବେ ଓଡ଼ିଶା ତାଲିକାର ଶେଷ ୪ର୍ଥ ସ୍ଥାନରେ ଥିବାରୁ ଏହାକୁ ନେଇ ଉତ୍ସାହିତ ହେବାର ବିଶେଷ କାରଣ ନାହିଁ ବୋଲି କହିଛନ୍ତି ପ୍ରଫେସର ସନ୍ତୋଷ ତ୍ରିପାଠୀ।

ନବେ ଦଶକରେ ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସ କ୍ଷେତ୍ରରେ ଯେଉଁ ରାଜ୍ୟମାନେ ସବୁଠୁ ପଛରେ ଥିଲେ ୨୦୧୪ରୁ ସେସବୁ ରାଜ୍ୟରେ ସାମାଜିକ କ୍ଷେତ୍ରର ଅଭିବୃଦ୍ଧି ଭଲ ରହିଛି। ଓଡ଼ିଶା ସମେତ କିଛି ରାଜ୍ୟରେ ଏହାର ଦ୍ରୁତ ଅଭିବୃଦ୍ଧି ଘଟିଥିବା କୁହାଯାଇଛି।

Related Posts

About The Author

Add Comment