ଭାଇରାଲ ଚିଠିକୁ ନେଇ ଚର୍ଚ୍ଚା : ଅସ୍ତିତ୍ୱ ହରାଇବ କି ଲାଞ୍ଜିଗଡ଼ ବିଧାନସଭା ଆସନ

Spread the love
  •  
  •  
  •  
  •  
  •  

କଳାହାଣ୍ଡି,ସନ୍ଧାନ ନ୍ୟୁଜ:ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ ସପ୍ତାହେ ବିତିବାକୁ ବସିଲାଣି। ପ୍ରାର୍ଥୀମାନଙ୍କ ଭାଗ୍ୟ ଏବେ ଇଭିଏମ ଭିତରେ ସିଲ ହୋଇ ରହିଛି। କଳାହାଣ୍ଡି ସଂସଦୀୟ ଆସନର ଗୋଟିଏ ଲୋକସଭା ଓ ସାତଟି ବିଧାନସଭା ଆସନରେ ଶତାଧିକ ପ୍ରାର୍ଥୀ ନିଜ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି। ତେବେ ନିର୍ବାଚନ ଶେଷ ହେବା ପରେପରେ କଳାହାଣ୍ଡି ଜିଲ୍ଲାରେ ଏବେ ଭାଇରାଲ ହେଉଥିବା ଏକ ଚିଠିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଚିଠି ଅନୁସାରେ କଳାହାଣ୍ଡି ଜିଲ୍ଲାର ପାଞ୍ଚଟି ବିଧାନସଭା ଆସନର ରୂପରେଖ ସଂପୂର୍ଣ୍ଣ ଭାବେ ବଦଳି ଯାଇଥିବା ଉଲ୍ଲେଖ ରହିଛି। ଚିଠି ସମ୍ପର୍କରେ କୌଣସି ଅଧିକାରିକ ତଥ୍ୟ ମିଳିନଥିଲେ ହେଁ ଏହି ଚିଠି ଅନୁସାରେ ଜିଲ୍ଲାର ଲାଞ୍ଜିଗଡ଼ ବିଧାନସଭା ଆସନକୁ ସଂପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଥିବାବେଳେ ନୂତନ ଭାବେ କୋକସରା ବିଧାନସଭା ଆସନକୁ ଉଲ୍ଲେଖ କରାଯାଇଛି। ପଡୋଶୀ ନର୍ଲା ବିଧାନସଭା ଆସନରେ ଲାଞ୍ଜିଗଡ ବିଧାନସଭାର ଲାଞ୍ଜିଗଡ ବ୍ଲକର ବିଲୟ ଦର୍ଶାଯାଇଥିବାବେଳେ କୋକସରା ବିଧାନସଭା ଆସନରେ ଜୟପାଟଣା ବ୍ଲକ ସାମିଲ ହୋଇଥିବା ଉଲ୍ଲେଖ ରହିଛି। ସେହିପରି ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଥୁଆମୂଳ ରାମପୁର ବ୍ଲକ ଓ ଭବାନୀପାଟଣା ସଦର ବ୍ଲକର ଆଠଗୋଟି ପଂଚାୟତକୁ ଜୁନାଗଡ ବିଧାନସଭା ଆସନରେ ମିଶାଇ ଦିଆଯିବା ଭଳି ଉଲ୍ଲେଖ ରହିଛି। ଯଦି ଏପରି ହୁଏ ତା’ହେଲେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଲାଞ୍ଜିଗଡ ବିଧାନସଭା ଆସନ ସଂପୂର୍ଣ୍ଣ ଭାବେ ନର୍ଲା, ଜୁନାଗଡ଼ ଓ ନୂତନ ଭାବେ ଗଠିତ ହେବ ବୋଲି କୁହାଯାଉଥିବା କୋକସରା ଆସନରେ ବିଲୟ ଘଟିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗତ ୨୦୦୭-୦୮ରେ ସୀମା ନିର୍ଦ୍ଧାରଣ ପରେ ଲାଞ୍ଜିଗଡ ବିଧାନସଭା ଆସନ ସୃଷ୍ଟି ହୋଇଥିବାବେଳେ କୋକସରା ଓ କେସିଙ୍ଗା ଆସନ ଉଚ୍ଛେଦ ହୋଇଥିଲା। ଏବେ ଲାଞ୍ଜିଗଡର ବିଲୟ ଓ କୋକସରା ଆସନର ଅଭ୍ୟୁଦୟ ସମ୍ପର୍କିତ ଏହି ଚିଠି ରାଜନୀତି ବିଶ୍ଲେଷକ ତଥା ସାଧାରଣ ଜନତାଙ୍କୁ ସୁଦ୍ଧା ଭ୍ରମରେ ପକାଉଛି। ତେବେ ବର୍ତ୍ତମାନ ସୁଦ୍ଧା ନିର୍ବାଚନ ଆଚରଣ ବିଧି ହଟିନଥିବାବେଳେ ସୀମା ନିର୍ଦ୍ଧାରଣ ନେଇ କୌଣସି ଅଧିକାରିକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇନାହିଁ। ଲୋକଙ୍କୁ ଭ୍ରମରେ ପକାଉଥିବା ଏହି ଚିଠି ନକଲି ହୋଇପାରେ ବୋଲି କୁହାଯାଉଥିବାବେଳେ ରାଜନେତା ଓ ସାଧାରଣ ଲୋକେ କିନ୍ତୁ ଏହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି। ଏଣୁ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସରକାର ପ୍ରଶାସନ ଓ ଆବଶ୍ୟକ ସ୍ଥଳେ ନିର୍ବାଚନ କମିଶନ ଏହା ଉପରେ ସ୍ପଷ୍ଟୀକରଣ ଦେବା ଅନିବାର୍ଯ୍ୟ ହୋଇପଡିଛି।

Related Posts

About The Author

Add Comment