ଜେନାପୁର /୩୦/୧୦ (ସନ୍ଧାନ ନ୍ୟୁଜ): ବାତ୍ୟା ମୋନ୍ଥାର ପ୍ରଭାବରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ଧାନ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଥିବା ଜଣାପଡିଛି। ବିଭିନ୍ନ ଚାଷୀ ଏହାକୁ ନେଇ ଚିନ୍ତାରେ ରହିଛନ୍ତି। ଅନେକ ସ୍ଥାନରେ ଧାନ ଥୋଡ଼ ବାହାରିବା ସମୟ ହୋଇଥିବା ବେଳେ ବର୍ଷା ପବନ ମାଡ଼ ରେ ବିଲରେ ଧାନ ଗଛ ଶୋଇ ପଡିଛି।ଧର୍ମଶାଳା ବ୍ଲକ ର ମର୍ଜିତାପୁର, ମଧୁସୂଦନପୁର,କବାଟବନ୍ଧ, ରାଇଛନ୍ଦା, ତାଳଜଙ୍ଗ, ରେଖୁଦେଇପୁର, ଏଣ୍ଡଳବା, ଚକ୍ରଧରପୁର, ଅଞ୍ଜିରା, ସାହାଣୀଡ଼ିହ, ଜେନାପୁର, ବୃନ୍ଦାଦେଇପୁର, କମାଗଡ଼, ଅଣ୍ଟିଆ, ପୁରୁଣା ବଉଳମାଳ, ଗଡ଼ମଧୁପୁର, ମହିସରା, ସଂପାରୁ,ଥାନୁଆଳ, ସଂପାରୁ, ପାଖର,ନେଉଳପୁର, ମଙ୍ଗଳପୁର, କୁମାରୀ, କ୍ଷେତ୍ରପାଳ, କଣ୍ଟିଗଡ଼ିଆ, କଦମପାଳ, ଜାରକା, ହରିଦାଶପୁର,ଚହଟା, ବଡ଼କାଏମା, ଅରାବଳ,ଆରୁହା,
ଅଞ୍ଚଳରେ ଅନେକ ଚାଷୀ ଙ୍କ ହେକ୍ଟର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇ ନଷ୍ଟ ହୋଇଛି। ଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ପ୍ରକାଶ କରିଛନ୍ତି। ଧାନ ଅମଳ ଉପଯୋଗୀ ପୂର୍ବରୁ ଅଧା ପାଚିଲା ଧାନ ବାତ୍ୟା ପ୍ରଭାବରେ ନଷ୍ଟ ଆଶଙ୍କା କରି କିଛି ଚାଷୀ ତରବରିଆ ଭାବରେ ଅମଳ କରି ଦେଇଛନ୍ତି। କ୍ଷେତରୁ ସିନା ଧାନ ଅମଳ କରି ଘରକୁ ନେଇ ଆସିଲେ ମାତ୍ର ସମୟ ପୂର୍ବରୁ ତରବରିଆ ଅମଳ ଚାଷୀଙ୍କ ପାଇଁ ଆଉ ଏକ ଚିନ୍ତାଜନକ ସ୍ଥିତି ପହଞ୍ଚାଇଛି। ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ଫସଲ କ୍ଷତି ହେବାର ଆଶଙ୍କା କରି ଚାଷୀ ସମ୍ପୂର୍ଣ୍ଣ ପାଚିବା ପୂର୍ବରୁ ସେମାନଙ୍କ ଧାନ ଅମଳ କରିବାକୁ ବାଧ୍ୟ ହୋଇଛନ୍ତି। କ୍ଷତି କମ କରିବା ଆଶାରେ ସେମାନେ ଯାହା ପାରିବେ ଅମଳ କରିବେ ଏହି ଉଦ୍ଦେଶ୍ୟରେ ଅମଳ ପୂର୍ବରୁ ଅମଳ କରିଥିବା କିଛି ଚାଷୀ ମତ ଦେଇଛନ୍ତି। ମାତ୍ର ବ୍ଲକର ଅନେକ ଅଞ୍ଚଳର ଧାନ ଜମି ଏବେ ବର୍ଷା ମାଡରେ ଜମିରେ ଶୋଇ ପଡ଼ିଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ପାଚି ଆସୁଥିବା ଧାନ କ୍ଷେତରେ ପାଣି ଜମିଗଲା ଯାହା ଫଳରେ ଗୁରୁତର କ୍ଷତି ଏବଂ ସ୍ୱଳ୍ପ ଅମଳ କ୍ଷତି ସହିବାକୁ ବାଧ୍ୟ ହେବେ ଚାଷୀ। ଅଧିକାଂଶ ସ୍ଥାନରେ ଚାଷୀମାନେ ବିଲରୁ ଧାନ ଆଣି ରାସ୍ତା କଡ଼ରେ ମଧ୍ୟ ପକାଇ ରଖିଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ଚାଷୀ କ୍ଷୟ କ୍ଷତି ଆକଳନ ଏବଂ କ୍ଷତି ପୂରଣ ତଥା ସରକାରୀ ସହାୟତା ମଧ୍ୟ ଏବଂ ମାନଦଣ୍ତ ମଧ୍ୟ ଚାଷୀ ପାଇଁ ଆଉ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ସରକାରୀ ନିୟମ ଅନୁଯାୟୀ ଜଣେ ଚାଷୀର ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ ସେ ସରକାରୀ ସହାୟତା ପାଇ ପାରିବ ମାତ୍ର ତା ଠାରୁ କମ କ୍ଷତି ଚାଷୀଙ୍କୁ ସହାୟତା ମିଳିବ ନାହିଁ। ତେବେ କ୍ଷୟ କ୍ଷତି ର ସଠିକ ଆକଳନ ମଧ୍ୟ ଆଉ ଏକ ବଡ଼ ସମସ୍ୟା।ବାତ୍ୟା ପ୍ରଭାବରେ ବର୍ଷା ପବନ ଦ୍ୱାରା ମାସ ମାସର କଠିନ ପରିଶ୍ରମ ପାଣିରେ ପଡିଯିବାକୁ ବସିଛି। ଅନେକ ଚାଷୀ ସେମାନଙ୍କର ଫସଲ ଚାଷ କରିବା ପାଇଁ ଟଙ୍କା ଋଣ କରିଥିଲେ। ବର୍ତ୍ତମାନର କ୍ଷତି ଏବଂ ଅମଳ ନ ହେବାର ସମ୍ଭାବନା ସେମାନଙ୍କ ଆର୍ଥିକ ଭବିଷ୍ୟତ ବିଷୟରେ ଚିନ୍ତା ସୃଷ୍ଟି କରିଛି। ଗୋହିରାଟିକର ମୌଜାରେ ରହିଥିବା ବାରକଣା ଗ୍ରାମର ଚାଷୀ କୈଳାସ ବାରିକ ଙ୍କ ପ୍ରାୟ ୬୦ ଡ଼ିସିମିଲ ରୁ ଅଧିକ ପରିମାଣର ଜମିରେ ଥୋଡ଼ ବାହାରିବା ସମୟରେ ବର୍ଷା ପବନ ମାଡରେ ଧାନ ଗଛ ଶୋଇରହିଛି। ବିଲରେ ପାଣି ଜମିବା ପରେ ଧାନ ଗଛ ପାଣିରେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି।ତୁରନ୍ତ ପ୍ରଶାସନ ତଥା କୃଷି ବିଭାଗ ଅଧିକାରୀ ତଦନ୍ତ କରି କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି। ଅମଳ ସମୟରେ ବିପତ୍ତି ଆମ ପାଇଁ ସବୁଠାରୁ ଅଧିକ କଷ୍ଟ ଦାୟକ ବୋଲି ଚାଷୀମାନେ କହିଛନ୍ତି।



