ବସ୍ତାରେ ଅଗାଡି ରାସ୍ତାରେ କୃଷକ

Spread the love
  •  
  •  
  •  
  •  
  •  
 ଭାରତ ଏକ କୃଷି ପ୍ରଧାନ ଦେଶ । ଏହାର ଶତକଡ଼ା ସତୁରି ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ । ମାତ୍ର ଏବେ କୃଷି କାର୍ଯ୍ୟ ପ୍ରତି ଯୁବପିଢ଼ି ଅନାକୃଷ୍ଟ । ବରଂ କୃଷି ପରିବର୍ତ୍ତେ ବିଦେଶରେ ରହି ଦାଦନ ଖଟିବା ଆଜି ସେମାନଙ୍କର ପ୍ରଥମ ପସନ୍ଦ । ଏହାର କାରଣ ବୋଧ୍ ହୁଏ କୃଷକ ନିଜ ବେକରେ ରସି ଲଗାଇ ନିଜେ ଆତ୍ମହତ୍ୟା କରିବା । ଏ ସବୁର ପ୍ରତ୍ୟକ୍ଷଦର୍ଶୀ ଆଜିର ଯୁବପିଢି ଭାବୁଥିବେ ଯେ, କୃଷକର ଭବିଷ୍ୟତ ଝୁଲନ୍ତା ଶବ ତେଣୁ ମୁଁ ଚାଷ କଲେ ମୁଁ ବି ଦିନେ ଠିକ୍ ଏମିତି ଆତ୍ମହତ୍ୟା କରିବାକୁ ବାଧ୍ୟ ହେବି । ତେବେ ଚାଷୀ ଆତ୍ମହତ୍ୟାର କାରଣ କାହାକୁ ବା ଅଛପା ଅଛି । ବୋଧହୁଏ ବହୁସଂଖ୍ୟକ ରାଜନେତା, ମନ୍ତ୍ରୀ, ଡାକ୍ତର, ଯନ୍ତ୍ରୀ, ଶିକ୍ଷକ, ବୈଜ୍ଞାନିକ, ପ୍ରଶାସକ ଆଦି ବହୁ ବଡ଼ବଡ଼ ପଦପଦବୀ ମଣ୍ଡିତ ବହୁ ଉଚ୍ଚଶିକ୍ଷିତ ବ୍ୟକ୍ତିତ୍ୱମାନେ କୃଷକ ପରିବାରରୁ ହିଁ ଆସିଥିବେ । ସେମାନଙ୍କୁ କଣ ଅଜଣା କୃଷକ ପରିବାରରେ ସୁଖ କେତେ, ଆଉ ଦୁଃଖ କେତେ । ସାରାଦିନ ବିଲରେ ହାଡଭଙ୍ଗା ଖଟଣି ପରେ ଦୁଇ ଓଳି ଦୁଇମୁଠା ଖାଦ୍ୟ, ପିନ୍ଧିବାକୁ ଖଣ୍ଡେ ଭଲ ଲୁଗା, ରହିବାକୁ ବଖୁରିଏ ଭଲ ଘର କି ପିଲାଛୁଆଙ୍କୁ ଭଲ ସ୍କୁଲରେ ପାଠ ପଢାଇବା ତା ପାଇଁ ସାତ ସ୍ଵପ୍ନ । ତା ସୁବିଧା ଅସୁବିଧାରୁ ଆମକୁ ବା ଯାଏ ଆସେ କଣ ? ଆଜ୍ଞା ହଁ ତା ସୁବିଧା ଅସୁବିଧା ବୁଝିବା ଆମର ଆବଶ୍ୟକତା ନଥାନ୍ତା, ଯଦି ସେ ଆର୍ଥିକ ଦୃଷ୍ଟିରୁ ସେତେ ସ୍ଵଚ୍ଛଳ ଓ ସଶକ୍ତ ହୋଇଥା’ନ୍ତା । ସେ ଯେଉଁ ଫସଲ ନିଜ ରକ୍ତକୁ ପାଣି କରି ଉପୁଜାଉଛି ସେଇ ଫସଲ ରକ୍ତ ହୋଇ ପରା ଆମ ସମସ୍ତଙ୍କ ଶିରା ପ୍ରଶିରାରେ ବହୁଛି । ଗରିବ ପାଖରେ ପଖାଳ କଂସା, ବଡ଼ ଲୋକଙ୍କର ପଲଉ ଭାତ । ହେଲେ ସିଏ ପଖାଳ ହେଉକି ପଲଉ ହେଉ ସବୁର ମୂଳ ଆଧାର ପରା ଧାନ ।
ମୋର ଶିକ୍ଷିତ ସମାଜକୁ ଛୋଟିଆ ପ୍ରଶ୍ନ – ଯଦି କୃଷକ ତା ବିଲରେ ଫସଲ ନ ଉପୁଜାଏ ତେବେ ଆମେ ଖାଇବା କଣ ? ବିଡ଼ା ବିଡ଼ା ଟଙ୍କା କଣ ଶସ୍ୟ ପରିବର୍ତ୍ତେ ଆମର ଆହାରର ଚାହିଦା ପରିପୂରଣ କରିପାରିବ । ବାସ୍ତବ ସତ୍ୟ ଏଇଆ ଯେ, ଆମେ ଯେତେ ଅର୍ଥ ଉପାର୍ଜନ କଲେ ବି କୃଷି ଓ କୃଷକ ଉପରେ ନିର୍ଭରଶୀଳ । ହେଲେ ସେ ଯେତେବେଳେ ତାର ପ୍ରତିଟି ଝାଳ ବିନ୍ଦୁର ପ୍ରତିଦାନରେ ମୁଠାଏ ଖାଇବା ଦେଇ ତା ପିଲାଛୁଆଙ୍କ ମୁହଁରେ ଟିକେ ହସ ଫୁଟେଇ ପାରୁନି, ଋଣ ଭାରରେ ଅସ୍ତବ୍ୟସ୍ତ ସେତେବଳେ ତାର କଣ କରିବା ଉଚିତ୍ ? ପ୍ରକୃତିର କଠୋର ନିଷ୍ପତିରେ ବାରମ୍ବାର କ୍ଷେତରେ ଫସଲହାନୀ ହେଉଛି, ଅର୍ଥାତ୍ ଫସଲ କମ୍ ହେଲେ ଅଗାଡି ବେଶୀ ହେଉଛି ସେତେବଳେ ସେ କଣ ବା କରିବ? ତା ବସ୍ତାରେ ଫସଲ ପରିବର୍ତ୍ତେ ଅଗାଡି ପୁରାଇ ସିନା ମନକୁ ବୁଝେଇ ଦଉଛି, ହେଲେ ଯେତେବେଳେ ଯନ୍ତ୍ରଣା ଅସହ୍ୟ ହେଉଛି ଆତ୍ମହତ୍ୟା କରୁଛି ନଚେତ୍ ରାଜରାସ୍ତାକୁ ଓହ୍ଲାଉଛି ନିଜର ହକ୍ ପାଇବା ପାଇଁ । କିନ୍ତୁ ଏଠି ବସ୍ତାରେ ଅଗାଡି, ରାସ୍ତାରେ କୃଷକ ଆଉ ଆମେ କରୁଛେ ଶସ୍ତା ରାଜନୀତି । ମୋ କହିବାର ଅର୍ଥ ହେଉଛି, କେବଳ କୃଷକ କାହିଁକି ସମାବେଶ କରିବ, ରାଜରାସ୍ତାରେ ବସିବ । ତାର ପ୍ରତ୍ୟେକ ଝାଳବିନ୍ଦୁର ପ୍ରତିଦାନକୁ ଆମେ ନେତା ଠୁଁ ଅଫିସର ମାନେ ସମସ୍ତେ ତ ଉପଭୋଗ କରୁଛେ ତେବେ ଆମେ କାହିଁକି ତା ପାଇଁ ନୁହେଁ । ଆମେ କାହିଁକି ତା ପାଇଁ ସ୍ଵର ଉତ୍ତୋଳନ କରିବାନି । ଆମେ କାହିଁକି ତା ନାର୍ଯ୍ୟ ଦାବିର ସଂଗ୍ରାମରେ ସହଯୋଗୀଟିଏ ହେବାନି ।
ଏହା କଣ ଆମ ପ୍ରତ୍ୟେକ ନାଗରିକ ମାନଙ୍କର କର୍ତ୍ତବ୍ୟ ନୁହେଁ । ବରଂ ନା ଆମେ କେବଳ ଶାସନକଳ, ସରକାରଙ୍କର ଦୋଷ ଦେଇ ଚୁପ୍ ବସି ଯାଉଛେ । ସରକାର କାଳିଆ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଭଳି ବିଭିନ୍ନ କୃଷକ କଲ୍ଯାଣ ଯୋଜନାର ଭେଳିକି ଲଗାଇ ରାଜନୀତି କରୁଛନ୍ତି କିନ୍ତୁ ପ୍ରକୃତ କୃଷକ ପାଖରେ ଯୋଜନା ଅପହଞ୍ଚ । ଆଜିବି ଲକ୍ଷାଧିକ ଗରିବ କୃଷକ ଏହିସବୁ ଯୋଜନାର ଆଢୁଆଳରେ। ପାଇପାରୁନାହାନ୍ତି ଯୋଜନାର ସୁବିଧା ସୁଯୋଗ । ମାତ୍ର ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ କୃଷକ କଲ୍ୟାଣ ଯୋଜନା ଗୁଡିକର ଫାଇଦା ନେଇଛନ୍ତି କୁଜିନେତା ମାନେ । ସେଥିପାଇଁ କହିଛି ବସ୍ତାରେ ଅଗାଡି, ରାସ୍ତାରେ କୃଷକ ଆଉ ଆମେ କରୁଛେ ଶସ୍ତା ରାଜନୀତି । ଏହା ଦ୍ଵାରା ଆମେ ଭବିଷ୍ୟତ ପିଢ଼ିକୁ ସଜାଗ କରିଦେଉଛେ ଯେ, ଯିଏ କୃଷକ ହେବ ସିଏ ମରିବ । ମୃତ୍ଯୁ କୃଷକର ସର୍ବଶ୍ରେଷ୍ଠ ପୁରସ୍କାର । ତେଣୁ ମୃତ୍ୟୁକୁ କାହାର ବା ଭୟ ନାହିଁ । ସେଥିପାଇଁ ବୋଧହୁଏ ଆଜିର ଯୁବ ପିଢି କୃଷି କାର୍ଯ୍ୟର ବିପରୀତ ମୁହାଁ ।
                 ଭୁଲ ଥିଲେ କ୍ଷମା କରିବେ, ମୁଁ କୃଷକ ପରିବାରରୁ । ତେଣୁ କୃଷକର ଦୈନନ୍ଦିନ ଜୀବନକୁ ବହୁତ ପାଖରୁ ହୃଦୟଙ୍ଗମ କରିଛି । ତେଣୁ ଦୁଇପଦ ଯାହା ମୋ ମନରେ ଥିଲା ଲେଖିଦେଲି । ହେଲେ ସମସ୍ତଙ୍କୁ ମୁଁ ଏତିକି ଅନୁରୋଧ କରୁଛି, କୃଷକ ପାଇଁ ଖାଲି ସେ ନୁହେଁ ଆମେ ସମସ୍ତେ ଆଗେଇ ଆସିବା ଉଚିତ୍ । ସମସ୍ତେ ନିଜ ନିଜ ସ୍ତରରେ ଚେଷ୍ଟାକରିବା, ସହଯୋଗ କରିବା ଯେପରି ସେ ତାର ନାର୍ଯ୍ୟ ପ୍ରାପ୍ୟ ପାଉ । ଆଗକୁ ଆଉ କୃଷକଟିଏ ଆତ୍ମହତ୍ୟା ନକରୁ । ଯୁବପିଢ଼ି କୃଷି କାର୍ଯ୍ୟକୁ ଭୟନକରି ଆଦର କରନ୍ତୁ । ନଚେତ୍ ଭବିଷ୍ୟତରେ ଖାଇବା ପାଇଁ ଖାଦ୍ୟଶସ୍ୟ ରହିବନି, ରହିବ କୁଢ କୁଢ ଟଙ୍କା ।
ଚିତ୍ତରଞ୍ଚନ ସିଂହ,
ରାହାଳ, କୃଷ୍ଣପୁରଶାସନ,
ଯାଜପୁର, 

Related Posts

About The Author

Add Comment