ଜମନକିରା ବ୍ଲକ ସର୍ଡ଼ା ଗ୍ରାମ ପଞ୍ଚାୟତ; ଜାତୀୟ ପଞ୍ଚାୟତ ଆୱାର୍ଡ଼ ପାଇଁ ମନୋନୀତ

Spread the love

ଜମନକିରା,(ସନ୍ଧାନ ନ୍ୟୁଜ ) : ସମ୍ବଲପୁର ଜିଲ୍ଲା ସର୍ଡା ଗ୍ରାମ ପଞ୍ଚାୟତ କୁ ଜାତୀୟ ପଞ୍ଚାୟତ ଆୱାର୍ଡ଼ ପାଇଁ ମନୋନୀତ କରାଯାଇଥିବା ନେଇ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି ସଂଖ୍ୟା ୧୧୦୧୯/୧୮/୨୦୨୦ ତାରିଖ ୧୨/୦୫/୨୦୨୬ ରେ ଓଡ଼ିଶା ରାଜ୍ୟର ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ସର୍ଡ଼ା ଗ୍ରାମ ପଞ୍ଚାୟତ କୁ ସ୍ୱତନ୍ତ୍ର ପରିବେଶ ସୁରକ୍ଷା ପଞ୍ଚାୟତ ଆୱାର୍ଡ଼ ୨୦୨୪-୨୫ ଆର୍ଥିକ ବର୍ଷରେ ମନୋନୀତ କରାଯାଇଛି। ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜାତୀୟ ପଞ୍ଚାୟତ ଆୱାର୍ଡ଼ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି କ୍ରମରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଏବଂ ବିହାର ସ୍ଥାନ ପାଇଛି। ଓଡ଼ିଶା ରାଜ୍ୟ ସରକାର ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସର୍ଡ଼ା ପଞ୍ଚାୟତ କୁ ଏହି ଆୱାର୍ଡ଼ରେ ସାମିଲ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଦିଗଦର୍ଶନରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ ପାତ୍ରଙ୍କ ପରାମର୍ଶ କ୍ରମେ ସର୍ଡ଼ା ଗ୍ରାମ ପଞ୍ଚାୟତରେ ପରିବେଶ ପ୍ରଦ୍ୟୁଷଣ ମୁକ୍ତ ନେଇ କାର୍ଯ୍ୟକ୍ରମ ଗତ ୨୦୨୪- ୨୫ ରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ବର୍ତ୍ତମାନ ଅବସ୍ଥାନ କରୁଥିବା ବିଡ଼ିଓ ସେଠୀଙ୍କ ନେତୃତ୍ୱରେ ଗତ କିଛି ମାସ ହେବ ଉକ୍ତ ପଞ୍ଚାୟତରେ ପରିବେଶ ସୁରକ୍ଷା ନେଇ ସୋଲାର ର ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରକଳ୍ପ କୁ କାର୍ଯ୍ୟକ୍ଷମ କରେଇଥିଲେ। ସୋଲାର ଦ୍ୱାରା ବିଦ୍ୟୁତ ଉତ୍ପାଦନ, ସୋଲାର ଦ୍ୱାରା ବିଭିନ୍ନ ପ୍ରକାରର ଲାଇଟ୍ ବ୍ୟବସ୍ଥା, ଆଲୋକି କରଣ, ରନ୍ଧନ ପ୍ରକ୍ରିୟା, ମୋଟର ପମ୍ପ ଦ୍ୱାରା ଜଳ ଯୋଗାଣ ପ୍ରଭୁତି ବହୁଳ ଭାବେ ପ୍ରଚଳନ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଖରିଫ ଓ ରବି ଚାଷ ପାଇଁ ଜୈବିକ ପଦ୍ଧତିରେ ଚାଷ କାର୍ଯ୍ୟ କରେଇବା ଭଳି ଯୋଜନା ଆରମ୍ଭ କରାଯାଇଥିଲା। ଏଥିସହ ବନ ବିଭାଗ ସହାୟତାରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଛି। ପ୍ରତ୍ୟେକ ବ୍ୟକ୍ତି ପ୍ରତି ଗୋଟେ ଲେଖାଏଁ ଗଛ ଲଗେଇ ନିଜେ ତାର ଯତ୍ନ ନେବା ପାଇଁ ପ୍ରୋତ୍ସାହିତ କରାଯାଇଛି। ମୃତ୍ତିକା ବିଭାଗ, କୃଷି ବିଭାଗ ଏବଂ ଉଦ୍ୟାନ ବିଭାଗ ପକ୍ଷରୁ ମଧ୍ୟ ଅନେକ ଯୋଜନା ହାତକୁ ନେଇ ବ୍ଲକ ପ୍ରଶାସନ ସହଯୋଗରେ ଚାଷ ସମ୍ବନ୍ଧିତ କାର୍ଯ୍ୟକ୍ରମ କରାଯାଉଛି। ପ୍ରକାଶ ଥାଉ କି ଏହି ସର୍ଡ଼ା ଗ୍ରାମ ପଞ୍ଚାୟତ ଟି ବଣ ପାହାଡ଼ ଘେରା ପ୍ରାକୃତିକ ଜଙ୍ଗଲ ଭରା ପରିବେଶ ହୋଇଥିବା ବେଳେ ୮/୯ ବର୍ଷ ତଳେ ତତ୍କାଳୀନ ସମ୍ବଲପୁର ଲୋକସଭା ସାଂସଦ ନଗେନ୍ଦ୍ର ପ୍ରଧାନ ଏଵଂ ତତ୍କାଳୀନ ସମ୍ବଲପୁର ଜିଲ୍ଲାପାଲ ବଳବନ୍ତ ସିଂ ଏହି ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିଲେ। ଆଉ ଏବେ ଏହି ଗ୍ରାମ ପଞ୍ଚାୟତ ଟି କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ପଞ୍ଚାୟତ ଆୱାର୍ଡ଼ ପାଇଁ ମନୋନୀତ ହୋଇ ପାରିଛି। ତତ୍ ସହିତ ସମ୍ବଲପୁର ଜିଲ୍ଲା ସମଗ୍ର ରାଜ୍ୟରେ ଗ୍ରାମୀଣ ଗୃହ ନିର୍ମାଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ଗତ ବଲାଙ୍ଗୀର ରେ ଆୟୋଜିତ ଆୱାର୍ଡ଼ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପୁରସ୍କୃତ ହୋଇଛନ୍ତି। ଏହି ଜାତୀୟ ସ୍ତରରେ ସ୍ୱତନ୍ତ୍ର ପଞ୍ଚାୟତ ଆୱାର୍ଡ଼ ପାଇଁ ଓଡ଼ିଶାର ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସର୍ଡ଼ା ଗ୍ରାମ ପଞ୍ଚାୟତ ମନୋନୀତ ହୋଇଥିବାରୁ ରାଜ୍ୟ ସରକାରଙ୍କ ସମେତ, ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ, ସର୍ଡ଼ା ପଞ୍ଚାୟତରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ଖୁସି ବ୍ୟକ୍ତ କରିଛନ୍ତି।

Related Posts

About The Author

Add Comment