ଜେନାପୁର/୧୪/୫(ସନ୍ଧାନ ନ୍ୟୁଜ ):ଓଡ଼ିଶାର ପାରମ୍ପରିକ ଲୋକକଳା ‘ପାଲା’ ମାଧ୍ୟମରେ ଆଧ୍ୟାତ୍ମିକତାର ସୁଅ ଛୁଟିଛି ଯାଜପୁର ଜିଲ୍ଲାର କଲାଣ୍ଡ ଗ୍ରାମରେ। ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତ ଅନ୍ତର୍ଗତ ଏହି ପ୍ରାଚୀନ ଗ୍ରାମରେ ଅନୁଷ୍ଠିତ ହେଉଥିବା ତିନି ଦିନିଆ ପାଲା ପରିବେଷଣ କାର୍ଯ୍ୟକ୍ରମ ଗୁରୁବାର ଅତ୍ୟନ୍ତ ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ପାଲା ଗାୟକ ବିଶାରଦ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ଦାସ ଓ ତାଙ୍କ ସହଯୋଗୀ ଦଳ ନିଜର ଶାଣିତ ଶୈଳୀରେ ପାଲା ପରିବେଷଣ କରିଥିଲେ। ପାଞ୍ଚ ଦେବତାଙ୍କ ବନ୍ଦନା ସହ ଆରମ୍ଭ ହୋଇଥିବା ଏହି ଆସରରେ ପୁରାଣର ଜଟିଳ ତଥ୍ୟକୁ ସରଳ ଭାବରେ ବ୍ୟାଖ୍ୟା କରି ଗାୟକ ଶ୍ରୋତାମାନଙ୍କୁ ବାନ୍ଧି ରଖିଥିଲେ। ବିଭିନ୍ନ ପୌରାଣିକ ଆଖ୍ୟାନକୁ ନେଇ ଚାଲିଥିବା ଆଲୋଚନା ଓ ସମାଲୋଚନା ଏବଂ ଶାସ୍ତ୍ରୀୟ ଯୁକ୍ତିତର୍କ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା। ହଜିଯାଉଥିବା ଏହି ପାରମ୍ପରିକ କଳା ପ୍ରତି ଲୋକଙ୍କ ଆଦର ଆଜି ମଧ୍ୟ ରହିଛି, ତାହା କଲାଣ୍ଡ ଗ୍ରାମର ଏହି ଭିଡ଼ରୁ ସ୍ପଷ୍ଟ ପ୍ରମାଣିତ ହୋଇଥିଲା। କେବଳ କଲାଣ୍ଡ ନୁହେଁ, ବରଂ ଆଖପାଖ ଅଞ୍ଚଳର ଶତାଧିକ ପାଲା ପ୍ରେମୀ ଏହି ଆଧ୍ୟାତ୍ମିକ ଆସରର ଭରପୂର ଆନନ୍ଦ ନେଇଥିଲେ। ଗ୍ରାମର ଶାନ୍ତ ଓ ଶୃଙ୍ଖଳିତ ପରିବେଶ ମଧ୍ୟରେ ଝାଞ୍ଜ ଓ ମୃଦଙ୍ଗର ତାଳେ ତାଳେ ଗାୟକଙ୍କ କଣ୍ଠରୁ ନିସୃତ ସାହିତ୍ୟିକ ଛନ୍ଦ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ଗ୍ରାମର ବରିଷ୍ଠ ବ୍ୟକ୍ତିବିଶେଷ ଓ ଆୟୋଜକ କମିଟିର ପ୍ରଚେଷ୍ଟା ଯୋଗୁଁ ଏହି ବହୁ ପୁରାତନ ପରମ୍ପରା ଆଜି ମଧ୍ୟ ଜୀବନ୍ତ ରହିପାରିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ଏହି ତିନି ଦିନିଆ କାର୍ଯ୍ୟକ୍ରମ ଅଞ୍ଚଳରେ ଏକ ଭକ୍ତିପୂତ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି।
କଲାଣ୍ଡ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ: ପାଲା ଗାୟନରେ ବିଭୋର ହେଲେ ଶ୍ରୋତା
|
May 15, 2026 |



