ବଢ଼ିବ ତାତି,  ଝଡ଼ବର୍ଷା ସମ୍ଭାବନା

Spread the love
ଭୁବନେଶ୍ବର,୨୧/୦୪ (ସନ୍ଧାନ ନିଉଜ) : ରାଜ୍ୟବ୍ୟାପୀ ଅସମ୍ଭାଳ ତାତି ଲାଗିରହିଥିବାବେଳେ ସପ୍ତାହକ ଭିତରେ ତାତିରୁ ଆଶ୍ବସ୍ତି ମିଳିବାର ସମ୍ଭାବନା ନାହିଁ। ଆସନ୍ତା ୪୮ଘଣ୍ଟାରେ ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା ସହିତ ଅଧିକାଂଶ ଜିଲାରେ ଝଡ଼, କୁଆପଥର ବୃଷ୍ଟି ଓ ବଜ୍ରପାତର ଆଶଙ୍କା ରହିଛି। ଏଥିପାଇଁ ୨୧ଟି ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି।
ରାଜ୍ୟରେ ଗ୍ରୀଷ୍ମପ୍ରବାହରୁ ତ୍ରାହି ମିଳୁନି। ସୋମବାର ରାଜ୍ୟର ୫ଟି ସହରରେ ତାପମାତ୍ରା ୪୦ଡ଼ିଗ୍ରୀ ଅତିକ୍ରମ କରିଛି। ବଲାଙ୍ଗୀରରେ ତାପମାତ୍ରା ସର୍ବାଧିକ ୪୧.୫ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ସେହିପରି ବୌଦ୍ଧ, ଟିଟିଲାଗଡ଼, ମାଲକାନଗିରି, ତାଳଚେରରେ ପାରଦ ୪୦ଡ଼ିଗ୍ରୀ ଉପରେ ରହିଛି। ଝାରସୁଗୁଡ଼ା, ଭବାନିପାଟଣା, ସୋନପୁର, ସମ୍ବଲପୁର, ଅନୁଗୋଳ, ହୀରାକୁଦ, ନୟାଗଡ଼ରେ ପାରଦ ୩୯ରୁ ୪୦ଡ଼ିଗ୍ରୀ ମଧ୍ୟରେ ରହିଛି। ଆସନ୍ତା ଦୁଇ ଦିନ ଧରି ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଫଳରେ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ରହିବ।
ଆସନ୍ତା ୨୪ଘଣ୍ଟା ଭିତରେ ଉତ୍ତର ଓଡ଼ିଶା ଉପକୂଳର ଅଧିକାଂଶ ଅଞ୍ଚଳରେ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଉପକୂଳରେ ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ। ତେବେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଢ଼େଙ୍କାନାଳର କିଛି ଅଞ୍ଚଳରେ ୫୦ରୁ ୬୦କିମି ବେଗରେ ପବନ ବହିବା ସହିତ ବଜ୍ରପାତ ଏବଂ ବର୍ଷାର ସମ୍ଭାବନା ରହିଛି। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁରର କିଛି ଅଞ୍ଚଳରେ କୁଆପଥର ବୃଷ୍ଟି ହୋଇପାରେ। ଏଥିପାଇଁ ଉପରୋକ୍ତ ଜିଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, ପୁରୀ, ଜଗତସିଂହପୁରରେ ୩୦ରୁ ୪୦କିମି ବେଗରେ ପବନ ସହିତ ବର୍ଷା ହୋଇପାରେ।

Related Posts

About The Author

Add Comment