ରାଉରକେଲା, ୪/୭ (ସନ୍ଧାନ ନିୟୁଜ/ଶିବାରାମ ପାତ୍ର): ଦୀର୍ଘ ୬ ଦଶନ୍ଧୀ ଧରି ଦକ୍ଷିଣ ରାଉରକେଲା ନିକଟ ସହରତଳି ଅଂଚଳରେ ଗଢି ଉଠିଥିଲା ଟାଙ୍ଗରପାଲୀ। ମାତ୍ର ପ୍ରଶାସନିକ ତ୍ୱରିତ ପଦକ୍ଷେପ ଅଭାବ ଯୋଗୁ ଏହି ଅଂଚଳରେ ବିକାଶର ଗତି ମନ୍ଥର ହୋଇ ପଡ଼ିଥିବା ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଛି। ବହୁ ଦିନରୁ ଗଢି ଉଠିଥିବା ଟାଙ୍ଗରପାଲୀ ଅଂଚଳ ଆରଏସପି ଅଥବା ପଂଚାୟତ ଅଧିନରେ ଆସୁନଥିବାରୁ ଏହା ପ୍ରାୟତଃ ତ୍ରୀଶଙ୍କୁ ଅବସ୍ଥାରେ ଝୁଲି ରହିଛି। କିଛି ସରକାରୀ ଯୋଜନାର ସୁଫଳ ବସ୍ତି ବାସିନ୍ଦା ମାନେ ପାଇ ପାରୁଥିବା ବେଳେ ଅନେକ ଯୋଜନାରୁ ଯୋଜନ ଦୂରରେ ବସ୍ତି ବାସିନ୍ଦା। ଟାଙ୍ଗରପାଲୀ ନାମକୁ ନେଇ ସାରନଗରୀରେ ଟାଙ୍ଗରପାଲୀ ଥାନା, ଡାକଘର ଚାଲୁଛି, ହେଲେ ଟାଙ୍ଗରପାଲ୍ଲୀ ଅଂଚଳର ୨୦ରୁ ଉର୍ଦ୍ଧ ବସ୍ତି ବାସିନ୍ଦା ବର୍ତ୍ତମାନ ସୁଦ୍ଧା ଅବହେଳିତ ଅବସ୍ଥାରେ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛନ୍ତିି ବୋଲି ବସ୍ତି ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି। ଦକ୍ଷିଣ ରାଉରକେଲା ସହରତଳି ଅଂଚଳରେ ଥିବା ଟାଙ୍ଗରପାଲୀରେ ମୁଖ୍ୟତଃ ଆଦିବାସୀ ସଂପ୍ରଦାୟର ଲୋକ ମାନେ ବସବାସ କରନ୍ତି। ଏହି ଅଂଚଳରେ ଭାଟି ବସ୍ତି, ମୁଣ୍ଡାବସ୍ତି, ପାତ୍ରବସ୍ତି, ମାଟିଆଡେରା, ସାଗହୁରି ବସ୍ତି, ଝାରମୁଣ୍ଡା ବସ୍ତି, ଘାସିବସ୍ତି, ଡାବରବସା, ଯୋଯୋ ବସ୍ତି, ମୁଣ୍ଡାଟୋଲି, ବିରୁଡ଼ି ବସ୍ତି, ସମରା ବସ୍ତି, ତୁରୀ ବସ୍ତି ରହିଛି। ସମସ୍ତ ବସ୍ତିର ଲୋକସଂଖ୍ୟା ପ୍ରାୟ ୫ ହଜାର। ଭୋଟର ତାଲିକା ଅନୁସାରେ ସର୍ବମୋଟ ଭୋଟର ୩୪୦୦। ଏହି ସବୁ ବସ୍ତିକୁ ଯିବା ପାଇଁ ବହୁ ଦିନ ହେଲା ପକ୍କା କଂକ୍ରିଟ ରାସ୍ତା ନିର୍ମାଣ କରାଯାଇ ନାହିଁ। ବସ୍ତି ବାସିନ୍ଦାଙ୍କ କହିବା ଅନୁଯାୟୀ, କଂକ୍ରିଟ ରାସ୍ତା ନିର୍ମାଣ ତଥା ରାସ୍ତାର ମରାମତି ପାଇଁ ଦାବି କରାଯିବା ପରେ କିଛି ରାସ୍ତା ନିର୍ମାଣ ପାଇଁ ଟାଙ୍ଗରପାଲୀ ବିଧାୟକ ପ୍ରତିଶୃତି ଦେବା ସହ ରାସ୍ତା କାର୍ଯ୍ୟ ପାଇଁ ଯଦିଓ ବାଟ ଫିଟିଛି ତଥାପି ବର୍ତ୍ତମାନ ସୁଦ୍ଧା ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ବର୍ଷା ଦିନ ପୂର୍ବରୁ ରାସ୍ତା କାର୍ଯ୍ୟ ସମୂର୍ଣ୍ଣ କରିବାକୁ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି। କେବଳ ମୁଖ୍ୟ ରାସ୍ତା ନୁହେଁ, ବସ୍ତିର ଗଳିକନ୍ଦି ରାସ୍ତାର ଅବସ୍ଥା କହିଲେ ନସରେ। ବର୍ଷାଦିନେ ଏହି ରାସ୍ତାରେ ଯିବା ଆସିବା କରିବା ପ୍ରକାର ମୁସ୍କିଲ ହୋଇପଡେ। ଏହି ଅଂଚଳରୁ ସାରନଗରୀର ବିଭିନ୍ନ ବିଦ୍ୟାଳୟକୁ ଅଧ୍ୟୟନ କରିବାକୁ ଯାଉଥିବା ଛାତ୍ରଛାତ୍ରୀ ମାନେ ରାସ୍ତାରେ ଯିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସମୟ ସମୟରେ ଛୋଟ ବଡ଼ ଦୁର୍ଘଟଣାର ଶୀକାର ଛାତ୍ରଛାତ୍ରୀ ମାନଙ୍କୁ ହେବାକୁ ପଡ଼ିବା ନଜିର ରହିଛି। ଏଠାରେ ଚିକିତ୍ସା ସୁବିଧା ଏକ ପ୍ରକାର ଅପହଂଚ କହିଲେ ଚଳେ। ରାତି ଅଧରେ କୌଣସି ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିଲେ ବସ୍ତି ଲୋକ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ବୋଲି ବସ୍ତି ବାସିନ୍ଦାଙ୍କ ମୁହଁରୁ ଶୁଣିବାକୁ ମିଳେ। ଏଠାରୁ ପ୍ରାୟ ୨୦ କିଲୋମିଟର ଦୂର ରାଉରକେଲା ସରକାରୀ ହସ୍ପିଟାଲ ଯିବାକୁ ପଡିଲେ ପ୍ରାୟ ୧ ଘଂଟାରୁ ଅଧିକ ସମୟ ଲାଗିଥାଏ। ସମୟ ସମୟରେ ଗୁରୁତର ରୋଗୀ ଯିବା ବାଟରେ ମୃତ୍ୟୁମୁଖରେ ମଧ୍ୟ ପଡ଼ିଥାଏ। ଟାଙ୍ଗରପାଲ୍ଲୀ ଅଂଚଳରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରିବା ଲାଗି ବହୁ ଦିନରୁ ଦାବି ହୋଇ ଆସୁଥିଲେ ସୁଦ୍ଧା ଅଦ୍ୟାବଧି ଏହା ହୋଇ ପାରିନାହିଁ। ଯାହାକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ସେହିପରି ଏଠାରେ ଥିବା ପ୍ରାୟ ବସ୍ତି ଯେପରି ପାତ୍ର ବସ୍ତି, ସମରା ବସ୍ତି, ତୁରୀ ବସ୍ତିରେ ପାନୀୟ ଜଳ ଏକ ପ୍ରମୁଖ ସମସ୍ୟା। ଗ୍ରୀଷ୍ମ କାଳରେ ଏହି ସମସ୍ୟା ଜଟିଳରୁ ଜଟିଳତର ହୋଇଥାଏ ବୋଲି ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ଉଠେ। ଯଦିଓ ଏହି ଅଂଚଳରେ ୬ରୁ ଉର୍ଦ୍ଧ ନଳକୂପ ରହିଛି। ତାହା ଯଥେଷ୍ଟ ନୁହେଁ। ସମୟ ସମୟରେ କିଛି ନଳକୂପ ଅଚଳ ହୋଇ ଯିବା ଯୋଗୁ ବସ୍ତିର ଉଭୟ ପୁରୁଷ ଓ ମହିଳା ଏଠାରୁ ପ୍ରାୟ ୧ କିଲୋମିଟର ଚାଲି ପାନୀୟ ଜଳ ସଂଗ୍ରହ କରିଥାନ୍ତି। ନଳକୂପ ମରାମତି ପାଇଁ ବାରମ୍ବାର ପିଏଚଡ଼ି କର୍ମୀ ମାନଙ୍କୁ ଗୁହାରି କରିବା ପରେ ସପ୍ତାହ ଦି ସପ୍ତାହ ପରେ ନଳକୂପ ମରାମତି ହୋଇଥାଏ ବୋଲି ସମରାବସ୍ତିର ଜଣେ ବାସିନ୍ଦା ପ୍ରକାଶ କରିଛନ୍ତି। ଟାଙ୍ଗରପାଲୀ ଅଂଚଳରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାରେ ଥିବା ୨୦ଟି ବସ୍ତି ପାଇଁ ଚାଲିଛି ଏକମାତ୍ର ଅଙ୍ଗନବାଡି କେନ୍ଦ୍ର। ଏହି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ ହୋଇନଥିବା ଯୋଗୁ ଏହା ବର୍ତ୍ତମାନ ଭଡ଼ାସୂତ୍ରରେ ଏକ ଘରେ ଚାଲୁଛି। ଅଙ୍ଗନବାଡି କେନ୍ଦ୍ରର ବାହାରେ ନାମଫଳକ ଦେଖିବାକୁ ମିଳୁନାହିଁ। ଏଠାରେ ଶୈକ୍ଷିକ ପରିବେଶ ମଧ୍ୟ ସେତେଟା ଅନୁକୂଳ ନୁହେଁ ବୋଲି ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି। ବହୁବାର ଏଠାରେ ଅଙ୍ଗନବାଡ଼ିର ସୁପରିଚାଳନା ପାଇଁ ଏକ ସ୍ଥାୟୀ ପକ୍କାଘର ନିର୍ମାଣ ପାଇଁ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଦାବି କରାଯାଇଥିଲେ ସୁଦ୍ଧା ଏଯାଏ ତାହା ସମ୍ଭବ ହୋଇପାରିନାହିଁ। ବସ୍ତି ବାସିନ୍ଦାଙ୍କ ସ୍ୱପ୍ନ କେବଳ ସ୍ୱପ୍ନରେ ରହି ଯାଇଛି ବୋଲି ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ସାରାଦେଶରେ ସ୍ୱଚ୍ଛ ଭାରତ ମିଶନ ଚାଲୁଥିବା ବେଳେ, ଟାଙ୍ଗରପାଲୀ ବସ୍ତି ଗୁଡ଼ିକରେ ସ୍ୱଚ୍ଛ ଭାରତ ମିଶନ ବାଟବଣା ହୋଇ ପଡ଼ିଛି। ଏଯାଏ ଏଠାରେ ଗୋଟିଏ ହେଲେ ଶୌଚାଳୟ ସରକାରଙ୍କ ପକ୍ଷରୁ ନିର୍ମାଣ ହୋଇ ପାରିନାହିଁ। ଶୌଚାଳୟ ଅଭାବରୁ ବସ୍ତି ବାସିନ୍ଦା ବାହାରେ ମଳତ୍ୟାଗ କରୁଛନ୍ତି। ଫଳରେ ବସ୍ତି ନିକଟରେ ପରିବେଶ ଦୂଷିତ ହେବା ସହ ପୂତିଗନ୍ଧମୟ ବାତାବରଣ ସୃଷ୍ଟି ହୋଇ ମଶା, ମାଛିଙ୍କ ବଂଶ ବୃଦ୍ଧିରେ ସହାୟକ ହେଉଛି। ଫଳରେ ନାନା ସମୟରେ ବିଭିନ୍ନ ରୋଗ ବସ୍ତି ବାସିନ୍ଦାଙ୍କୁ ସଂକ୍ରମଣ କରୁଛି। ଗତ ଏପ୍ରିଲ ମାସରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଟାଙ୍ଗରପାଲୀ ଅଂଚଳ ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାରେ ମାଗଣାରେ ବସ୍ତି ବାସିନ୍ଦା ମାନଙ୍କୁ ଗ୍ୟାସ ଚୁଲା ବିତରଣ କରିଥଲେ। ମାତ୍ର କିଛି ବସ୍ତିର ହିତାଧିକାରୀ ଗ୍ୟାସ ଚୁଲା ଏଯାଏ ପାଇ ପାରିନଥିବା ଅଭିଯୋଗ କରିଛନ୍ତି। ପାତ୍ର ବସ୍ତିର ଜଣେ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଜାତି ପ୍ରମାଣ ପତ୍ର ମିଳିବାରେ ଅସୁବିଧା ହେବା କାରଣରୁ ତାଙ୍କ ପରିବାରକୁ ମାଗଣା ଗ୍ୟାସ ପାଇବାରେ ଅସୁବିଧା ହେଉଛି। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶ ଓ ରାଜ୍ୟରେ ବହୁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ସୁଦ୍ଧା ଟାଙ୍ଗରପାଲୀ ଅଂଚଳର ଏହି ୧୫ଟି ବସ୍ତିରେ ପ୍ରାୟ ହିତାଧିକାରୀ ଏହି ସୁବିଧା ପାଇପାରୁନଥିବା ଅଭିଯୋଗ ହୋଇଛି। ଏହି ଅଂଚଳକୁ ପଂଚାୟତ ଅଧିନରେ ସାମିଲ କରିବାକୁ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି।
ପ୍ରଶାସନ ଓ ସରକାରୀ ଆଢୁଆଳରେ ୨୦ ବସ୍ତି, ବିକାଶ ଏଠି ସାତସପନ
|
July 4, 2018 |