ଆଜିକୁ ଦୁଇଶହ ଏକଷଠି ବର୍ଷ ତଳେ ଆଜି ଦିନରେ ଗୋଟିଏ ପ୍ରସିଦ୍ଧ ଓ ନିର୍ଣ୍ଣାୟକ ଯୁଦ୍ଧ ହୋଇଥିଲା।ଆଜି ଦିନରେ ଅର୍ଥାତ୍ ୨୪ ଜୁନ୍ ୧୭୫୭ ଖ୍ରୀଅ ରେ ବ୍ରିଟିଶ ଈଷ୍ଟ ଇଣ୍ଡିଆ ନାମରେ ଇଂଲଣ୍ଡର ଗୋଟିଏ କଂପାନୀ ଯିଏ ବଣିଜ କରିବା ଉଦ୍ଦେଶ୍ୟରେ ଭାରତକୁ ଆସିଥିଲା,ସେଇ କଂପାନୀଟି ଭାରତରେ ପ୍ରାୟତଃ ଦେଢଶହ ବର୍ଷ ତଳରୁ ଆସି ଏଠାରେ ବାଣିଜ୍ୟ ବ୍ୟବସାୟ କରୁଥିଲେହେଁ ପ୍ରଥମଥର ରାଜ୍ୟଜୟ କରିବା ଲକ୍ଷ୍ୟରେ ଜଣେ ଭାରତୀୟ ସମ୍ରାଟ ଯଥା ବଙ୍ଗଳାର ନବାବ ସିରାଜୌଦ୍ଦଲାଙ୍କ ବିରୁଦ୍ଧରେ ଏହିଦିନ ଯୁଦ୍ଧ ଘୋଷଣା କରିଥିଲା।ଏଇ ଯୁଦ୍ଧଟିକୁ ଭାରତ ଇତିହାସରେ “ପଲାସି ଯୁଦ୍ଧ”ବୋଲି କୁହାଯାଏ।
ଏହି ନିର୍ଣ୍ଣାୟକ ଯୁଦ୍ଧ ରେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏଥିରେ ଯୁଦ୍ଧଭାଗ ଅପେକ୍ଷା କୂଟନୀତି ଭାଗଟି ଯଥେଷ୍ଟ ଅଧିକ ଥିଲା।ଯୁଦ୍ଧ କ୍ଷେତ୍ର ରେ ଉଭୟ ପକ୍ଷର ସୈନ୍ୟ ସାମର୍ଥ୍ୟର ର ପରାକାଷ୍ଠା ପ୍ରମାଣିତ ହେବାର ପ୍ରଚଳିତ ବ୍ୟବସ୍ଥା ଟି ଏଠାରେ ପରୀକ୍ଷିତ ହୋଇ ନଥିଲା।ଏଠାରେ ବିଜୟ ହୋଇଥିଲା ଯୁଦ୍ଧ ପଛର କୂଟନୀତି।ଆଜିର ମ୍ୟାଚ୍ ଫିକ୍ସିଂ ଭଳି ଏଇ ଯୁଦ୍ଧର ଫଳାଫଳଟି ଆଗରୁ ସୁଚତୁର ବ୍ରିଟିଶ ରବର୍ଟ କ୍ଲାଇଭ୍ ଓ ତାଙ୍କର ସହଯୋଗୀ ମାନଙ୍କ ଦ୍ୱାରା ନିର୍ଣ୍ଣିତ ହୋଇ ରଖାଯାଇଥିଲା।
ପଲାସି ଯୁଦ୍ଧରେ ବ୍ରିଟିଶ ମାନଙ୍କ ପ୍ରାୟ ୩୫୦୦ ସୈନ୍ୟ ବଙ୍ଗଳାର ନବାବଙ୍କ ପ୍ରାୟ ୫୦୦୦୦ ସୈନ୍ୟଙ୍କୁ ପରାସ୍ତ କରିଦେଇଥିଲେ।
ପଲାସି ଯୁଦ୍ଧରେ ବିଜୟର ସ୍ମାରକ ସ୍ୱରୂପ ବ୍ରିଟିଶ ଈଷ୍ଟ ଇଣ୍ଡିଆ ଗୋଟିଏ ପଦକ ପ୍ରଚଳନ କରିଥିଲେ।ଏହି ପଦକରେ ଗୋଟିଏ ହାତୀ ଉପରେ ଜଣେ ବ୍ରିଟିଶ ତରୁଣର ମନଖୁସିରେ ବସିଥିବାର ଛବି ରହିଅଛି।
ହାତୀକୁ ଭାରତୀୟ ସମରକଳାର ପ୍ରତୀକ ବୋଲି ବିବେଚନା କରାଯାଉ ଥିଲା ।ହାତୀ ହିଁ ଭାରତୀୟ ରଣାଙ୍ଗନରେ ଆଦିମତମ କାଳରୁ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଅଛି।
ଏଠାରେ ଭାରତୀୟ ହାତୀକୁ ନିଜର ବଶଂବଦ କରି ରଖିବାର ସଫଳ କଥା କୁ ବ୍ରିଟିଶ ମାନେ ବିପଣନ କରିବା ଉଦ୍ଦେଶ୍ୟରେ ଏଇ ପଦକକୁ ପ୍ରଚଳନ କରିଥିଲେ।
ଏକ ପ୍ରତୀକକୁ ଆତ୍ମସାତ୍ କରିବାର ଏହା ଏକ ସଫଳ ବ୍ରିଟିଶ ପ୍ରତୀକ।କହିବା ବାହୁଲ୍ୟ ଏହା ପରେ ଅର୍ଥାତ୍ ପଲାସି ଯୁଦ୍ଧ ପରେ ଭାରତୀୟ ହାତୀ ମାନେ ବନସ୍ତରେ ରହିଲେ ଆଉ ସେମାନଙ୍କ ଭିତରୁ କେତେ ପୋଷା ମାନି ଲୋକଙ୍କ ସେବାରେ ନିୟୋଜିତ ହୋଇ ରହିଲେ।ଯୁଦ୍ଧରେ ସେମାନଙ୍କୁ ଆଉ ସକ୍ରୀୟ ଭାବରେ ଦେଖାଗଲା ନାହିଁ।
ନିମ୍ନ ପଦକଟି ପଲାସି ଯୁଦ୍ଧର ବିଜୟ ର ସ୍ମାରକ ପଦକ।
•••••
ଏଇ ଲେଖାଟି ଏବେ ମୁଁ ପୁରୀର ସାମନ୍ତ ଚଂଦ୍ରଶେଖର ମହାବିଦ୍ୟାଳୟର ଗୋଟିଏ ଶ୍ରେଣୀ କକ୍ଷର ପ୍ରାୟ
ପଛ ବେଂଚ,ପଛବେଂଚ ମୋର ସବୁବେଳେ ପ୍ରିୟ,ସେଇଠେ ବସି ଟାଇପ୍ କରୁଛି।
ମୋ ଆଗରେ ଓଡିଶାର ବିଶିଷ୍ଟ ଇତିହାସ ଅଧ୍ୟାପକ ମାନେ ପରବର୍ତ୍ତି ଓଡିଶା ଇତିହାସର କାର୍ଯ୍ୟପନ୍ଥା ବିଷୟରେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରୁଛନ୍ତି।
ମୋର ନିକଟସ୍ଥ ବିତର୍କିତ ରତ୍ନଭଂଡାରକୁ ସ୍ୱଚକ୍ଷୁରେ ଦେଖିବାରେ ଭାରି ଆଗ୍ରହ ରହିଛି।
ସାମଂତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସୌଜନ୍ୟରୁ ସୁନ୍ଦର ଓ ତୃପ୍ତିକର ମହାପ୍ରସାଦ ସେବନ ପରେ ଜଣେ ବୟସ୍କ ର ଆଉ କ’ଣ କିଛି ଲୋଡା ହୋଇପାରେ କିନ୍ତୁ ଇତିହାସ କେବେ ଲୋଡା ହେବ ନାହିଁ।ସଂଧ୍ୟାବେଳଟି ଇତିହାସ ପାଇଁ ବେଶ୍ ସମୟ।ସେତିକିବେଳେ ନିଜ ସେନାପତି ପାଖରେ ରଣଭୂମୀର ଯାବତୀୟ ବିବରଣୀ ପ୍ରଦାନ କରିବାର ସମୟ ଜଣେ ସାଧାରଣ ସୈନିକର।
ତେଣୁ ଗୋଟିଏ ପ୍ରତିପକ୍ଷର ବିଜୟ ପଦକ ଟିର କଥା ଲେଖି ମୁଁ ଅନ୍ତତଃ ନିଜକୁ ନିଜେ ଜାଗ୍ରତ ରଖିବାକୁ ଚେଷ୍ଟା କରୁଛି। ସମସ୍ତେ ଯେତେବେଳେ ସକ୍ରୀୟ ସେତେବେଳେ ଶୋଇପଡିବା ନିହାତି ଲାଜର କଥା।
•••••
By Jyoti nanda