କେନ୍ଦ୍ରୀୟ ଯୋଜନା ହଡପ ପ୍ରସଙ୍ଗରେ – ‘କପି-ପେଷ୍ଟ-ଏଡିଟ୍-ପୋଷ୍ଟ’ ଫର୍ମାଟ ଭଳି କାର୍ଯ୍ୟ କରୁଛନ୍ତି ରାଜ୍ୟସରକାର: ବିଜେପି

Spread the love
  • କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଜାକ୍ କରି ରାଜ୍ୟସରକାର ନିଜ ନାଁ ନେବାକୁ ବସିଛନ୍ତି

  • ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କେବଳ ପ୍ରଚାର ସର୍ବସ୍ୱ

  • ପୂର୍ବରୁ ରାଜ୍ୟସରକାରଙ୍କ ‘ନିଦାନ’ ଯୋଜନା ମଧ୍ୟ ଫେଲ୍ ମାରିଛି

    ଭୁବନେଶ୍ୱର, ,୧୩/୬ (ସନ୍ଧାନ ନିୟୁଜ୍) ଗତକାଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କେବଳ ପ୍ରଚାର ସର୍ବସ୍ୱ। କେବଳ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଏପରି ଭିତିହୀନ ମିଥ୍ୟା ଯୋଜନା ସବୁ କରିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଜାକ୍ କରି ରାଜ୍ୟସରକାର ନିଜ ନାଁ ନେବାକୁ ବସିଛନ୍ତି। ଯଦି ରାଜ୍ୟସରକାର ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ପାଇଁ ଏତେ ଚିନ୍ତିତ ତେବେ ଏହି ଯୋଜନା ୧୮ବର୍ଷ ପରେ କାହିଁକି ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ପ୍ରବକ୍ତା ଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି।

    ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଆଜି ରାଜ୍ୟରେ ୧୧୨ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନାହିଁ? ରାଜ୍ୟରେ ପ୍ରସୂତି ମହିଳା ମାନେ ଅଟୋରେ, ଖଟରେ, ବେତା- ଟୋକେଇରେ ବୁହା ହେଉଛନ୍ତି ଓ ଖୋଲା ଆକାଶ ତଳେ ପ୍ରସବ କରିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟରେ ୫୨୯୮ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ୧୨୩୯ଟି ଉପକେନ୍ଦ୍ରର ନିଜସ୍ୱ ଘର ନାହିଁ। ରାଜ୍ୟରେ ମାତ୍ର ୧୨ ଜିଲ୍ଲା ମୁଖ୍ୟ ଚିକିସ୍ତ୍ରାଳୟରେ ଆଇସିୟୁ ଚିକିସ୍ତ୍ରା ସୁବିଧା ଥିବା ବେଳେ ବାକି ୧୮ ଜିଲ୍ଲାରେ ଆସିୟୁ ଚିକିସ୍ତ୍ରା ସୁବିଧା ନାହିଁ ? ରାଜ୍ୟରେ ୮୭% ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ନାହାନ୍ତି। ୫୭% ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମିତ ଡାକ୍ତର ନାହାନ୍ତି। ରାଜ୍ୟର ୨୫% ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସହାୟକ ପଦବୀ ଖାଲି ପଡିଛି। ୪୬୮୨ଟି ମଂଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ୧୦୧୬ଟି ପଦବୀ ଖାଲି ପଡିଛି। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ କିପରି ସୁଦୂରପ୍ରସାରୀ କରିବେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି।

    ଆସନ୍ତା ଅଗଷ୍ଟ ୧୫ ତାରିଖରୁ ସମସ୍ତ ସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନଗୁଡିକୁ ଆସୁଥିବା ସମସ୍ତ ପ୍ରସୂତିମାନଙ୍କୁ ଏବଂ ଶିଶୁମାନଙ୍କୁ ୫୦୦ ଟଙ୍କା ଯାତାୟତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ପୂର୍ବରୁ ମେ ମାସରେ ରାଜ୍ୟସରକାରଙ୍କ ଏକ ବିଜ୍ଞାପନରେ ପ୍ରସୂତି ମହିଳାଙ୍କୁ ଗମନାଗମନର ସଂପୂର୍ଣ୍ଣ ମାଗଣା କରୁଛନ୍ତି ବୋଲି କହିଥିଲେ। ତେବେ ରାଜ୍ୟସରକାରଙ୍କ ଏହି ଦୁଇଟି ଯୋଜନା ମଧ୍ୟରୁ କେଉଁଟା ଠିକ୍ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି। କେବଳ ସେତିକି ନୁହେଁ ପୂର୍ବରୁ ରାଜ୍ୟସରକାରଙ୍କ ‘ନିଦାନ’ ଯୋଜନା ମଧ୍ୟ ଫେଲ୍ ମାରିଛି। ପୁରୀ ମେଡିକାଲରେ ୧୫ ଦିନ ଭିତରେ ୧୬୭ ଜଣ ସିଟି ସ୍କାନ କରିଥିବାରୁ ମେଡିକାଲ ସିଡିଏମଓ ସିଟିସ୍କାନ ପାଇଁ ମେଡିକାଲରେ ରହିବାକୁ ପଡିବ ବୋଲି ଏକ ନୋଟିସ୍ ଜାରି କରିବା ରାଜ୍ୟସରକାରଙ୍କ ପାରିବାପଣିଆକୁ ପ୍ରମାଣିତ କରୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

    କେନ୍ଦ୍ରରେ ମୋଦି ସରକାର ପ୍ରତି ପରିବାରଙ୍କୁ ପାଂଚ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବାପାଇଁ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିସାରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଓଡିଶାର ୪୮ ଲକ୍ଷ ପରିବାର ଏଥିରେ ସାମିଲ ହେବେ। ଏଥି ସହ କୋଅପରେଟିଭ ଫେଡେରାଲିଜିମର ଭାବନାରେ ରାଜ୍ୟ ସ୍ୱାସ୍ଥ୍ୟ ସଂସ୍ଥାମାନଙ୍କୁ ସିଧା ଅନୁଦାନ ହସ୍ତାନ୍ତର ହେବ। ଆୟୁଷ୍ମାନ ଭାରତ ଯୋଜନାରେ ଯାହା ଯାହା ସୁବିଧା ଏବଂ ଯାହା ଯାହା ମୋଡାଲିଟି ଅଛି ସେହି ସମାନ ସୁବିଧା ଏବଂ ସମାନ ମୋଡାଲିଟି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରହିଛି। ରାଜ୍ୟ ସରକାର ଜାରି କରିଥିବା ପ୍ରେସ ବିଜ୍ଞପ୍ତିରେ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା କଥା କହି କେବଳ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରୁଛନ୍ତି। ରାଜ୍ୟ ସରକାର ଏହି ପାଂଚ ଲକ୍ଷ ଟଙ୍କା କେଉଁଠୁ ଆସିବ ଏବଂ ଏହି ଅର୍ଥର ଉସ୍ତ୍ର ଏବଂ ବଂଟାଯିବାର ମାଧ୍ୟମ ବିଷୟରେ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।

    ଆଗରୁ ରାଜ୍ୟ ସରକାର ୧୦୮ ଆମ୍ବୁଲାନସ ସେବାର ନାମ ବଦଳାଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ଥରେ ତିଆରି ହୋଇଥିବା ପକ୍କାଘରେ ବିଜୁ ପକ୍କା ଘର ଯୋଜନାର ଫଳକ ଲଗାଇବା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୧ଟଙ୍କିଆ ଚାଉଳକୁ କେନ୍ଦ୍ର ସରକାର ଦେଉଥିବା ବେଳେ ଏହାକୁ ନିଜ ନାଁରେ ନାମିତ କରିବାର ଅପଚେଷ୍ଟା ରାଜ୍ୟ ସରକାର କରିଆସିଛନ୍ତି। ଭୋଟ ପାଇଁ ଲୋକଙ୍କୁ ଭୁଆଁ ବୁଲାଇ କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ନାମିତ କରିବା ରାଜ୍ୟ ସରକାରଙ୍କର ପୁରୁଣା ରୋଗ। କେନ୍ଦ୍ରୀୟ ଯୋଜନା ହଡପ କରିବାରେ ରାଜ୍ୟସରକାର ପୂରା ଧୁରନ୍ଧର। ‘କପି-ପେଷ୍ଟ-ଏଡିଟ୍-ପୋଷ୍ଟ’ ଫର୍ମାଟ ଭଳି କାର୍ଯ୍ୟ କରୁଛନ୍ତି ରାଜ୍ୟସରକାର। ସେହିପରି ଢଙ୍ଗରେ ଆୟୁଷ୍ମାନ ଭାରତ ଯୋଜନାର ନାମ ବଦଳାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ କରାଯାଉ ନାହିଁ ତ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି।

    ବାରମ୍ଭାର ସଙ୍ଘୀୟ ରାଜନୀତି କଥା କହୁଥିବା ବେଳେ ନବିନ ବାବୁଙ୍କର ଏହି ଉଦ୍ୟମ କେଉଁ ପ୍ରକାରର ସଙ୍ଘୀୟ ବିଧିବ୍ୟବସ୍ଥାରେ ରହିଛି। ଏହା ବୀମା ରାଶି ନା ରାଜ୍ୟ ସରକାରଙ୍କର କର୍ପସ ଫଣ୍ଡ କିମ୍ବା ରାଜ୍ୟ ସରକାରଙ୍କର ବଜେଟରୁ ଦିଆଯିବ ସେକଥା ରାଜ୍ୟ ଜଣାଇ ନାହାନ୍ତି। ସେହିପରି ଆୟୁଷ୍ମାନ ଭାରତରେ ରୋଗୀଙ୍କୁ ଡାକ୍ତରଖାନାରୁ ଘରକୁ ଯିବା ପାଇଁ ଯାତାୟତ ଖର୍ଚ୍ଚ ମିଳିବାକୁ ଥିବାବେଳେ ସେହି ସମାନ କଥା କୁ ମୁଖ୍ୟମନ୍ତ୍ରୀ ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲେଖିଛନ୍ତି। ଆମେ ଆହ୍ୱାନ କରୁଛୁ ଯଦି ଏହା ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା ତାହେଲେ ଏହା ପାଇଁ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କରିବେ ଏବଂ ଏହା ନିଜସ୍ୱ ବଜେଟର ଅର୍ଥ ବୋଲି ଲିଖିତ ଭାବେ ରାଜ୍ୟ ବାସୀଙ୍କୁ ଜଣାନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।

  •  

    Report from- ଓଡ଼ିଆ ପୁଅ

Related Posts

About The Author

Add Comment