କେନ୍ଦୁଝର, ୧୦/୦୬, (ସନ୍ଧାନ ନିୟୁଜ୍)- କେନ୍ଦୁଝର ସହରର ନିକଟରେ ବିଜୁଳି ଉତ୍ପାଦନ କରୁଥିବା ବଡ଼ ଘାଗରା ଜଳବିଦୁ୍ୟତ ପ୍ରକଳ୍ପ ବିକ୍ରି ହେବ । ବର୍ଷ ବର୍ଷ ଧରି ବିଦୁ୍ୟତ ଉତ୍ପାଦନ କରୁଥିବା ଏହ ପ୍ରକଳ୍ପ ୨ ବର୍ଷ ହେବ ବନ୍ଦ୍ ହୋଇ ପଡିରହିଥିଲା । କାର୍ଯ୍ୟକ୍ଷମ କରିବା ବଦଳରେ ଏହାକୁ ବିକ୍ରି କରିବା ପାଇଁ ଓରେଡା ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି । ବାସ୍ତବରେ ରାଜ୍ୟ ସରକାର ଯଦି ଏହି ପ୍ରସ୍ତାବ ଉପରେ ମୋହର ଲଗାନ୍ତି ଏହା ତଥାକଥିତ ଶିଳ୍ପାୟନ ପ୍ରତି ଶକ୍ତ ଧକ୍କା ହେବ । ୧୯୮୭ରେ କେନ୍ଦୁଝର ସହରଠାରୁ ମାତ୍ର କିଛି କିଲୋମିଟର ଦୂରରେ ଥିବା ବଡ଼ ଘାଗରାଠାରେ ଏକ ମାଇକ୍ରୋ ହାଇଡ୍ରୋ ପ୍ରୋଜେକ୍ଟ ବା କ୍ଷୁଦ୍ର ଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲା । ଓରେଡା ପକ୍ଷରୁ ବଡ଼ଘାଗରା ଜଳପ୍ରପାତରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏଠାରେ ବଡ଼ ଘାଗରାରୁ ତଳ ମୁଣ୍ଡକୁ ପାଇପ୍ ଯୋଗେ ପାଣି ଆଣି ଦୁଇଟି ଟର୍ବାଇନ୍ ମୋଟର ସାହାଯ୍ୟରେ ବିଦୁ୍ୟତ ଉତ୍ପାଦନ ହେଉଥିଲା । ଏହି ପ୍ରକଳ୍ପରେ ମୋଟ ୫ ଜଣ କର୍ମଚାରୀ ନିଯୁକ୍ତ ଥିଲେ । ଏଠାରେ ନିୟମିତ ପ୍ରାୟ ୧୫ରୁ ୧୮ ଘଂଟା ପର୍ଯ୍ୟନ୍ତ ବିଦୁ୍ୟତ ଶକ୍ତି ଉତ୍ପାଦିତ ହେଉଥିଲା ।
ଏଠାରେ ବଡ଼ଘାଗରା ନିକଟବର୍ତୀ କଛି ଆଦିବାସୀ ଗ୍ରାମକୁ ବିଦୁ୍ୟତ ଯୋଗାଇ ଦିଆଯିବା ସହିତ ବିଦୁ୍ୟତ ବିଭାଗର ବାଂଶପାଳ ବ୍ଲକର ମୁଖ୍ୟ ଫିଡରକୁ ଯୋଗାଇ ଦିଆଯାଉଥିଲା । ଏଥିପାଇଁ ୟୁନିଟ୍ ପିଛା ମିଳୁଥିଲା ମାତ୍ର ୦.୭୮ ପଇସା । ସବୁଠୁ ବଡ଼ କଥା ହେଉଛି, ବିଦୁ୍ୟତ ବିଭାଗ ଏଠାରୁ ନେଉଥିବା ବିଜୁଳି ବାବଦ ଦେୟ ବର୍ଷ ବର୍ଷ ଧରି ଦେଲା ନାହିଁ । ଅତ୍ୟନ୍ତ କମ୍ ଦାମରେ ବିଜୁଳି ନେଇ ମଧ୍ୟ ଦେୟ ଦେଲା ନାହିଁ । ପ୍ରାୟ ୧୦ ବର୍ଷ ଧରି ବକେୟା ପଡି ରହିଥିବା ସୂଚନା ମିଳଛି । ଏଭଳି ପରିସ୍ଥିତିରେ ଏହାକୁ ବିକ୍ରି କରିବା ପାଇଁ ଓରେଡା ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି ।
Report by Ananta Jena