ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ଅନୁଷ୍ଠାନର ସମୀକ୍ଷା କଲେ ଜିଲ୍ଲା ନୋଡାଲ ଅଫିସର ଡ. ମୃଣାଳିନୀ ଦର୍ଶୱାଲ

Spread the love

ଯାଜପୁର, :୮/୧୧/୨୬ (ସନ୍ଧାନ ନ୍ୟୁଜ)  ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଏବଂ ଯାଜପୁର ଜିଲ୍ଲା ନୋଡାଲ ଅଫିସର ଡ. ମୃଣାଳିନୀ ଦର୍ଶୱାଲଙ୍କ ଦୁଇ ଦିନିଆ ଯାଜପୁର ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ସରକାରୀ ଅନୁଷ୍ଠାନ, ପ୍ରକଳ୍ପ ଓ ସ୍ୱାସ୍ଥ୍ୟକେନ୍ଦ୍ରର ଅନୁଧ୍ୟାନ କରାଯାଇଛି। ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସହ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଫିସର (ସିଡିଓ) ଦେବୀ ପ୍ରସାଦ ମହାନ୍ତି, ଉପ-ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ ଏବଂ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଗସ୍ତ ସମୟରେ ଉପସ୍ଥିତ ରହି ସଚିବ ମହୋଦୟାଙ୍କୁ ବିଭିନ୍ନ ସ୍ଥାନ ପରିଦର୍ଶନରେ ସହଯୋଗ କରିଥିଲେ। ଗସ୍ତର ପ୍ରାରମ୍ଭରେ ନୋଡାଲ ଅଫିସର ମୃଗପାଳ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ସେ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରି ମାଧ୍ୟାହ୍ନ ଭୋଜନ, କଳିକା କାର୍ଯ୍ୟକ୍ରମ ଏବଂ ଅଙ୍ଗନବାଡ଼ି ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ଜୀବନ କୌଶଳ ତାଲିମ, ନିଶାନିବାରଣ, ବାଲ୍ୟବିବାହ ରୋକିବା, ସ୍ୱାସ୍ଥ୍ୟ ଓ କ୍ରୀଡ଼ା ସୁବିଧା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟରେ ଶ୍ରେଣୀଗୃହ ସଂଖ୍ୟା ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କ ଜରିଆରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ସେ କହିଥିଲେ, “ଆଗ୍ରହ ଓ ଆଗ୍ରହର ସହ ପାଠପଢ଼, ଗଭୀରତାକୁ ଯାଅ ଏବଂ ସମ୍ପୂର୍ଣ୍ଣ ଧ୍ୟାନ ସହ ନିଜର ଏକ ଲକ୍ଷ୍ୟ ଧାର୍ଯ୍ୟ କର।” ସେ ମୋବାଇଲ୍‌ ଫୋନ୍‌ର ସଂଯମ ବ୍ୟବହାର, ପୋଷଣ କାର୍ଯ୍ୟକ୍ରମର ତଦାରଖ, ଗ୍ରାଣ୍ଟ ଅର୍ଥରେ ସ୍ମାର୍ଟ କ୍ଲାସ ମରାମତି, ପ୍ରୋଜେକ୍ଟରରେ ସାମାଜିକ ଚଳଚ୍ଚିତ୍ର ପ୍ରଦର୍ଶନ ଏବଂ ବିଦ୍ୟାଳୟ ପରିବେଶକୁ ସୁନ୍ଦର କରିବା ପାଇଁ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ଇଂରାଜୀ ସମେତ ଅନ୍ତତଃ ୨-୩ଟି ଭାଷାରେ ଦକ୍ଷତା ହାସଲ କରିବାକୁ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସେ ଜିଲ୍ଲାପାଳଙ୍କ ସହ ମିଶି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ। ଏହାପରେ ନୋଡାଲ ଅଫିସର ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ସ୍ଥିତ ଡାଏଲିସିସ୍‌ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ସେ ମେସିନ୍‌ଗୁଡ଼ିକର କାର୍ଯ୍ୟଦକ୍ଷତା, ସ୍ୱଚ୍ଛତା, ଡାକ୍ତରଙ୍କ ଉପସ୍ଥିତି ଏବଂ ଚିକିତ୍ସା ସୁବିଧାର ସମୀକ୍ଷା କରିଥିଲେ। ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ସୁଧାର ସମ୍ପର୍କରେ ଫିଡ୍‌ବ୍ୟାକ୍‌ ନେଇଥିଲେ। ଡାଏଲିସିସ୍‌ କେନ୍ଦ୍ରର ନିରାପତ୍ତା ପାଇଁ ଜିଲ୍ଲାପାଳ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବେ ବୋଲି ସ୍ଥିର ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସେ ଦାନଗଦୀ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର (ସ୍କିଲ୍‌ ସେଣ୍ଟର) ପରିଦର୍ଶନ କରି ତାଲିମପ୍ରାପ୍ତ ଯୁବକଯୁବତୀଙ୍କ ସହ ଭାବବିନିମୟ କରିଥିଲେ। ଅନୁଷ୍ଠାନର ଭିତ୍ତିଭୂମି, ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ନିଯୁକ୍ତି ପ୍ରକ୍ରିୟା, ଆଇଟି ଦକ୍ଷତା ତାଲିମ ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ସେ ଅନୁଧ୍ୟାନ କରିଥିଲେ। ‘ସବଳ’ (SABAL) ଯୋଜନାରେ କେତେଜଣ ଭିନ୍ନକ୍ଷମ ତାଲିମ ନେଉଛନ୍ତି, ସେ ବିଷୟରେ ପଚାରି ବୁଝିଥିଲେ। ଫ୍ୟାଶନ ଡିଜାଇନିଂ ଏବଂ କମ୍ପ୍ୟୁଟର ଲାବୋରେଟରୀ ପରିଦର୍ଶନ କରି ପ୍ରଶିକ୍ଷାର୍ଥୀଙ୍କ ରହଣି, ଖାଇବା, ବିଦ୍ୟୁତ୍, ଷ୍ଟାଇପେଣ୍ଡ୍ ଓ ଅନ୍ୟାନ୍ୟ ସୁବିଧାର ଯାଞ୍ଚ କରିଥିଲେ। ଦକ୍ଷତା ତାଲିମ ସହିତ ପ୍ରଶିକ୍ଷାର୍ଥୀମାନେ ଯେପରି ସ୍ନାତକ (ଗ୍ରାଜୁଏସନ୍) ପାଠପଢ଼ା ଜାରି ରଖିବେ ଏବଂ ତାଲିମ ପରେ ସେମାନଙ୍କୁ ଆପ୍ରେଣ୍ଟିସ୍‌ସିପ୍‌ ପାଇଁ ପଠାଯିବ, ସେଥିପାଇଁ ସେ ପରାମର୍ଶ ଦେଇଥିଲେ। ଏହାପରେ ସଚିବ ମହୋଦୟା କାଳିଆପାଣି ସ୍ଥିତ ମା’ ଗୃହ କେନ୍ଦ୍ର, ଗର୍ଭବତୀ ମହିଳା ରହଣି ଗୃହ (ମାତୃତ୍ୱ ପ୍ରତୀକ୍ଷା ଗୃହ) ଏବଂ ପୃଷ୍ଟି ପୁନର୍ବାସ କେନ୍ଦ୍ର ପରିଦର୍ଶନ କରିଥିଲେ। ମା’ ଗୃହରେ ଡାକ୍ତରୀ ସେବା ଓ ପୋଷଣ ସ୍ଥିତିର ସମୀକ୍ଷା କରିବା ସହ ଅତି-ଅପପୁଷ୍ଟ (SAM), ମଧ୍ୟମ ଅପପୁଷ୍ଟ (MAM) ଏବଂ କମ୍ ଓଜନ ବିଶିଷ୍ଟ (SUW) ଶିଶୁମାନଙ୍କୁ ଚିହ୍ନଟ କରି ଅନ୍ତତଃ ୧୫ ଦିନ ପାଇଁ କେନ୍ଦ୍ରରେ ରଖି ଉପଯୁକ୍ତ ପୋଷକ ଆହାର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ଅପପୁଷ୍ଟି ମାମଲାକୁ ଶୂନ୍ୟକୁ ଆଣିବା ପାଇଁ ସେ ଆହ୍ୱାନ ଦେଇଥିଲେ। ସେହିପରି ଗର୍ଭବତୀ ମହିଳାମାନେ ସୁଭଦ୍ରା ଓ ମମତା ଯୋଜନାର ଲାଭ ପାଉଛନ୍ତି କି ନାହିଁ ତାହା ବୁଝିବା ସହ ୨୪x୭ ଆମ୍ବୁଲାନ୍ସ ସେବା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଶା କର୍ମୀମାନେ ଯେପରି ସମୟସୀମା ମଧ୍ୟରେ ରୋଗୀଙ୍କ ପାଖରେ ପହଞ୍ଚିପାରିବେ ଏବଂ ଅପାରଗ ବା ଅକର୍ମଣ୍ୟ ପରିବାରର ଲୋକଙ୍କୁ ଭି.ବି. ଜି. ରାମ.ଜି (VBG RAMG) ଯୋଜନାରେ ନିୟୋଜିତ କରି ଆୟର ପନ୍ଥା କରାଯାଇପାରିବ, ସେଥିପାଇଁ ନିର୍ଦ୍ଦେଶ ଦେଇଥିଲେ। ସେଠାରେ ସ୍ଥାନୀୟ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଉଥିବା ୱାଟର ଶେଡ୍‌ର ଜଳ ଗୁଣବତ୍ତା ତଦାରଖ କରିଥିଲେ। ଗସ୍ତର ଶେଷ ପର୍ଯ୍ୟାୟରେ ନୋଡାଲ ଅଫିସର ଚିଙ୍ଗୁଡ଼ିପାଳ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ଶ୍ରେଣୀଗୃହ, ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଶିକ୍ଷକ ନିଯୁକ୍ତି ସ୍ଥିତି, ହଷ୍ଟେଲ ଓ ଶୌଚାଳୟର ସ୍ୱଚ୍ଛତା ଅନୁଧ୍ୟାନ କରିଥିଲେ। ବିଦ୍ୟାଳୟର ଅନ୍ତରୀଣ ଅଭିଯୋଗ କମିଟି (Internal Complaint Committee) ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ସମସ୍ୟା ଉପୁଜିଲେ ଏହାର ଉପଯୁକ୍ତ ବ୍ୟବହାର କରିବାକୁ କହିଥିଲେ। ସୂଚନାଯୋଗ୍ୟ ଯେ, ଜିଲ୍ଲାରେ ହୋଇଥିବା ପ୍ରଗତି ଓ ନିର୍ଦ୍ଦେଶାବଳୀର କାର୍ଯ୍ୟକାରିତା ଯାଞ୍ଚ କରିବା ପାଇଁ ସଚିବ ମହୋଦୟା ଆସନ୍ତା ଜାନୁଆରୀ ମାସରେ ପୁନର୍ବାର ଯାଜପୁର ଗସ୍ତ କରିବେ।

Related Posts

About The Author

Add Comment