ରାଉରକେଲା, ୩/୧୦ (ସନ୍ଧାନ ନିଉଜ/ ଏସ ନାୟକ ) : ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ସିମ୍ଡ଼େଗା ଅଞ୍ଚଳର ୩୦ ବର୍ଷୀୟ ମହିଳା ରୋଜାଲିନ ଟପ୍ପୋ ଇସ୍ପାତ ଜେନେରାଲ ହସ୍ପିଟାଲର ଡାକ୍ତର ଓ ସହଯୋଗୀ ଷ୍ଟାଫଙ୍କ ଅକ୍ଲାନ୍ତ ପ୍ରୟାସର ଫଳସ୍ଵରୂପ ନୂତନ ଜୀବନ ଲାଭ କରିଛନ୍ତି । ରୋଜାଲିନ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆଇଜିଏଚର ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତାଙ୍କର ହେଲ୍ଲ୍ପ ସିଣ୍ଡ୍ରମ ରୂପେ ଜଣାଶୁଣା ଏକ ବିରଳ ଗର୍ଭାବସ୍ଥା ଜନିତ ଜଟିଳ ଅସୁସ୍ଥତା ପରିଲକ୍ଷିତ ହୋଇଥିଲା। ଏଥିରେ ଲିଭର ପ୍ରଭାବିତ ହୋଇଥାଏ ଏବଂ ରକ୍ତଚାପ ଅତ୍ୟଧିକ ହେବା ସଙ୍ଗେସଙ୍ଗେ ନିମ୍ନ ପ୍ଳେଟଲେଟ ପରିମାଣ ଯୋଗୁଁ ଆଭ୍ୟନ୍ତରୀଣ ବ୍ଲିଡିଙ୍ଗ ହୋଇଥାଏ । ତାଙ୍କର କିଡନୀ ମଧ୍ୟ ଅକାମୀ ହୋଇଥିଲା। ତାଙ୍କର ଆଇସିୟୁରେ ଜରୁରୀ ସ୍ୱାସ୍ଥ୍ୟ ପ୍ରବନ୍ଧନ କରାଯାଇଥିଲା ଏବଂ ହେମୋଡାଏଲସିସ ସମ୍ପନ୍ନ କରାଯାଇଥିଲା । ସଫଳ ଚିକିତ୍ସା ପରେ ସୁସ୍ଥତା ଲାଭ କରି ସେ ଖୁସିରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଆଇସିୟୁର ଅଭିଜ୍ଞ ଡାକ୍ତରୀ ଦଳ, ସିଷ୍ଟର ଓ ସହଯୋଗୀ ଷ୍ଟାଫଙ୍କ ନିପୁଣ ସେବା ଏବଂ ପ୍ରତିବଦ୍ଧ ପ୍ରୟାସ ଯୋଗୁଁ ଏହି ମହିଳାଙ୍କ ଜୀବନ ରକ୍ଷା ହୋଇପାରିଥିଲା।
ଉଲ୍ଲେଖନୀୟ ଯେ, ଇସ୍ପାତ ଜେନେରାଲ ହସ୍ପିଟାଲରେ ବର୍ଷରେ ୬ ରୁ ୭ ଲକ୍ଷ ରୋଗୀ ବହିଃଚିକିତ୍ସା ଏବଂ ୨୪ ହଜାରରୁ ୨୬ ହଜାର ରୋଗୀ ଅନ୍ତର୍ବିଭାଗରେ ଚିକିତ୍ସା ସେବା ହାସଲ କରିଥାନ୍ତି ଯାହା ଏହି ଚିକିତ୍ସାଳୟରେ ବୃହତ ସେବା ପରିଧିକୁ ସୂଚାଉଛି । ଚିକିତ୍ସାଳୟରେ ଏଣ୍ଟାଇଟେଲ୍ଡ ବର୍ଗରେ ପ୍ରାୟ ୧୩୦୦୦ ନିୟମିତ କର୍ମଚାରୀ, ସେମାନଙ୍କର ୫୪ ହଜାର ପରିବାର ସଦସ୍ୟବୃନ୍ଦ ଏବଂ ୨୫ ହଜାର ପୂର୍ବତନ କର୍ମଚାରୀଙ୍କୁ ଚିକିତ୍ସା ସେବା ଉପଲବ୍ଧ ହେଉଛି । କିନ୍ତୁ ଅନ୍ତର୍ବିଭାଗର ୫୦% ରୁ ଅଧିକ ରୋଗୀ ଅଣ-ଏଣ୍ଟାଇଟେଲ୍ଡ ବର୍ଗର ଅଟନ୍ତି। ଏହା ଆଇଜିଏଚ ଉପରେ ବାହାର ପଣଧାରୀଙ୍କ ବିଶ୍ଵାସ ଓ ନିର୍ଭରଶୀଳତାକୁ ଦର୍ଶାଉଛି । କେବଳ ରାଉରକେଲା ଏବଂ ଏହାର ଆଖପାଖ ଅଞ୍ଚଳର ନୁହେଁ, ବରଂ ପଡୋଶୀ ରାଜ୍ୟର ରୋଗୀମାନେ ମଧ୍ୟ ବିବିଧ ସ୍ୱାସ୍ଥ୍ୟସେବା ହାସଲ ନିମନ୍ତେ ଏହି ଡାକ୍ତରଖାନାକୁ ଆସୁଛନ୍ତି ।