ଭୁବନେଶ୍ୱର, ୦୪/୦୪ (ସନ୍ଧାନ ନିୟୁଜ): କରୋନା ମୁକାବିଲା ପାଇଁ ଭାରତୀୟ ରେଳ ବିଭାଗ ମଧ୍ୟ ଆଗକୁ ଆସିଛି। ଟ୍ରେନକୋଚ୍ ଗୁଡ଼ିକୁ ଏବେ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଉଛି। ପୂର୍ବତଟ ରେଳବାଇ ବର୍ତ୍ତମାନ ୨୬୧ଟି କୋଚକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରୁଛି। ଏହି ୨୬୧ଟି କୋଚ୍ ମଧ୍ୟରୁ ୪୬ଟି କୋଚ୍ ଓଡିଶା ରାଜଧାନୀ ଭୁବନେଶ୍ୱରରେ ରହିଛି। ଏହା ବ୍ୟତୀତ ବିହାରର ପୂର୍ବ ସେଣ୍ଟ୍ରାଲ ରେଲୱେ ଜୋନରେ ଟ୍ରେନ କୋଚରେ ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ କରାଯାଉଛି। ସେହିପରି ଅହମ୍ମଦାବାଦ ରେଳ ଡିଭିଜନରେ ୭୦ଟି ରେଳକୋଚକୁ ପୃଥକ ପୃଥକ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଇଛି। ଭାରତୀୟ ରେଳ ବିଭାଗ ତରଫରୁ ସମଗ୍ର ଦେଶରେ ଏହିପରି ୫,୦୦୦ ଆଇସୋଲେସନ୍ ୱାର୍ଡ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।
ରେଳ ବିଭାଗ କହିବା ଅନୁଯାୟୀ, ଦୁର୍ଗମ ଅଞ୍ଚଳରେ କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସାରେ ଏହା ସହାୟକ ହେବ। ଯେଉଁ ରେଳବାଇ ଆଇସୋଲେସନ୍ ୱାର୍ଡ ତିଆରି କରାଯାଉଛି, ସେହି କୋଚ ଗୁଡ଼ିକର ଶୌଚାଳୟ ଏବଂ ସିଟ୍ ଗୁଡିକ ମଧ୍ୟ ପରିବର୍ତ୍ତନ କରାଯାଉଛି। ଏହା ବ୍ୟତୀତ ବାଥରୁମ ମଧ୍ୟ ଯୋଗାଇ ଦିଆଯାଇଛି। ରେଳବାଇର ଏହି ଆଇସୋଲେସନ୍ ୱାର୍ଡରେ ଡାକ୍ତର ଏବଂ ନର୍ସମାନେ ମଧ୍ୟ ଉପସ୍ଥିତ ରହିବେ ଏବଂ ସ୍ୱଚ୍ଛତା ପାଇଁ ବିଶେଷ ଯତ୍ନ ନିଆଯିବ।



