ଯାଜପୁର, :୧୭/୯/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲାରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ‘ସେବା ସଂକଳ୍ପ ଅଭିଯାନ’ ପାଳନ କରାଯିବ। ଏହି ଅବସରରେ ଜିଲ୍ଲାବାସୀଙ୍କ ନିକଟରେ ସରକାରୀ ସେବାକୁ ଅଧିକ ସୁଗମ, ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯିବ। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ମାନଙ୍କୁ ନେଇ ଏକ ଅଭାସୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାରେ ‘ସେବା ସଂକଳ୍ପ ଅଭିଯାନ’କୁ ସଫଳତାର ସହ ପରିଚାଳନା କରିବା ପାଇଁ ବିଭିନ୍ନ ବିଭାଗର ଭୂମିକା, କାର୍ଯ୍ୟଯୋଜନା ଓ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ମାସବ୍ୟାପୀ ଅଭିଯାନ କାଳରେ ଜିଲ୍ଲା ସାରା ଏକାଧିକ ସଚେତନତା ଓ କଲ୍ୟାଣକାରୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ୧୭ ସେପ୍ଟେମ୍ବର ସନ୍ଧ୍ୟାରେ ଘରେ ଘରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ, ୧୮ରୁ ୨୪ ସେପ୍ଟେମ୍ବର ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ‘ସ୍ୱପ୍ନର ଭାରତ’ ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା, ୨୦ରୁ ୩୦ ସେପ୍ଟେମ୍ବର ମଧ୍ୟରେ ସରକାରୀ ଯୋଜନାର ସଫଳତାକୁ ନେଇ ‘ପଥପ୍ରାନ୍ତ ନାଟକ’ ପରିବେଷଣ, ଏବଂ ୨୬ ସେପ୍ଟେମ୍ବରରୁ ୭ ଅକ୍ଟୋବର ମଧ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ‘ଆଙ୍ଗନ କା ଉତ୍ସବ’ ପାଳନ କରାଯିବ। ଏଥିସହ ସେପ୍ଟେମ୍ବର ୧୭ ତାରିଖରେ ଜିଲ୍ଲା ସ୍ତରୀୟ ‘ଦୀପ ପ୍ରଜ୍ୱଳନ’ କାର୍ଯ୍ୟକ୍ରମ ଯାଜପୁରର ପ୍ରସିଦ୍ଧ ମା’ ବିରଜା ମନ୍ଦିରରେ ଏବଂ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ବିଭିନ୍ନ ପ୍ରମୁଖ ସ୍ଥାନମାନଙ୍କରେ ଅନୁଷ୍ଠିତ ହେବ। ଏହା ବ୍ୟତୀତ ରକ୍ତଦାନ, ବୃକ୍ଷରୋପଣ, ସ୍ୱାସ୍ଥ୍ୟ ପରୀକ୍ଷା ଭଳି ‘ସେବାରେ ମୋର ଯୋଗଦାନ’, ଷ୍ଟାର୍ଟଅପ୍ ଓ ଇନୋଭେଟରମାନଙ୍କୁ ନେଇ ‘ରାଷ୍ଟ୍ରୀୟ ନବ-ସୃଜନର ଆହ୍ୱାନ’, ୭ ଅକ୍ଟୋବରରେ ‘ସେବା ଜ୍ଯୋତି ଯାତ୍ରା’ ଓ ‘ରଙ୍ଗୋଲି ରାଷ୍ଟ୍ର’ ଏବଂ ବ୍ଲକ ସ୍ତରରେ ସରକାରୀ ସେବା ଯୋଗାଇଦେବା ପାଇଁ ‘ସେବା ସେତୁ କ୍ୟାମ୍ପ’ ଅନୁଷ୍ଠିତ ହେବ। ଅଭିଯାନ ସମୟରେ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ ଯୋଜନା ଓ ସେବାର ସୁଯୋଗ ପହଞ୍ଚାଇବା ସହ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାଜପୁର ଜିଲ୍ଲାରେ ଏହି ଅଭିଯାନକୁ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦେବୀପ୍ରସାଦ ମହାନ୍ତି ନୋଡାଲ ଅଧିକାରୀ ଭାବେ ପରିଚାଳନା କରିବେ। ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଓ ବିଡିଓମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ବୈଠକରେ ଆହ୍ୱାନ କରାଯାଇଥିଲା।
*ଯାଜପୁର ଜିଲ୍ଲାରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ‘ସେବା ସଂକଳ୍ପ ଅଭିଯାନ’*
|
September 17, 2026 |



