ଯାଜପୁର ବ୍ଲକରେ ସାଇବର ସୁରକ୍ଷା ଓ କନ୍ୟା ନିରାପତ୍ତା ସଚେତନତା କର୍ମଶାଳା ଅନୁଷ୍ଠିତ

Spread the love

ଡିଜିଟାଲ୍ ଯୁଗରେ କିଶୋରୀ ବାଳିକାଙ୍କ ସୁରକ୍ଷା, ଶିକ୍ଷା ଓ ସାଇବର ଅପରାଧରୁ ରକ୍ଷା ପାଇବା ନେଇ ଅତିଥିମାନଙ୍କ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ
ଯାଜପୁର, : ୨୩/୧୧/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ସମ୍ମିଳନୀ କକ୍ଷରେ ଏକ ବିଶେଷ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କନ୍ୟା ନିରାପତ୍ତା, ଶିକ୍ଷା, ସାଇବର ସୁରକ୍ଷା ଏବଂ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନକୁ ତୃଣମୂଳ ସ୍ତରରେ ଅଧିକ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ (ସିଡିପିଓ) ଶାନ୍ତିଲତା ସେଠୀଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ବିଭିନ୍ନ ବିଭାଗର ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗ ଦେଇଥିଲେ। ବର୍ତ୍ତମାନର ଡିଜିଟାଲ୍ ଯୁଗରେ ବଢ଼ୁଥିବା ସାଇବର ଅପରାଧରୁ କିପରି ନିଜକୁ ସୁରକ୍ଷିତ ରଖାଯାଇପାରିବ, ସେ ସମ୍ପର୍କରେ ମୁଖ୍ୟବକ୍ତାମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହା ସହିତ କିଶୋରୀ ବାଳିକାମାନଙ୍କର ସାମାଜିକ ସୁରକ୍ଷା, ଶିକ୍ଷାର ଅଗ୍ରଗତି ଏବଂ ସେମାନଙ୍କ ସାମ୍ବିଧାନିକ ଅଧିକାର ଉପରେ ଅତିଥିମାନେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ବ୍ରହ୍ମାନନ୍ଦ ବେହେରା , ମୁଖ୍ୟ ଚିକିତ୍ସାଧିକାରୀ ଲଳିତେନ୍ଦୁ କେଶରୀ ଦାସ, ସାମାଜିକ ସୁରକ୍ଷା ଅଧିକାରୀ ଖିରୋଦ କୁମାର ସ୍ୱାଇଁ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ଏବିଇଓ) ବଳରାମ ପତି, ପ୍ରଧାନ ଶିକ୍ଷକ କେଦାର କୁମାର ନାଏକ, ପୋଲିସ ଏଏସଆଇ ଧୀରେଶ କୁମାର ଲିମା ଏବଂ ଜିଲ୍ଲା ସଂଯୋଜକ ପ୍ରଭାତ କୁମାର ଘଡେଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ , ଏସ.କେ.ଲିୟାକତ ହୁସେନ, ଚିନ୍ମୟ ସାହୁ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂଯୋଜକମାନେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ରଖିଥିଲେ। କର୍ମଶାଳାକୁ ସଫଳ କରିବାରେ ମୁଖ୍ୟ ପରିଦର୍ଶିକା ପୁଷ୍ପଲତା ସାମଲ, ଶୁଭସ୍ମିତା ପଣ୍ଡା, ସରୋଜିନୀ ଭାରତୀ ନାୟକ, ଝରଣା ଘଡେଇ ଏବଂ ପୋଷଣ ସଂଯୋଜିକା ମୁନୁସ୍ମିତା ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ। ଏହି ସଚେତନତା ସଭାରେ ବହୁ ସଂଖ୍ୟାରେ ଅଙ୍ଗନୱାଡ଼ି କର୍ମୀ, କିଶୋରୀ ବାଳିକା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ସଦସ୍ୟାମାନେ ଯୋଗଦେଇ ସଚେତନତାର ବାର୍ତ୍ତା ଗ୍ରହଣ କରିଥିଲେ।

Related Posts

About The Author

Add Comment