ଯାଜପୁର: ୬/୧୦/୨୬ (ସନ୍ଧାନ ନ୍ୟୁଜ) ନାଗରିକକୈନ୍ଦ୍ରିକ ପୁଲିସ ସେବାକୁ ଗୁରୁତ୍ୱ ଦେଇ ଯାଜପୁର ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ‘ଅପରେସନ ରିକନେକ୍ଟ’ ଅଭିଯାନରେ ୨୦୦ଟି ଚୋରି ଓ ହଜିଯାଇଥିବା ମୋବାଇଲ ଫୋନ ଉଦ୍ଧାର କରାଯାଇ ସେଗୁଡ଼ିକୁ ଯାଞ୍ଚ ପରେ ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯାଇଛି। କଟକ କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାୟକ ଏହି ମୋବାଇଲଗୁଡ଼ିକୁ ମାଲିକମାନଙ୍କୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ଯାଜପୁର ଏସ୍ପି ଯଶ ପ୍ରତାପ ଶ୍ରୀମାଲଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲ ଫୋନର ଅଭିଯୋଗ ଉପରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ତ୍ୱରିତ ପଦକ୍ଷେପ ନେବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ମୋବାଇଲ ଫୋନ ଆଜିର ଦିନରେ ବ୍ୟକ୍ତିଗତ ଯୋଗାଯୋଗ, ଫଟୋ, ଦସ୍ତାବିଜ ଓ ବିଭିନ୍ନ ଡିଜିଟାଲ ସେବାର ପ୍ରମୁଖ ମାଧ୍ୟମ ହୋଇଥିବାରୁ ଏହା ଫେରିପାଇବା ମାଲିକମାନଙ୍କୁ ବିଶେଷ ଆଶ୍ୱସ୍ତି ଦେଇଛି। ଅଭିଯୋଗ ଗ୍ରହଣ, ପ୍ରଯୁକ୍ତିଗତ ଭାବେ ମୋବାଇଲ ଟ୍ରାକିଂ, ଉଦ୍ଧାର, ମାଲିକାନା ଯାଞ୍ଚ ଏବଂ ପରେ ମାଲିକଙ୍କୁ ହସ୍ତାନ୍ତର ଭଳି ପଦକ୍ଷେପ ମାଧ୍ୟମରେ ଏହି ଅଭିଯାନ କାର୍ଯ୍ୟକାରୀ ହୋଇଥିଲା। ଆଇଜି ଡଃ ନାୟକ କହିଥିଲେ ଯେ, ହଜିଥିବା କିମ୍ବା ଚୋରି ହୋଇଥିବା ମୋବାଇଲ ସମ୍ପର୍କରେ ଲୋକେ ତୁରନ୍ତ ପୁଲିସକୁ ଜଣାଇଲେ ଏହାର ଟ୍ରାକିଂ ଓ ଉଦ୍ଧାର ପାଇଁ ଶୀଘ୍ର ପଦକ୍ଷେପ ନିଆଯାଇପାରିବ। ପ୍ରଯୁକ୍ତିଭିତ୍ତିକ ତଦନ୍ତକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଥିଲେ। ‘ଅପରେସନ ରିକନେକ୍ଟ’ ମାଧ୍ୟମରେ ନାଗରିକଙ୍କୁ ପୁଲିସର ତ୍ୱରିତ ଓ ସେବାମୂଳକ ପ୍ରତିକ୍ରିୟା ଯୋଗାଇବା ସହ ପୁଲିସ-ଜନସାଧାରଣ ସମ୍ପର୍କକୁ ଅଧିକ ମଜବୁତ କରିବା ଲକ୍ଷ୍ୟ ରହିଛି। ୨୦୦ଟି ମୋବାଇଲ ଫେରାଇବା ଅବସରରେ ଯାଜପୁର ପୁଲିସ ଏହାକୁ ‘୨୦୦ ଫୋନ୍, ୨୦୦ ପୁନଃସଂଯୋଗ ଓ ଅସଂଖ୍ୟ ହସ’ ବୋଲି ବର୍ଣ୍ଣନା କରିଛି। ନାଗରିକ ସେବା, ଡିଜିଟାଲ ସୁରକ୍ଷା, ପ୍ରଯୁକ୍ତିଭିତ୍ତିକ ତଦନ୍ତ ଓ ଜନସାଧାରଣଙ୍କ ସମ୍ପତ୍ତିର ସୁରକ୍ଷା ଦିଗରେ ଏଭଳି ପଦକ୍ଷେପ ଜାରି ରହିବ ବୋଲି ଆଇଜି ଡଃ ସତ୍ୟଜିତ ନାୟକ ପକ୍ଷରୁ କୁହାଯାଇଛି।
ଅପରେସନ ରିକନେକ୍ଟ’ରେ ୨୦୦ ମୋବାଇଲ ଫେରାଇଲା ମାଲିକଙ୍କୁ ହସ୍ତାନ୍ତର କଲେ ଆଇଜି ଡଃ ସତ୍ୟଜିତ ନାୟକ
|
October 6, 2026 |



