କଟକ, ୨୨/୭/୨୬ (ସନ୍ଧାନ ନ୍ୟୁଜ) “ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି” କେ.ଜି. ରୁ ପି.ଜି. ପର୍ଯ୍ୟନ୍ତ ନିଶୁଳ୍କ ଶିକ୍ଷା, ରାଜ୍ୟର ବେସରକାରୀ ଅନୁଦାନ ପ୍ରାପ୍ତ ଓ ଅଣ ଅନୁଦାନ ମହାବିଦ୍ୟାଳୟରେ ୨୦୦୮ ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀ ମାନଙ୍କ ପାଇଁ ଏକ “ଜରୁରୀ ପରିସ୍ଥିତି” (Emergency) ସୃଷ୍ଟି କରିଛି । ଦୀର୍ଘ ୧୮ବର୍ଷ ଧରି ବିନା ସରକାରୀ ବେତନରେ ପରିଚାଳନା କମିଟିର ସ୍ୱଳ୍ପ ସହାୟତାରେ ଗୁଜୁରାଣ ମେଣ୍ଟାଉଥିବା ୭୦୦୦ରୁ ଉର୍ଦ୍ଧ୍ଵ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଦରମା ଦେବା ପାଇଁ ମହାବିଦ୍ୟାଳୟ ଅସମର୍ଥ ହୋଇ ପଡିଛି । ଏପରି ସ୍ଥଳେ ରାଜ୍ୟର ବିଭିନ୍ନ ଅନୁଦାନ ପ୍ରାପ୍ତ ଏବଂ ଅଣ ଅନୁଦାନ ମହାବିଦ୍ୟାଳୟରେ ୨୦୦୮ ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ରାଜ୍ୟ ସରକାର ଅନୁଦାନ ପରିସର ଭୁକ୍ତ କରିବା ଜରୁରୀ ହୋଇ ପଡିଛି। ସେଥିପାଇଁ ଓଡ଼ିଶାର ସମସ୍ତ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ସେହି କ୍ରମରେ କଟକ ଜିଲ୍ଲା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବାର ଯୋଜନା ରହିଛି। ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ଦୀର୍ଘ ଦିନ ଧରି ଓସ୍ନେଲିଆ ତାହାର ନାର୍ଯ୍ୟ ଦାବି ୨୦୦୮ ରୁ ୨୦୧୮ ଅନୁଦାନ ପାଇଁ ଆନ୍ଦୋଳନ କରି ଆସୁଅଛି । ପ୍ରକାଶଥାଉକି ଗତବର୍ଷ (୨୦୨୫ମସିହାରେ) ମୌସୁମୀ ଅଧିବେଶନ ସମୟରେ ଆମରଣ ଅନଶନ ମାଧ୍ୟମରେ ସଂଘ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ସଂଘ ସହିତ ଉଚ୍ଚସ୍ତରୀୟ ବୈଠକରେ ସରକାର ୨୦୦୮ ରୁ ୨୦୧୮ ଅନୁଦାନ ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ । ପୁନର୍ବାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ସଂଘର ଦାବିକୁ ଆଲୋଚନା କରି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କମିଟି ରିପୋର୍ଟ ପ୍ରଦାନ କରିସାରିଛି । ଅନୁଦାନ ଅପେକ୍ଷାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି, ଉଚ୍ଚଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ସଚିବ, ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଇତ୍ୟାଦିଙ୍କ ସହ ଆଲୋଚନା ଜାରି ରହିଥିବା ବେଳେ ସରକାରଙ୍କର ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି ଯୋଜନା ୨୦୦୮ ରୁ ୨୦୧୮ ମଧ୍ୟରେ ବେସରକାରୀ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ୱାରା ନିୟମିତ (Regular) ନିଯୁକ୍ତି ପାଇଥିବା ଅଧ୍ୟାପକ ଏବଂ କର୍ମଚାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳାଇ ଦେଇଛି । ଦୀର୍ଘ ୧୮ବର୍ଷ ଧରି ଅବୈତନିକ ସେବା ପ୍ରଦାନରେ ବ୍ରତୀ ଅଧ୍ୟାପକ ଏବଂ କର୍ମଚାରୀ ନା ମହାବିଦ୍ୟାଳୟ ଛାଡ଼ି ପାରିବେ ? ଅବା ଜୀବନର ଅପରାହ୍ନରେ ଆଉ କିଛି ପନ୍ଥା ଆପଣାଇ ଗୁଜୁରାଣ ମେଣ୍ଟାଇ ପାରିବେ ? ଏପରି ସ୍ଥଳରେ ସରକାରୀ ଅନୁଦାନ ଅପରିହାର୍ଯ୍ୟ । ତେଣୁ ଆଜି କଟକ ଜିଲ୍ଲାର ଜିଲ୍ଲା ସଂଯୋଜକ କେଶବ ଚନ୍ଦ୍ର ସାହୁଙ୍କ ତତ୍ତ୍ବାବଧାନରେ ସଂଘର ଶତାଧିକ କାର୍ଯ୍ୟ କର୍ତ୍ତା ,ମାହାଙ୍ଗା ଖଣ୍ଡ ସଂଯୋଜକ ଦେବେନ୍ଦ୍ର କୁମାର ମହାନ୍ତି, ଆଠଗଡ଼ ଖଣ୍ଡ ସଂଯୋଜକ ରଂଜିତ କୁମାର ସ୍ବାଇଁଙ୍କ ଉପସ୍ଥିତିରେ କଟକର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୦୦୮-୨୦୧୮ ଅନୁଦାନ ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଛି। ଯଥାଶୀଘ୍ର ଦାବିପତ୍ରକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରି ଅନୁଦାନ ପ୍ରଦାନ ନିମନ୍ତେ ନୀତି ପ୍ରଣୟନ କରିବାକୁ ସଂଘ ତରଫରୁ ଅନୁରୋଧ କରାଯାଇଛି।
ଅନୁଦାନ ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର — ଓସ୍ନେଲିଆ*
|
July 22, 2026 |



