ଯାଜପୁର /୧୭/୫(ସନ୍ଧାନ ନ୍ୟୁଜ ): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ନେଉଳାଠାରେ ଥିବା ଆମ୍ବେଦକର ବିକାଶ ପରିଷଦ ଭବନ ପରିସରରେ ରବିବାର ସମ୍ବିଧାନ ପ୍ରଣେତା ବାବାସାହେବ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଭବ୍ୟ ପ୍ରତିମୂର୍ତ୍ତିର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ସମ୍ପନ୍ନ ହୋଇଯାଇଛି। ବରୀ ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ବିଜେପି ନେତା ଉମେଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଶିକ୍ଷାବିତ୍ ତଥା ଅନୁଷ୍ଠାନର ସଭାପତି ଦୁର୍ଯ୍ୟୋଧନ ଦଳେଇ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଦୁଷ୍ମନ୍ତ ସେଠି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ବସନ୍ତ ମଲ୍ଲିକ, ସ୍ଥାନୀୟ ସରପଞ୍ଚ ମାନସ କୁମାର ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରବୀନ୍ଦ୍ର କୁମାର ଜେନା ଓ ନିରୁପମା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବାବାସାହେବଙ୍କ ଆଦର୍ଶ, ସଂଗ୍ରାମ ଓ ଜୀବନୀ ଉପରେ ଆଲୋକପାତ କରିଥିଲେ।
ଏହି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଯୁବ ସମାଜସେବୀ ବସନ୍ତ ମଲ୍ଲିକ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସାଧୁବାଦ ଜଣାଇବା ସହ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରିଷଦର ମୁଖ୍ୟ ଉପଦେଷ୍ଟା ଶ୍ରୀଧର ମଲ୍ଲିକ, ଜଳଧର ମଲ୍ଲିକ, ରମାକାନ୍ତ ମଲ୍ଲିକ, କୁଳମଣି ମଲ୍ଲିକ ଏବଂ କୁଞ୍ଜ ଦଳେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।



